ଲୋକଙ୍କୁ ଲୁଟ୍ ପାଇଁ ବାରବାଟୀରେ କ୍ଷେତ୍ରପ୍ରସ୍ତୁତ! ବାହାରୁ ଖାଦ୍ୟ, ପାଣି ନେବା ମନା; ଭିତରେ କିନ୍ତୁ ବିକ୍ରି ହେବ

କଟକ : କାଉଣ୍ଟରରେ ଟିକେଟ୍ ମିଳିଲା ନାହିଁ। କିନ୍ତୁ ବ୍ଲାକର୍‌ଙ୍କ ପାଖରେ ଯାହାକୁ ଯେତେ ଟିକେଟ୍‌। ପାସ୍‌ ପାଇବାକୁ ହକଦାର୍‌ ବ୍ୟକ୍ତିବିଶେଷଙ୍କ ପାଖରେ ପାସ୍ ପହଞ୍ଚୁନି। କିନ୍ତୁ ମୁଠାମୁଠା ପାସ୍ ଧରି ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିବିଶେଷ ତାହାକୁ ଚଢା ଦରରେ ବିକ୍ରି କରୁଛନ୍ତି। ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ର ଇଏ ହେଉଛି ପୂର୍ବ ଦିନର ସ୍ଥିତି। କ୍ରିକେଟ ପ୍ରେମୀ ସାଧାରଣ ଜନତା ଟିକେଟ୍ ଖଣ୍ଡିଏ ହାତେଇ ଷ୍ଟାଡିୟମ ଭିତରକୁ ପଶିବା ପାଇଁ କସରତ୍ କରୁଥିବା ବେଳେ ଅନ୍ୟପଟେ ସେମାନଙ୍କୁ ଲୁଟିବାକୁ ବାରବାଟୀ ଷ୍ଟାଡିୟମ୍ ଭିତରେ ଏକପ୍ରକାର କ୍ଷେତ୍ର ପ୍ରସ୍ତୁତ ହୋଇଛି। ନିୟମ କରାଯାଇଛି ଯେ ଷ୍ଟାଡିୟମ୍ ଭିତରକୁ କୌଣସି ସାଧାରଣ ଦର୍ଶକ ଖାଦ୍ୟ କି ପାଣି ନେଇ ପାରିବେ ନାହିଁ। ଚିପ୍‌ସ, କୁର୍‌କୁରେ ଇତ୍ୟାଦି ବି ମନା। ଥରେ ଦର୍ଶକ ଭିତରକୁ ପଶିଲେ ଆଉ ଷ୍ଟାଡିୟମ୍ ବାହାରକୁ ଆସି ପାରିବେ ନାହିଁ। ଯଦି ଆସିବେ ଆଉ ଥରେ ତାଙ୍କୁ ପ୍ରବେଶର ସୁଯୋଗ ଦିଆଯିବ ନାହିଁ। ଖେଳାଳିଙ୍କ ସୁରକ୍ଷା ଆଳରେ ଏ ସବୁ ନିୟମର ରହସ୍ୟ ଆଉ ଉଦ୍ଦେଶ୍ୟକୁ ନେଇ ଏବେ ପ୍ରଶ୍ନ ଉଠିଛି।

ନିୟମ କରାଯାଇଛି ଯେ ଲୋକେ ଭିତରକୁ ଖାଦ୍ୟ କି ପାଣି ନେଇ ପାରିବେ ନାହିଁ। କିନ୍ତୁ ଭିତରେ ପଇସା ଦେଇ ଖାଦ୍ୟ ଓ ପାଣି କିଣି ପାରିବେ। ଚିପ୍ସ, କୁର୍‌କୁରେ ଇତ୍ୟାଦି ବି ସେଠାରେ ମିଳିବ। ଏହାର ଉଦ୍ଦେଶ୍ୟ ବି ସହଜରେ କାହାରିକୁ ବୁଝା ପଡୁ ନାହିଁ। ବାହାରୁ ଭିତରକୁ ଯାଉଥିବା ପାଣି ଓ ଖାଦ୍ୟରେ କଣ ବିପଦ ରହିଛି? ବାରବାଟୀର କ୍ଷମତା ୪୪ ହଜାର ବୋଲି କୁହାଯାଉଛି। କିନ୍ତୁ ବାସ୍ତବରେ ୬୦ ହଜାରରୁ ଅଧିକ ଲୋକଙ୍କ ଭିଡ ଜମେ ଷ୍ଟାଡିୟମ ପରିସରରେ। ଗ୍ୟାଲେରି ଭିତରକୁ ପାଣି, ଖାଦ୍ୟ ମନା କରି ଭିତରେ ବିକ୍ରି କରିବା ବ୍ୟବସ୍ଥାରେ ବେପାର ବି ବେଶ୍‌ ଜମେ। ସବୁ ସାମଗ୍ରୀ ଦୁଇ, ତିନି ଗୁଣା ଅଧିକ ଦରରେ ବିକ୍ରି ହୁଏ। ଏମିତିକି ସମୟ ଅବଧି ସରି ଯାଇଥିବା ଖାଦ୍ୟ ସାମଗ୍ରୀ ବି ଏହି ସମୟରେ ବିକ୍ରି ହେବାର ପୂର୍ବରୁ ଉଦାହରଣ ରହିଛି। ମ୍ୟାଚ୍ ଆୟୋଜନ ଦାୟିତ୍ବରେ ଥିବା ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ନିଜ ପସନ୍ଦ ଅନୁଯାୟୀ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିବିଶେଷ ଓ ସଂସ୍ଥାଙ୍କୁ ଖାଦ୍ୟ, ପାଣି, ପାନ, ଚିପ୍ସ, କୁର୍‌କୁରେ, ଥଣ୍ଡା ପାନୀୟ ଇତ୍ୟାଦି ବିକିବାର ଦାୟିତ୍ବ ଦେଇ ଦିଏ।

ଚଢା ଦରରେ ଖାଦ୍ୟ ବିକିବାକୁ ସଂସ୍ଥା ପ୍ରସ୍ତୁତ; ମାନ କି ମୂଲ୍ୟ ଯାଞ୍ଚର ବ୍ୟବସ୍ଥା ନାହିଁ

ଆସନ୍ତାକାଲି ଦର୍ଶକ ଦିନ ୩ଟା ପୂର୍ବରୁ ଗେଟ୍ ବାହାରେ ଧାଡ଼ି ବାନ୍ଧିବେ। ସଂଧ୍ୟା ୭ଟାରେ ଖେଳ ହେବ। ଖେଳ ଶେଷ ହୋଇ ଷ୍ଟାଡିୟମରୁ ବାହାରିବା ବେଳକୁ ରାତି ୧୨। ଏତେ ସମୟ ଦର୍ଶକ ଷ୍ଟାଡିୟମ ଭିତରେ ରହି ଖାଦ୍ୟ, ପାଣି ପାଇଁ ନିଜ ଭିତରେ ଲଢିବେ। ଦୁଇ ତିନିଗୁଣା ଅଧିକ ପଇସା ଦେଇ ଖାଦ୍ୟ କିଣିବେ। ସାଧାରଣ ‌ଦର୍ଶକଙ୍କ ଏଭଳି ଶୋଷଣରେ ମାଲାମାଲ୍ ହେବେ ନିର୍ଦ୍ଦିଷ୍ଟ କିଛି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ସଂସ୍ଥା। ପରୋକ୍ଷରେ ଏଥିରୁ ମିଳୁଥିବା ଲାଭ କାହା ପକେଟ୍‌କୁ ଯିବ, ତାହା ତଦନ୍ତ ସାପେକ୍ଷ।

ଏବେ ମ୍ୟାଚ୍ ଆୟୋଜନକୁ ସୁବ୍ୟବସ୍ଥିତ କରିବା ପାଇଁ କଟକ ମହାନଗର ନିଗମ, ଜିଲ୍ଲା ପ୍ରଶାସନ, ପୁଲିସ ଅଣ୍ଟା ଭିଡି ଦେଇଛନ୍ତି। ସୁରକ୍ଷା ଓ ବ୍ୟବସ୍ଥା ଆଳରେ କିନ୍ତୁ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ସଂପୂର୍ଣ୍ଣ ଆଖିବୁଜି ଦିଆଯାଉଛି। ଷ୍ଟାଡିୟମ୍ ଭିତରେ ବିକ୍ରି ହେବାକୁ ଥିବା ଖାଦ୍ୟ, ପାଣିର ମାନ ଆଉ ଦରକୁ ନିୟନ୍ତ୍ରଣ କରିବା ପାଇଁ କିନ୍ତୁ କେହି ପୂର୍ବରୁ ଉତ୍ତରଦାୟିତ୍ବ ନେଇ ନାହାନ୍ତି କି ଏଥର ଏସବୁର ଦର ନିୟନ୍ତ୍ରଣ ସଂପର୍କରେ ପ୍ରଶାସନ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। କେବଳ ସାଧାରଣ ଲୋକଙ୍କ ଉପରେ କଟକଣା ଲଗାଇ ଦିଆଯାଇଛି। ଓସିଏ ନିଜକୁ ଘରୋଇ ସଂସ୍ଥା ବୋଲି ଦାବି କରି ନିଜ ନିଷ୍ପତ୍ତିରେ କାହାର ହସ୍ତକ୍ଷେପକୁ ବରଦାସ୍ତ କରୁ ନାହିଁ। କିନ୍ତୁ ପୁଲିସ, ପ୍ରଶାସନ ଏଠି ସାଧାରଣ ଲୋକଙ୍କ ସ୍ବାର୍ଥକୁ ଭୁଲି କାହା ସ୍ବାର୍ଥକୁ ସୁରକ୍ଷା ଦେବାରେ ମାତିଛନ୍ତି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି। ବାରବାଟୀରେ ସାଧାରଣ ‌ଦର୍ଶକଙ୍କୁ ଲୁଟିବାକୁ ହୋଇଥିବା କ୍ଷେତ୍ର ପ୍ରସ୍ତୁତିରେ ପୁଲିସ, ପ୍ରଶାସନ ନିଜକୁ ପରୋକ୍ଷରେ ଓସିଏ ସହିତ ସାମିଲ କରିଥିବା ବେଳେ ଆସନ୍ତାକାଲିର ସ୍ଥିତି ଉପରେ ସମସ୍ତଙ୍କ ନଜର ରହିଛି। କଟକ ମହାନଗର ନିଗମ ଏଥର ଗୋଟିଏ ପାଦ ଆଗେଇ ଯାଇ ନିଜର ଏକ କଣ୍ଟ୍ରୋଲ ରୁମ୍ ଖୋଲିଛି। ଏହି କଣ୍ଟ୍ରୋଲ ରୁମ୍ ଷ୍ଟାଡିୟମ ପରିସରରେ ରୁଣ୍ଡ ହେବାକୁ ଥିବା ଦର୍ଶକଙ୍କୁ କି ସେବା ଯୋଗାଇବ, ତାହା ଅବଶ୍ୟ ଆସନ୍ତାକାଲି ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର