ଫିକି- ଓଡ଼ିଶାର ‘ଓଡ଼ିଶା-୫୦’ କାର୍ଯ୍ୟକ୍ରମ: ସୁଯୋଗ, ସହଯୋଗ ମିଳିଲେ ମହିଳା ପୁରୁଷଙ୍କଠୁ ବି ଅଧିକ କରି ଦେଖାଇପାରନ୍ତି: ସୌମ୍ୟ

୬ଟି ଜିଲ୍ଲାର ସଫଳ ସ୍ବାବଲମ୍ବୀ ମହିଳାଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ତାଲିମ୍

କଟକ : ଆମ ଜନସଂଖ୍ୟାର ୪୮ ପ୍ରତିଶତ ହେଉଛନ୍ତି ମହିଳା। ସୁଯୋଗ ଓ ସହଯୋଗ ମିଳିଲେ ସେମାନେ ପୁରୁଷଙ୍କ ଠାରୁ ବି ଅଧିକ କରି ଦେଖାଇବାର ଯୋଗ୍ୟତା ରଖନ୍ତି। ଆତ୍ମନିର୍ଭର, ସ୍ବୟଂସଂପୂର୍ଣ୍ଣ ମହିଳାଙ୍କର ସମାଜରେ ଏବଂ ପରିବାରରେ ଗୁରୁତ୍ବ ରହିଛି। ତେଣୁ ପ୍ରତ୍ୟେକ ମହିଳା ସ୍ବାବଲମ୍ବୀ ହେବା ଆବଶ୍ୟକ ବୋଲି ‘ଓଡ଼ିଶା-୫୦’ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ ଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ଓଡ଼ିଶା ସରକାରଙ୍କ ମିସନ ଶକ୍ତି, ଫିକି- ଓଡ଼ିଶା, ଖିମ୍‌ଜୀ ଏବଂ ‘ସମ୍ବାଦ’ର ମିଳିତ ସହଯୋଗରେ ଚାଲିଥିବା ଆଜିର ଏହି କାର୍ଯ୍ୟକ୍ରମରେ କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ନୟାଗଡ ଭଳି ୬ଟି ଜିଲ୍ଲାର ଶତାଧିକ ସଫଳ ଆତ୍ମନିର୍ଭରଶୀଳ ମହିଳା ଯୋଗ ଦେଇଥିଲେ। ‘ସମ୍ବାଦ’ର ବାର୍ତ୍ତା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ପରାମର୍ଶ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମହିଳାମାନେ ନିଜ ଉଦ୍ୟମ ବଳରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିବା ସହିତ ଅନେକ ପ୍ରତିକୂଳ ପରିସ୍ଥିତିରେ ମୁଣ୍ଡ ଟେକି ଛିଡା ହୋଇପାରିଛନ୍ତି। ଏହି ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବାଦ ରାଜ୍ୟ ସରକାରଙ୍କ ମିସନ ଶକ୍ତି, ଫିକି ଓଡ଼ିଶା ସହିତ ସଫଳ ମହିଳା ଉଦ୍ୟୋଗୀମାନଙ୍କୁ ଯୋଡ଼ିବାର ମାଧ୍ୟମ ହୋଇପାରିଛି। ଏହି ଉଦ୍ୟମ ଆଗକୁ ବି ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହିତ ସଫଳ ମହିଳାମାନଙ୍କ ଜୟଯାତ୍ରା ଓ ସେମାନଙ୍କ ସଂଘର୍ଷର କାହାଣୀ ସଂପର୍କରେ ସୂଚନା ଦେଇ ‘ସମ୍ବାଦ’ ବାର୍ତ୍ତା ବିଭାଗ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦାସ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ର ଇସାନୀବ୍ରହ୍ମପୁର ଗ୍ରାମର ମାନସୀ ଓଝା, ପୁରୀ ଜିଲ୍ଲା ଗୋପ୍‌ ବ୍ଲକ୍‌ର ସୁବାସିନୀ ମୁଦୁଲିଙ୍କ ସଂଘର୍ଷର କାହାଣୀ ଶ୍ରୀ ଦାସ ବଖାଣିବା ସହିତ କିଭଳି ପ୍ରତିକୂଳ ପରିସ୍ଥିତିକୁ ସାମନା କରି ସେମାନେ ସ୍ବାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ଦେଇ ପାରିଛନ୍ତି ସେ ସଂପର୍କରେ ସୂଚନା ଦେଇଥିଲେ। ‘ଫିକି’ ଓଡ଼ିଶାର ଅଧ୍ୟକ୍ଷା ତଥା ‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକ ମୋନିକା ନୈୟାର ପଟ୍ଟନାୟକ, ‘ସମ୍ବାଦ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ପ୍ରକାଶକ ତଥା ମୁଦ୍ରାକର କମଳାକାନ୍ତ ମହାପାତ୍ର ବକ୍ତବ୍ୟ ରଖି ସଫଳ ମହିଳା ଉଦ୍ୟୋଗୀମାନଙ୍କର ପ୍ରଶଂସା କରିବା ସହିତ ସେମାନଙ୍କୁ ଆଗକୁ ବଢିବାକୁ ଆହ୍ବାନ ଦେଇଥିଲେ।

ପ୍ରଖ୍ୟାତ ସାହିତ୍ୟିକ ତଥା ସମ୍ଭକାର ପ୍ରଫେସର ଡକ୍ଟର ଜିତେନ୍ଦ୍ର ନାରାୟଣ ଦାଶ (ଦାଶ ବେନହୂର) ଏହି ସଫଳ ମହିଳା ଉଦ୍ୟୋଗୀମାନଙ୍କର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ଦାୟିତ୍ବ ନିର୍ବାହ କରିବା ସହିତ ମହିଳା ମାନଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଦ୍ବାରା ସେମାନେ ଅନେକ କିଛି କରିପାରିବେ ବୋଲି କହିଥିଲେ। ଶୃଙ୍ଖଳା, ସମୟାନୁବର୍ତ୍ତିତା ସହ ସର୍ବୋପରି ଜଣେ ସଫଳ ଉଦ୍ୟୋଗୀ ହେବା ପାଇଁ ମ୍ୟାନ ପାୱାର (ମାନବସମ୍ବଳ), ମନି (ଅର୍ଥବଳ), ମେସିନ୍‌ (ଯନ୍ତ୍ରପାତି), ମାର୍କେଟିଂ (ବିପଣନ) ଓ ମାର୍ଜିନ୍‌ (ଲାଭ) ଭଳି ୫-ଏମ୍‌ ମନ୍ତ୍ରକୁ କିଭଳି ଉପଯୋଗ କରିବେ, ସେ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଅନ୍ୟତମ ପ୍ରମୁଖ ତାଲିମ୍‌ଦାତା ତଥା ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର କିପରି ସରକାରଙ୍କ ବିଭିନ୍ନ ଯୋଜନା, ସାମାଜିକ ଗଣମାଧ୍ୟମର ବ୍ୟବହାର, ବ୍ୟାଙ୍କ ଓ ଆର୍ଥିକ କାରବାରର ପରିଚାଳନା ଦ୍ବାରା ମହିଳା ମାନେ ଅଧିକ ସଶକ୍ତ ହୋଇ ପାରିବେ, ସେ ସଂପର୍କରେ ସୂଚନା ଦେବା ସହିତ ଇ-କମର୍ସ, ସାମାଜିକ ଗଣମାଧ୍ୟମ, କମ୍ପୁଟର ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ବର୍ତ୍ତମାନ ପରିସ୍ଥିତିରେ ମହିଳାମାନେ ନିହାତି ଜାଣିବା ଆବଶ୍ୟକ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ୬ଟି ଜିଲ୍ଲାର ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଓ ବ୍ଲକ ପ୍ରତିନିଧିମାନେ ଯୋଗ ଦେଇଥିବା ବେଳେ ‘ସମ୍ବାଦ’ କଟକ ସଂସ୍କରଣର ମୁଖ୍ୟ କୃଷ୍ଣପ୍ରସାଦ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର