‘ଫିକି’ର ବୀର ଗାଥା କାର୍ଯ୍ୟକ୍ରମ: ପାଇକ ବିଦ୍ରୋହ ହିଁ ଥିଲା ସାଧାରଣ ମଣିଷଙ୍କ ସଂଗ୍ରାମ: ବିଶ୍ବଭୂଷଣ

୫ ସଂଗ୍ରାମୀଙ୍କ ପରିବାର ସମ୍ବର୍ଧିତ

ଭୁବନେଶ୍ବର : ୧୮୫୭ ମସିହାରେ ଇଂରେଜମାନଙ୍କ ବିରୋଧରେ ଅସ୍ତ୍ର ଉଠାଇଥିବା ସିପାହୀମାନେ ଆମର ନମସ୍ୟ। ସେହି ବିଦ୍ରୋହକୁ ଆମେ ସମ୍ମାନ ବି କରୁ। କିନ୍ତୁ ଏହାକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି କୁହାଯାଇ ପାରିବନାହିଁ କି ଦେଶର ସାଧାରଣ ଜନତା ମଧ୍ୟ ସେଥିରେ ସାମିଲ ନଥିଲେ। ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ହୋଇଥିବା ପାଇକ ବିଦ୍ରୋହ ହିଁ ଥିଲା ଇଂରେଜମାନଙ୍କ ବିରୋଧରେ ହୋଇଥିବା ପ୍ରଥମ ସ୍ବାଧୀନତା ସଂଗ୍ରାମ। ଏହା ଥିଲା ସାଧାରଣ ମଣିଷଙ୍କ ଲଢେଇ। ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତୀ ଅବସରରେ ‘ଫିକି’ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ‘ବୀର ଗାଥା’ରେ ଏହା କହିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ।

ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା ଉପରେ ଆଲୋକପାତତ କରି ଶଅୀ ହରିଚନ୍ଦନ ଆହୁରି କହିଲେ ଯେ ୧୮୧୭ମସିହାରେ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହ ଓଡ଼ିଶାର ସ୍ବର୍ଣ୍ଣିମ ଇତିହାସର ଅଂଶବିଶେଷ। ଏଥିରେ ବାଣପୁରର ୫୦୦ ପାଇକଙ୍କ ସହିତ କନ୍ଧ ପାଇକମାନେ ମଧ୍ୟ ସାମିଲ ଥିଲେ। ଇଂରେଜଙ୍କ ଶୋଷଣ, ରାଜସ୍ବ ବୃଦ୍ଧିକୁ ନେଇ ଏହି ବିଦ୍ରୋହର ସୂତ୍ରପାତ ହୋଇଥିଲା। ଯେଉଁଥିରେ ସାଧାରଣ ଓଡ଼ିଆ ସାମିଲ ଥିଲେ। ପୂର୍ବରୁ ଅନେକ ଯୁଦ୍ଧ ବୀରତ୍ବର ସହିତ ଲଢ଼ିଥିବା ଓଡ଼ିଆ ପାଇକମାନେ ବିଭିନ୍ନ କ୍ଷେତ୍ରରେ ଇଂରେଜମାନଙ୍କୁ ପରାଜିତ ମଧ୍ୟ କରିଥିଲେ। କିନ୍ତୁ ଶେଷରେ ବିଶ୍ବାସଘାତକତାର ଶିକାର ହୋଇ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ସହିଦ ହୋଇଥିଲେ। ୧୯୭୮ ମସିହାରେ ଦେଶରେ ଜନତା ପାର୍ଟି ସରକାର ସମୟରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ସେ ସ୍ବର ଉତ୍ତୋଳନ କରିଥିଲେ। ଏହାକୁ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକଙ୍କ ଭଳି ରାଜନେତା ସମର୍ଥନ ମଧ୍ୟ କରିଥିଲେ।

‘ସମ୍ବାଦ’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତଥା ‘ଫିକି’ ଫ୍ଲୋ ସଦସ୍ୟା ତନୟା ପଟ୍ଟନାୟକ ଦେଶ ପାଇଁ ଜୀବନ ଏବଂ ଯୌବନ ଦେଇଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ଋତୁରାଜ ମହାନ୍ତି ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିନେତା ସବ୍ୟସାଚୀ ମିଶ୍ର ମହାନ ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ, ବଙ୍ଗାଳୀ ଝିଅ ମାଳତୀ ନବକୃଷ୍ଣ ଚୌଧୁରୀଙ୍କୁ ବିବାହ ପରେ ଓଡ଼ିଆ ପରିବାରର ବୋହୂ ସାଜିଥିଲେ। ସ୍ବାଧୀନତା ସଂଗ୍ରାମର କଣ୍ଟକିତ ପଥରେ ଅଗ୍ରସର ହୋଇଥିଲେ। ସ୍ବାଧୀନତା ସମୟରେ ଏବଂ ଏହାପରେ ମଧ୍ୟ ରାଜ୍ୟର ଶୋଷିତ, ନିଷ୍ପେସିତ ଗୋଷ୍ଠୀଙ୍କ ପାଇଁ ଲଗାତାର କାର୍ଯ୍ୟ କରୁଥିଲେ। ମହିଳାଙ୍କ ଉତ୍‌ଥାନ ପାଇଁ କାର୍ଯ୍ୟ କରିବାରେ ତାଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ସେହିପରି ଅନ୍ୟତମ ଆଲୋଚକ ପଞ୍ଚମୀ ମାନୋ କହିଥିଲେ, ବକ୍ସି ଜଗବନ୍ଧୁ ଥିଲେ ଖୋର୍ଧା ରାଜାଙ୍କ ମୁଖ୍ୟ ସେନାପତି। ଇଂରେଜଙ୍କ ବିରୋଧରେ ହୋଇଥିବା ଏହି ଲଢେଇ ବକ୍ସି ଜଗବନ୍ଧୁଙ୍କ ସହିତ ପରିବାରର ଅନ୍ୟମାନେ ମଧ୍ୟ ସାମିଲ ହୋଇଥିଲେ।

ଏହି ଅବସରରେ ପଣ୍ଡିତ ମାତୃପ୍ରସାଦ ମିଶ୍ର କହିଥିଲେ, ବିଦ୍ୟାର୍ଥୀ ଜୀବନରୁ ହିଁ ଜୟୀ ରାଜଗୁରୁ ଥିଲେ ଦେଶ ଭକ୍ତ। ସେ ଧର୍ମ, ଆଧ୍ୟାତ୍ମ ଏବଂ ରାଷ୍ଟ୍ର ପାଇଁ ନିଜ ପ୍ରାଣ ଦେଇଥିଲେ। ସେହିପରି ପଦ୍ମଶ୍ରୀ ଅରୁଣା ମହାନ୍ତି ରମାଦେବୀଙ୍କ ତ୍ୟାଗପୁତ ଜୀବନ ବିଷୟରେ ଆଲୋଚନା କରି କହିଥିଲେ ଯେ ମଧୁବାବୁଙ୍କ ଝିଆରୀ ରମାଦେବୀ ଡେପୁଟି କଲେକ୍ଟର ଗୋପବନ୍ଧୁ ଚୌଧୁରୀଙ୍କୁ ବିବାହ କରିଥିଲେ। ତେବେ ସ୍ବାଧୀନତା ସଂଗ୍ରାମ ପାଇଁ ସେତେବେଳେ ଗୋପବନ୍ଧୁ ଲୋଭନୀୟ ଚାକିରି ଛାଡ଼ି ଦେଇଥିଲେ। ରମାଦେବୀ ଏହାକୁ କେବଳ ସମର୍ଥନ କରିନଥିଲେ, ତାଙ୍କ ସହିତ ନିଜେ ମଧ୍ୟ ସଂଗ୍ରାମରେ ଝାସ ଦେଇଥିଲେ। ପଦ୍ମଶ୍ରୀ ଦିଲ୍ଲୀପ ତିର୍କି, ହକିର ଗୌରବମୟ ଗାଥା ବଖାଣିବା ସହ ସୁନ୍ଦରଗଡ଼ର ପ୍ରତ୍ୟେକ ଗାଁର ମଣିଷ ଓ ହକି ମଧ୍ୟରେ ନିବିଡ଼ ସଂପର୍କ ଥିବା କହିଥିଲେ।

ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଦେଇ ‘ଫିକି’ ଏଫଏଲ୍‌ଓ ପକ୍ଷରୁ ଅଡିଓ, ଭିଡିଓ ଏବଂ ସୁଚିତ୍ରା ମହେଶ୍ବେତାଙ୍କ ଦ୍ବାରା ପ୍ରସ୍ତୁତ ସେଣ୍ଡ ଆନିମେସନ ଉପସ୍ଥାପନା କରାଯାଇଥିଲା। ସଭାପତି ସୁନୀତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାତୀ କେଜ୍ରିଓ୍ବାଲ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଉପସଭାପତି ନମ୍ରିତା ଚହଲ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଦିବଂଗତ ସ୍ବାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକ, ଦୋଳଗୋବିନ୍ଦ ପ୍ରଧାନ, ଚନ୍ଦ୍ରଶେଖର କୟକ, ସୂର୍ଯ୍ୟମଣି ପଣ୍ଡା ଏବଂ ବିନୋଦ କାନୁନଗୋଙ୍କ ପରିବାରକୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର