ମହିଳାଙ୍କ ବିକାଶ ପାଇଁ ଫିକିର ‘ଓଡ଼ିଶା ୫୦’ ଅଭିଯାନ

ରାଜ୍ୟର ୫୦୦୦ ମହିଳାଙ୍କ ପାଖରେ ପହଞ୍ଚିବ, ୩୦୦ ମେଣ୍ଟର୍‌ଙ୍କ ଜରିଆରେ ମହିଳାଙ୍କୁ ସଶକ୍ତ କରାଯିବ

ଭୁବନେଶ୍ୱର : ଓଡ଼ିଶାରେ ମହିଳାଙ୍କ ନେତୃତ୍ବାଧୀନ ସଂସ୍ଥାଗୁଡ଼ିକର ବିକାଶ ପାଇଁ ଫିକି ଓଡ଼ିଶା ରାଜ୍ୟ ଚାପ୍ଟର ପକ୍ଷରୁ ‘ଓଡ଼ିଶା ୫୦’ ଅଭିଯାନକୁ ଆଜି ଭର୍ଚୁଆଲ୍ ମାଧ୍ୟମରେ ଉନ୍ମୋଚନ କରାଯାଇଛି। ସାଧାରଣ ନାରୀଙ୍କ ଠାରୁ ଆରମ୍ଭ କରି କର୍ପୋରେଟ୍ ସଂସ୍ଥା‌ର ନିର୍ଦେଶକ ବୋର୍ଡରେ କାର୍ଯ୍ୟ କରୁଥିବା ମହିଳାଙ୍କ ପର୍ଯ୍ୟନ୍ତ ସବୁ କ୍ଷେତ୍ରର ମହିଳାଙ୍କୁ ସଶକ୍ତ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଏହା ହେଉଛି ଫିକିର ଜାତୀୟ ସ୍ତରୀୟ ଅଭିଯାନ ‘ଫିକି ଫ୍ଲୋ ‌ଗ୍ରେଟର ୫୦’ର ଏକ ଅଂଶ। ଏହି ଅଭିଯାନରେ ଆସନ୍ତା ୨-୩ ବର୍ଷରେ ଜାତୀୟ ସ୍ତରରେ ଏକ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନରେ ଫିକି ଓଡ଼ିଶା ପକ୍ଷରୁ ମହିଳାଙ୍କ ବିଭିନ୍ନ ଦଳ ଚିହ୍ନଟ କରି ମେଣ୍ଟର୍‌ଙ୍କ ଜରିଆରେ ସେମାନଙ୍କୁ ଏଣ୍ଟରପ୍ରାଇଜ୍ ଗଠନ, ପ୍ରଶିକ୍ଷଣ, କୌଶଳ ବିକାଶ, ଆର୍ଥିକ ସାକ୍ଷରତା, ଆର୍ଥିକ ସହାୟତା ହାସଲ କରିବା ଓ ଜୀବନଜୀବିକା ପାଇଁ ସିଏସ୍‌ଆର୍‌ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ଭଳି ସହାୟତା ପ୍ରଦାନ କରାଯିବ। ଏନେଇ ରାଜ୍ୟ ସରକାରଙ୍କ ଯେଉଁ ନୀତି ରହିଛି ତାହାକୁ ନେଇ ଫିକି ଓଡ଼ିଶା ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛି।

ଏହି ଅଭିଯାନର ଉନ୍ମୋଚନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାଜ୍ୟ ମହିଳା ଓ ଶିଶୁ ବିକାଶ ଓ ମିସନ ଶକ୍ତିର ପ୍ରମୁଖ ସଚିବ ଅନୁ ଗର୍ଗ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମରେ ମହିଳାଙ୍କୁ ବହୁତ ଗୁରୁତ୍ବ ଦିଆଯାଉଛି। ସେମାନଙ୍କୁ ବିକାଶର ସହଯୋଗୀ କରିବାକୁ ଉଦ୍ୟମ କରାଯାଉଛି। ମହିଳାମାନଙ୍କୁ କେବଳ ହିତାଧିକାରୀ ନୁହେଁ ବରଂ ବିକାଶରେ ଆଗଧାଡ଼ିର ବାର୍ତାବହ ଭାବେ ବିଚାର କରାଯାଉଛି। କୋଭିଡ୍‌-୧୯ ମୁକାବିଲା ସମୟରେ ସରପଞ୍ଚମାନଙ୍କୁ ଯେଉଁ କ୍ଷମତା ଦିଆଯାଇଛି ତାହା ହେଉଛି ଏହାର ଏକ ବଳିଷ୍ଠ ଉଦାହରଣ। କାରଣ ସରପଞ୍ଚ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା। ମହିଳାଙ୍କ ସମ୍ପୃକ୍ତି ବଢ଼ାଇବା ପାଇଁ ନିକଟରେ କାରଖାନା ନିୟମରେ ସଂଶୋଧନ କରାଯାଇଥିଲା। ଶିଳ୍ପାୟନର ବିକାଶ ପାଇଁ ଯେଉଁ ପ୍ରମୁଖ ପାଞ୍ଚଟି କ୍ଷେତ୍ର ଚିହ୍ନଟ କରାଯାଇଛି ସେଥିମଧ୍ୟରୁ ବୟନ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ସହିତ ଅଧିକ ମହିଳା ଯୋଡ଼ିହୋଇ ରହିଛନ୍ତି। ଷ୍ଟାର୍ଟଅପ୍, ଏମ୍ଏସ୍‌ଏମ୍ଇ ଓ ବୟନ ଶିଳ୍ପ ପାଇଁ ଯେଉଁ ନୀତି ପ୍ରସ୍ତୁତ କରାଯାଇଛି ସେଥିରେ ମହିଳାଙ୍କୁ ସର୍ବାଧିକ ଗୁରତ୍ବ ଦିଆଯାଇଛି। ଆଇଟିଆଇରେ ମହିଳାଙ୍କ ପାଇଁ ଉଲ୍ଲେଖନୀୟ ସଂରକ୍ଷଣ ବ୍ୟବସ୍ଥା ରହିଛି। ଡାକ୍ତରଖାନାରେ ସନ୍ତାନ ପ୍ରସବ ହାର ମଧ୍ୟ ଦୁଇ ଦଶନ୍ଧୀ ଭିତରେ ୨୨-୨୩ ପ୍ରତିଶତରୁ ବୃଦ୍ଧି ପାଇ ୮୫ ପ୍ରତିଶତରେ ପହଞ୍ଚିଛି ବୋଲି ସେ କହିଛନ୍ତି।

ମିଶନ ଶକ୍ତିର କମିସନର ତଥା ନିର୍ଦେଶିକା ସୁଜାତା କାର୍ତିକେୟନ କହିଛନ୍ତି, ରାଜ୍ୟର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଅଭିଯାନ ଅନ୍ୟ ଯେକୌଣସି ରାଜ୍ୟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ୨୦୦୧ରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୭୦ ଲକ୍ଷ ମହିଳା ଏହା ସହ ଯୋଡ଼ି ହୋଇଛନ୍ତି। ଏହାର ମୂଳ ଲକ୍ଷ୍ୟ ଥିଲା ଗୋଷ୍ଠୀର ମହିଳାଙ୍କ ଭିତରେ ନେତୃତ୍ବ ଦକ୍ଷତା ସୃଷ୍ଟି କରିବା। କୋଭିଡ୍ ମହାମାରୀ ସମୟରେ ତାହାର ସ୍ପଷ୍ଟ ପ୍ରତିଫଳନ ଦେଖିବାକୁ ମିଳିଛି। ସଚେତନତା ସୃଷ୍ଟି କରିବାରେ ଏଚ୍‌ଏସ୍‌ଜିଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମାସ୍କ ତିଆରି କରିବା ଠାରୁ ଆରମ୍ଭ କରି ପ୍ରତିଦିନ ୨ କୋଟି ଭୋଜନ ପ୍ରସ୍ତୁତ କରି ବଣ୍ଟନ କରିବା ଭଳି କାର୍ଯ୍ୟ କରିବାକୁ ସେମାନେ ନିଜ ଆଡ଼ୁ ଆଗେଇ ଆସିଥିଲେ। ‌ଏସ୍‌ଏଚ୍‌ଜିଗୁଡ଼ିକୁ ଆର୍ଥିକ ସ୍ତରରେ ସଶକ୍ତ କରିବା ଲାଗି ସେମାନଙ୍କ ଠାରୁ ବିଭିନ୍ନ ସାମଗ୍ରୀ କିଣିବା, ‌ଡିଜିଟାଲ୍ କ୍ଷେତ୍ରରେ ସକ୍ରିୟ ରହିବା ଲାଗି ସେମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ କରିବା ଏବଂ କମ୍ ସୁଧ କିମ୍ବା ବିନା ସୁଧରେ ଋଣ ପ୍ରଦାନ କରିବା ଭଳି ସହାୟତା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।

ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମ ଅବସରରେ ଫିକିର ଜାତୀୟ ସଭାନେତ୍ରୀ ଡକ୍ଟର ସଙ୍ଗୀତା ରେଡ୍ଡି କହିଛନ୍ତି, ବର୍ତ୍ତମାନ ମାତ୍ର ୨୩ ପ୍ରତିଶତ ମହିଳାଙ୍କ ଉଦ୍ୟମକୁ ସମାଜରେ ମାନ୍ୟତା ମିଳିଛି। ଦେଶର ବିକାଶରେ ଯଦି ମହିଳାଙ୍କ ଭାଗୀଦାରୀ ବୃଦ୍ଧି ପାଇବ ତେବେ ୨୦୨୫ ସୁଦ୍ଧା ଅର୍ଥନୀତିରେ ୭୦,୦୦୦ କୋଟି ଡଲାରର ବୃଦ୍ଧି ହୋଇପାରିବ। ଏନେଇ ଫିକି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସୁପାରିସ କରାଯାଇଛି। ସେ କହିଛନ୍ତିି, ଓଡ଼ିଶା ୫୦ ଜରିଆରେ ବିଭିନ୍ନ କ୍ଷେତ୍ରର ମହିଳାଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଆଗାମୀ ଦିନର କୀରଣ ମଜୁମଦାର ସ’ ଓ ସୁଧା ମୂର୍ତିଙ୍କ ଭଳି ପ୍ରତିଭା ବାହାରି ଉଦ୍ୟୋଗ ଜଗତର ନେତୃତ୍ବ ନେବେ ଏବଂ ଅନ୍ୟ ମହିଳାମାନଙ୍କୁ ଅନୁପ୍ରାଣିତ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ମହିଳାମାନଙ୍କୁ ନେଇ ଯେତେ ସବୁ ଭ୍ରାନ୍ତ ଧାରଣା ରହିଛି ତାହାକୁ ଦୂର କରିବା ଏବଂ ପୁରୁଷମାନଙ୍କ ସହ ସେମାନଙ୍କୁ ସମାନ ଦୃଷ୍ଟିରେ ଦେଖିବାର ସମୟ ଆସିଛି ବୋଲି ସେ କହିଛନ୍ତି।

ଏହି ଅବସରରେ ସମ୍ବାଦ ଗ୍ରୁପ୍‌ର ଏମ୍‌ଡି ତଥା ଫିକି ଓଡ଼ିଶାର ଅଧ୍ୟକ୍ଷା ମୋନିକା ନୈୟାର ପଟ୍ଟନାୟକ ‘ଓଡ଼ିଶା ୫୦’ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ରାଜ୍ୟର ସର୍ବବୃହତ ସମ୍ବାଦପତ୍ର ‘ସମ୍ବାଦ’ର ମିଳିତ ସହଯୋଗିତାରେ ଫିକି ଓଡ଼ିଶା ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ। ୩୦୦ ମେଣ୍ଟରଙ୍କ ଜରିଆରେ ରାଜ୍ୟର ୩୦ଟି ଜିଲ୍ଲାର ୩୧୪ଟି ବ୍ଲକ୍‌ରେ ଅତିକମ୍‌ରେ ୫୦୦୦ ମହିଳାଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ଏହା ଜରିଆରେ ଉଦ୍ୟମ କରାଯିବ। ଏହି ଅଭିଯାନରେ ତିନିଟି ପର୍ଯ୍ୟାୟ ରହିଛି। ପ୍ରଥମେ ମହିଳା ସଦସ୍ୟାମାନଙ୍କୁ ଚିହ୍ନଟ କରାଯିବ। ଏହା ପରେ ମେଣ୍ଟର ଚୟନ କରାଯିବ। ସେମାନେ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ଦେବେ ଏବଂ ଆଗକୁ ବଢ଼ିବାରେ ସହାୟତା ପ୍ରଦାନ କରିବେ। ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଦେଢ଼ ଲକ୍ଷ ଟଙ୍କାର ନଗଦ ରାଶି ପୁରସ୍କାର ସହ ‘ଶାରଦା ସୀମା ସମ୍ମାନ’ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଖିମ୍‌ଜୀ ଫାଉଣ୍ଡେସନର ମୁଖ୍ୟ ମିତେଶ ଖିମ୍‌ଜୀ ଏହି ଅବସରରେ ରାଜ୍ୟ ସରକାରଙ୍କର ମହିଳା ସଶକ୍ତୀରଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଫିକି ଓଡ଼ିଶା ଓ ‘ସମ୍ବାଦ’ ପକ୍ଷରୁ ମିଳିତ ଭାବେ ଆରମ୍ଭ କରାଯାଇଥିବା ନୂଆ ପ୍ରକଳ୍ପରେ ନିଜେ ସାମିଲ ହୋଇଥିବାରୁ ଗର୍ବିତ ଅନୁଭବ କରୁଛନ୍ତି ବୋଲି କହିଥିଲେ।

ଏହି ଅବସରରେ ‘ସମ୍ବାଦ’ର ସିଜିଏମ୍‌ (ବାର୍ତା) ଅରବିନ୍ଦ ଦାସ ଓ ବେଦାନ୍ତ ଝାରସୁଗୁଡ଼ାର ସିଇଓ ସି ଏନ୍ ସିଂହ ଅଂଶଗ୍ରହଣ କରି ନିଜର ମତ ରଖିଥିିଲେ।

ସମ୍ବନ୍ଧିତ ଖବର