ମହିଳାଙ୍କ ବିକାଶ ପାଇଁ ଫିକିର ‘ଓଡ଼ିଶା ୫୦’ ଅଭିଯାନ

ଭୁବନେଶ୍ୱର : ଓଡ଼ିଶାରେ ମହିଳାଙ୍କ ନେତୃତ୍ବାଧୀନ ସଂସ୍ଥାଗୁଡ଼ିକର ବିକାଶ ପାଇଁ ଫିକି ଓଡ଼ିଶା ରାଜ୍ୟ ଚାପ୍ଟର ପକ୍ଷରୁ ‘ଓଡ଼ିଶା ୫୦’ ଅଭିଯାନକୁ ଆଜି ଭର୍ଚୁଆଲ୍ ମାଧ୍ୟମରେ ଉନ୍ମୋଚନ କରାଯାଇଛି। ସାଧାରଣ ନାରୀଙ୍କ ଠାରୁ ଆରମ୍ଭ କରି କର୍ପୋରେଟ୍ ସଂସ୍ଥା‌ର ନିର୍ଦେଶକ ବୋର୍ଡରେ କାର୍ଯ୍ୟ କରୁଥିବା ମହିଳାଙ୍କ ପର୍ଯ୍ୟନ୍ତ ସବୁ କ୍ଷେତ୍ରର ମହିଳାଙ୍କୁ ସଶକ୍ତ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଏହା ହେଉଛି ଫିକିର ଜାତୀୟ ସ୍ତରୀୟ ଅଭିଯାନ ‘ଫିକି ଫ୍ଲୋ ‌ଗ୍ରେଟର ୫୦’ର ଏକ ଅଂଶ। ଏହି ଅଭିଯାନରେ ଆସନ୍ତା ୨-୩ ବର୍ଷରେ ଜାତୀୟ ସ୍ତରରେ ଏକ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ଅଭିଯାନରେ ଫିକି ଓଡ଼ିଶା ପକ୍ଷରୁ ମହିଳାଙ୍କ ବିଭିନ୍ନ ଦଳ ଚିହ୍ନଟ କରି ମେଣ୍ଟର୍‌ଙ୍କ ଜରିଆରେ ସେମାନଙ୍କୁ ଏଣ୍ଟରପ୍ରାଇଜ୍ ଗଠନ, ପ୍ରଶିକ୍ଷଣ, କୌଶଳ ବିକାଶ, ଆର୍ଥିକ ସାକ୍ଷରତା, ଆର୍ଥିକ ସହାୟତା ହାସଲ କରିବା ଓ ଜୀବନଜୀବିକା ପାଇଁ ସିଏସ୍‌ଆର୍‌ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ଭଳି ସହାୟତା ପ୍ରଦାନ କରାଯିବ। ଏହି ଅଭିଯାନର ଉନ୍ମୋଚନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଓ ମିସନ ଶକ୍ତିର ପ୍ରମୁଖ ସଚିବ ଅନୁ ଗର୍ଗ, ମିଶନ ଶକ୍ତିର କମିସନର ତଥା ନିର୍ଦେଶିକା ସୁଜାତା କାର୍ତିକେୟନ, ଫିକିର ଜାତୀୟ ସଭାନେତ୍ରୀ ଡକ୍ଟର ସଙ୍ଗୀତା ରେଡ୍ଡି, ସମ୍ବାଦ ଗ୍ରୁପ୍‌ର ଏମ୍‌ଡି ତଥା ଫିକି ଓଡ଼ିଶାର ଅଧ୍ୟକ୍ଷା ମୋନିକା ନୈୟାର ପଟ୍ଟନାୟକ ଏବଂ ଖିମ୍‌ଜୀ ଫାଉଣ୍ଡେସନର ମୁଖ୍ୟ ମିତେଶ ଖିମ୍‌ଜୀ ପ୍ରମୁଖ।

ସମ୍ବନ୍ଧିତ ଖବର