ଫିକିର ଗୋଲ ଟେବୁଲ୍‌ ଭର୍ଚୁଆଲ୍‌ ବୈଠକ: ଥାଇଲାଣ୍ଡ ଭଳି ଓଡ଼ିଶାରେ ହେବ ପର୍ଯ୍ୟଟନର ବିକାଶ

ବେଳାଭୂମି, ନଦୀ, ଜଙ୍ଗଲକୁ ନେଇ ସ୍ବତନ୍ତ୍ର ଯୋଜନା
ହୀରାକୁଦ, ମହାନଦୀ‌ରେ କ୍ରୁଜ୍‌ ଟୁର୍‌ ଖୁବ୍‌ଶୀଘ୍ର
ଇକୋ ରିଟ୍ରିଟ୍‌କୁ ଅଧିକ ଗୁରୁତ୍ବ ଦିଆଯିବ

ଭୁବନେଶ୍ବର : କରୋନା ଯୋଗୁଁ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି। ଲକ୍‌ଡାଉନ୍ ପାଇଁ ସବୁ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଛି। ତେବେ କରୋନା ପ୍ରଭାବ କମିଲା ପରେ ଓ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହେଲା ମାତ୍ରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କି କି ପଦକ୍ଷେପ ନିଆଯିବ, ସେଥିପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ଥିବା ସବୁ ସମ୍ଭାବନାକୁ ବିଚାରକୁ ନେଇ ଭିତ୍ତିଭୂମିର ବିକାଶ କରାଯାଉଛି। ବେଳାଭୂମି, ନଦୀ ଓ ଜଙ୍ଗଲ ଆଦି ଜରିଆରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ଯୋଜନା କରିଛି। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ପର୍ଯ୍ୟଟନ ବିଭାଗର ବଜେଟ୍‌କୁ ଦ୍ବିଗୁଣିତ କରିଛନ୍ତି। ଶନିବାର ଫିକି ପକ୍ଷରୁ ଅନୁଷ୍ଠିତ ‘ରାଜ୍ୟ ପର୍ଯ୍ୟଟନ ଉପରେ କରୋନାର ପ୍ରଭାବ ଓ ଏହାର ସମାଧାନର ରାସ୍ତା’ ଶୀର୍ଷକ ଗୋଲ୍‌ ଟେବୁଲ୍‌ ଭର୍ଚୁଆଲ୍‌ ବୈଠକରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।

କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ଓଡ଼ିଶା ପର୍ଯ୍ୟଟନକୁ ବିଶ୍ବସ୍ତରୀୟ କରିବାକୁ ସରକାରଙ୍କ ପକ୍ଷରୁ କସରତ ଆରମ୍ଭ ହୋଇଯାଇଛି। କରୋନାର ଦ୍ବିତୀୟ ଲହର ଓ ସାମ୍ଭାବ୍ୟ ତୃତୀୟ ଲହର ସତ୍ତ୍ବେ ଓଡ଼ିଶା ପର୍ଯ୍ୟଟନ ଶିଳ୍ପକୁ ଉନ୍ନତମାନର କରାଇବାକୁ ବହୁ ଯୋଜନା କରାଯାଉଛି। ଥାଇଲାଣ୍ଡ ଭଳି କିଛି ଦେଶ ଯେଉଁଭଳି ପର୍ଯ୍ୟଟନକୁ ବିକଶିତ କରି ବିଶ୍ବ ମାନଚିତ୍ରରେ ଚର୍ଚ୍ଚିତ ହୋଇଛନ୍ତି, ଓଡ଼ିଶା ପର୍ଯ୍ୟଟନର ସେହିଭଳି ବିକାଶ ହିଁ ଆମର ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ।

କରୋନା କାଳରେ ଓଡ଼ିଶା ପର୍ଯ୍ୟଟନକୁ ପୁନର୍ଜୀବିତ କରିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଉଛି, ସେନେଇ ସବିଶେଷ ଆଲୋଚନା କରିବିଭାଗୀୟ ପ୍ରମୁଖ ସଚିବ ବିଶାଳ ଦେବ କହିଲେ, ଗତବର୍ଷ କରୋନାର ପ୍ରଥମ ଲହର ସରିବା ପରେ ପରୀକ୍ଷାମୂଳକ ଭାବେ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଦେଶୀୟ ପର୍ଯ୍ୟଟକଙ୍କ ଉପରେ ଗୁରୁତ୍ବ ଦିଆଯାଇଥିବାବେଳେ ଇକୋ ରିଟ୍ରିଟ୍‌ ପରିକଳ୍ପନା ସଫଳ ହୋଇଥିଲା। ଚଳିତ ବର୍ଷ ସେହିଭଳି ଇକୋ-ରିଟ୍ରିଟ୍‌କୁ ଅଧିକ ଗୁରୁତ୍ବ ଦିଆଯିବ। ପ୍ରତିଟି ଇକୋ-ରିଟ୍ରିଟ୍‌ ହେଉଥିବା ସ୍ଥାନଗୁଡ଼ିକରେ କ୍ଷମତାକୁ ସଂପ୍ରସାରିତ କରାଯିବ। ସେହିଭଳି ଇକୋ-ଟୁର୍‌, ରୋଡ୍‌ ସୋ’ ଓ ରୋଡ୍‌ ଟ୍ରିପ୍‌ ଉପରେ ବି ଅଧିକ କାମ କରାଯାଉଛି। ବିଳାସପୂର୍ଣ୍ଣ ନଦୀ କ୍ରୁଜ୍‌ ଟୁର୍‌ ପାଇଁ ବି ସମସ୍ତ ପ୍ରକାର କାମ ସରିଛି। ହୀରାକୁଦ, ମହାନଦୀ ଭଳି କିଛି ନଦୀରେ ଜାନୁଆରି ଓ ଫେବ୍ରୁଆରି ସୁଦ୍ଧା ଏହି କାମ ଶେଷ ହେବ ଓ ପର୍ଯ୍ୟଟକମାନେ କ୍ରୁଜ୍‌ ଟୁର୍‌ର ମଜା ନେଇପାରିବେ। ସେହିପରି ଚଳିତବର୍ଷ ବିଭିନ୍ନ ଜିଲ୍ଲାର ପ୍ରମୁଖ ବେଳାଭୂମିଗୁଡ଼ିକୁ ବିକଶିତ କରିବାକୁ ଯୋଜନା କରାଯାଇଛି।

‘ଫିକି‘ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷା ତଥା ‘ସମ୍ବାଦ ଗ୍ରୁପ୍‌’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ଓଡ଼ିଶା ସରକାରଙ୍କ ସହଭାଗିତାରେ ‘ଫିକି’ ମେକ-ଇନ୍‌ ଓଡ଼ିଶା, କୃଷି ଓଡ଼ିଶା, ଓଡ଼ିଶା-୫୦ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଓ ଭର୍ଚୁଆଲ ରାଉଣ୍ଡଟେବୁଲ ବୈଠକ ଆୟୋଜନ କରିଆସୁଛି। ସଂପ୍ରତି ମହାମାରୀ ସ୍ଥିତିରେ କୋଭିଡ୍‌ ଟିକାକରଣ ଓ ମେଡିକାଲ ଅମ୍ଳଜାନ ଯୋଗାଣର ପରିଚାଳନାରେ ସରକାରଙ୍କ ଟାସ୍କଫୋର୍ସ ଭାବେ ମଧ୍ୟ ଫିକି ଦାୟିତ୍ବ ତୁଲାଉଛି।

ବୈଠକରେ ଆତିଥେୟତା ଓ ହୋଟେଲ ଶିଳ୍ପର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି କରୋନା ଯୋଗୁଁ ଓଡ଼ିଶା ପର୍ଯ୍ୟଟନ, ହୋଟେଲ୍‌ ଶିଳ୍ପ, ଟୁର୍‌ ଆଣ୍ଡ୍‌ ଟ୍ରାଭେଲ୍‌ସ୍‌ ଶିଳ୍ପ, ଛୋଟ ଛୋଟ ଗେଷ୍ଟ ହାଉସ୍‌ମାନେ କିଭଳି କ୍ଷତି ସହିଛନ୍ତି, ତାହା ଉପରେ ଆଲୋଚନା କରିଥିଲେ। କରୋନା ଏବେ ନିୟନ୍ତ୍ରଣକୁ ଆସୁ ଆସୁ ସମସ୍ତ ଶିଳ୍ପ ଓ ବ୍ୟବସାୟ ସଙ୍ଗେ ସଙ୍ଗେ କ୍ରିୟାଶୀଳ ହୋଇଯିବ। କିନ୍ତୁ ଅର୍ଥ ଅଭାବ, ଭୟ ଓ ସୁରକ୍ଷା ଅଭାବରୁ ଲୋକମାନେ ହଠାତ୍‌ ଭ୍ରମଣରୁ ବିମୁଖ ରହିବେ। ଏବେ ପର୍ଯ୍ୟଟନ ଉପରେ ନିର୍ଭରଶୀଳ ସମସ୍ତ ଶିଳ୍ପ ଓ ବ୍ୟବସାୟ ମୁଣ୍ଡ ଟେକି ଠିଆ ହେବା କଷ୍ଟକର ହୋଇଯିବ ବୋଲି ସେମାନେ କହିଥିଲେ। ଏଣୁ ପର୍ଯ୍ୟଟନ ଉପରେ ନିର୍ଭରଶୀଳ ଛୋଟ ଛୋଟ ଶିଳ୍ପଗୁଡ଼ିକ ପାଇଁ ସରକାର କିଛି ପ୍ୟାକେଜ୍‌ ଘୋଷଣା କରିବା, ଫ୍ୟାନ୍‌ ଟୁର୍‌କୁ ପ୍ରୋତ୍ସାହିତ କରିବା ଓ ଦେଶୀୟ ପର୍ଯ୍ୟଟକଙ୍କ ଉପରେ ଅଧିକ ଗୁରୁତ୍ବ ଦିଆଗଲେ, ପୁଣିଥରେ ଏହି ସବୁ ଶିଳ୍ପ ମୁଣ୍ଡ ଟେକି ଉଠିବା ସମ୍ଭବ ହେବ ବେଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍‌. ଯାଦବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଫିକି ପର୍ଯ୍ୟଟନ ଜାତୀୟ ପରିଷଦର ସହ-ଅଧ୍ୟକ୍ଷ ତଥା ସ୍ବସ୍ତି ଗ୍ରୁପ୍ ସିଏମ୍‌ଡି ଜେ.କେ ମହାନ୍ତି କରୋନା ସମୟରେ ହୋଟେଲ୍‌ ଓ ପର୍ଯ୍ୟଟନ ଶିଳ୍ପ କିପରି ସାଂଘାତିକ ଭାବେ ପ୍ରଭାବିତ ହୋଇଛି, ସେ ସମ୍ପର୍କରେ ସୂଚନା ଦେଇଥିଲେ। ଟ୍ରିପ୍‌ ପ୍ରୋସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଏସ୍‌.କେ ଦାଶ, କାମତ୍‌ ଗ୍ରୁପ୍‌ସ୍‌ ଆଣ୍ଡ୍‌ ହୋଟେଲ୍ସର ସିଇଓ ବିଶାଲ କାମତ୍ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। ଫିକିର ସଦସ୍ୟ ସଞ୍ଜୀବ କୁମାର ରାଉତ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର