ବନ୍ଦ କୋଠରିରୁ ମିଳିଲା ୧୫ କ୍ୱିଣ୍ଟାଲ୍‌ ନଷ୍ଟ ଚାଉଳ

ପଥରପେଣ୍ଠ ପଞ୍ଚାୟତ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା

ବାହାନାଗା: ବନ୍ଦ ଥିବା ପଞ୍ଚାୟତର ଏକ କୋଠରିରୁ ମିଳିଲା ୧୫ କ୍ୱିଣ୍ଟାଲ୍‌ ଚାଉଳ! ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ୍‌ ପଥରପେଣ୍ଠ ପଞ୍ଚାୟତର ନୂଆ ସରପଞ୍ଚ ଭାବେ ଉର୍ମିଳା ପାଣ୍ଡିଆ ଗତ ମାର୍ଚ୍ଚ ମାସ ୧୧ ତାରିଖ ଦିନ ଦାୟିତ୍ୱ ନେଇଥିଲେ। ସେ ପଞ୍ଚାୟତ​ର ଗୋଟିଏ କୋଠରିରେ ତାଲା ପଡ଼ିଥିବା ଦେଖିଥିଲେ। ଯାହାର ଚାବି ପଞ୍ଚାୟତ ଅଧିକାରୀଙ୍କ ପାଖରେ ନଥିଲା। ଫଳରେ ସରପଞ୍ଚ ଶ୍ରୀମତୀ ପାଣ୍ଡିଆ ଏ ନେଇ ବ୍ଲକ୍‌ ଜନଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ କୋଠରିକୁ ଖୋଲିବା ପାଇଁ ନିବେଦନ କରିଥିଲେ। ଫଳରେ ଜିଲ୍ଲାପାଳ କୋଠରି ଖୋଲିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।

ଆଜି ବ୍ଲକ୍‌ର ଜିପିଓ ଗୌରାଙ୍ଗ କମିଳାଙ୍କ ତତ୍ତ୍ବାବଧାନ ଏବଂ ମାଜିଷ୍ଟ୍ରେଟ୍‌ ଅତିରିକ୍ତ ତହସିଲଦାର ଅମ୍ଳାନ କୁମାର ନାୟକ ଓ ପଞ୍ଚାୟତ ଅଧିକାରୀ ମାନସ ରଞ୍ଜନ ସେଠୀଙ୍କ ଉପସ୍ଥିତରେ ଉକ୍ତ କୋଠରିର ଚାବି ଭଙ୍ଗାଯାଇଥିଲା। ଫଳରେ କୋଠରିରେ ୧୫ କ୍ୱିଣ୍ଟାଲ୍‌ ଚାଉଳ ସହ ଦେଢ଼ଶହରୁ ଅଧିକ ଅଖା ଥିବା ଦେଖିବାକୁ ମିଳିଥିଲା। ତେବେ ଚାଉଳଗୁଡ଼ିକ ନଷ୍ଟ ହୋଇଯାଇଛି। ପ୍ରଶ୍ନ ଉଠୁଛି କୋଠରି ଭିତରେ ଏତେ ଚାଉଳ କେଉଁଠି ଆସିଲା? ଚାଉଳ ସବୁ ସେଠାରେ କିଏ ରଖିଲା? ଏନେଇ ତଦନ୍ତ ହେବା ଉଚିତ ବୋଲି ପଞ୍ଚାୟତବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର