ଜାମିନରେ ଆସି ପୁଣି ଶିକାର କରୁଛନ୍ତି ଶିକାରୀ
ସାରା ରାଜ୍ୟରେ ମାଡ଼ିଗଲେଣି ମାଫିଆ
ଟାର୍ଗେଟରେ ନୟାଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ଭବାନୀପାଟଣା, ବରଗଡ଼, ଆଠମଲ୍ଲିକ, କୁଚିଣ୍ଡା
ଭୁବନେଶ୍ବର, (ଶୁଭକାନ୍ତ ପଢ଼ିହାରୀ): ବିପଦରେ ବାଘ ବଂଶ। ଜଙ୍ଗଲରେ ମାତିଛନ୍ତି ଶିକାରୀ। ଅବାଧରେ ଶିକାର କରି ଚାଲିଛନ୍ତି କଲରାପତରିଆ। ସାରା ରାଜ୍ୟରେ ବନ୍ୟଜନ୍ତୁ ମାଫିଆ ସକ୍ରିୟ ହୋଇଗଲେଣି। ଗତ ୧୫ ମାସ ଭିତରେ ୧୫ଟି କଲରାପତରିଆ ଛାଲ ଜବତ ହେବା ଘଟଣାରୁ ଏହା ସ୍ପଷ୍ଟ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ବାଘ ଛାଲ ଜବତ ହେଉଥିବା ବେଳେ ରାକେଟର ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରୁନି ଏସଟିଏଫ୍। ସବୁଠୁ ବଡ଼ କଥା ହେଲା; କେଉଁ ଜଙ୍ଗଲରେ ହତ୍ୟା କରାଯାଉଛି, ଏମାନଙ୍କ ରାକେଟର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, କିଏ ବାଘ ଛାଲ କିଣୁଛି, କିଣିବା ପରେ ଏହା କେଉଁଠି ବିକ୍ରି କରାଯାଉଛି, ସେ ସବୁ ରହସ୍ୟର ଉପରୁ ପରଦା ଉଠାଇ ପାରୁନାହିଁ ଏସଟିଏଫ୍। କେବଳ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିବାରେ ସୀମିତ ରହିଛି କାର୍ଯ୍ୟାନୁଷ୍ଠାନ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଜଙ୍ଗଲ, ଶିମିଳିପାଳ, ସୁନ୍ଦରଗଡ଼, ବରଗଡ଼ର ଦେବ୍ରିଗଡ଼, ନୂଆପଡ଼ା, କଳାହାଣ୍ଡି, ଭବାନୀପାଟଣା, ଅନୁଗୁଳର ଆଠମଲ୍ଲିକ, ସମ୍ବଲପୁରର କୁଚିଣ୍ଡା ଆଦି ଅଞ୍ଚଳରେ କଲରାପତରିଆ ଶିକାରୀ ସକ୍ରିୟ ରହିଛନ୍ତି। ଏହି ସବୁ ଜଙ୍ଗଲରେ ଶିକାର ହେବା ପରେ ଛାଲକୁ ଉତାରିଥାନ୍ତି ଶିକାରୀ। ମୃତଦେହକୁ ଜଙ୍ଗଲରେ ପୋତି ଦେଇଥାନ୍ତି। ଛାଲ ମିଳିବା ପରେ ବିଭିନ୍ନ ଅଞ୍ଚଳରେ ଥିବା ନିର୍ଦ୍ଦିଷ୍ଟ ଏଜେଣ୍ଟ ଓ ମାଫିଆଙ୍କ ସହ ଆରମ୍ଭ ହୋଇଯାଏ ଡିଲ୍। ମାତ୍ର ୧୦ରୁ ୨୦ ହଜାର ଟଙ୍କାରେ ଛାଲକୁ ବିକି ଦେଇଥାନ୍ତି ଶିକାରୀ। ମାଫିଆଙ୍କ ହାତରେ ଛାଲ ପଡ଼ିବା ପରେ ଏହାକୁ ବଡ଼ବଡ଼ିଆ ବ୍ୟକ୍ତି କିମ୍ବା ଅନ୍ତଃରାଜ୍ୟ ମାଫିଆଙ୍କ ସହ ଯୋଗାଯୋଗ କରନ୍ତି। ଏଜେଣ୍ଟଙ୍କଠାରୁ ଅନ୍ତଃରାଜ୍ୟ ମାଫିଆ ଚଢ଼ା ଦରରେ କିଣିବା ପରେ ଏହି ଛାଲକୁ ବିଦେଶକୁ ରପ୍ତାନି କରନ୍ତି। ବିଦେଶରେ ଢେର୍ ଚାହିଦା ଥିବାରୁ ସେମାନେ ଲକ୍ଷାଧିକ ଟଙ୍କାରେ ଛାଲ କିଣିଥାନ୍ତି।
କିନ୍ତୁ ଏହି ରୢାକେଟ୍ର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ଏସଟିଏଫ୍ ପାଇଁ ଏବେ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏସଟିଏଫ୍ ବାଘ ଛାଲ ଜବତ କରୁଥିବା ବେଳେ ଏହା କେଉଁ ଜଙ୍ଗଲରେ ଶିକାର କରାଯାଉଛି ତାହାର ଖବର ବନ ବିଭାଗ ପାଖରେ ପହଞ୍ଚି ପାରୁ ନାହିଁ। ଖାଲି ସେତିକି ନୁହେଁ; ଶିକାରୀଙ୍କ ଉପରେ ନଜର ମଧ୍ୟ ରହୁ ନାହିଁ। ଏହାର ଜ୍ବଳନ୍ତ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି। ୨୦୧୮ ଅକ୍ଟୋବରରେ ବରଗଡ଼ର ଦେବ୍ରିଗଡ଼ ଜଙ୍ଗwଲରେ ଏକ ମହାବଳ ବାଘକୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସତ୍ୟବାନ ସାହୁ ଓ ତାର ସହଯୋଗୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍। କିନ୍ତୁ ୨୦୨୦ ନଭେମ୍ବରରେ କଲରାପତରିଆ ଚମଡ଼ା ସହ ସତ୍ୟବାନ ସହଯୋଗୀଙ୍କ ସହ ପୁଣି ଥରେ ଏସଟିଏଫ୍ ହାତରେ ଧରା ପଡ଼ିଥିଲା। ଜାମିନରେ ଆସି ବନ୍ୟଜନ୍ତୁ ଶିକାରରେ ସକ୍ରିୟ ରହିଥିଲା ସତ୍ୟବାନ। ଯାହା ବନବିଭାଗର ଅପାରଗତାକୁ ପଦାରେ ପକାଇଥିଲା। ଦେବ୍ରିଗଡ଼ ଜଙ୍ଗଲରେ ମହାବଳ ବାଘ ହତ୍ୟା ମାମଲାରେ ବନ ବିଭାଗ ଭୂମିକା ସନ୍ଦେହ ଘେରକୁ ଆସିଥିଲା।
ଅନ୍ୟପକ୍ଷରେ ଏସଟିଏଫ୍ ବନ୍ୟପ୍ରାଣୀ ଅପରାଧ ଉପରେ କାମ କରୁଥିବାରୁ ବିଭାଗରେ ଏକ ଵାଇଲ୍ଡଲାଇଫ୍ ସେକ୍ସନ ଖୋଲା ଯାଇଛି। କ୍ରାଇମବ୍ରା଼ଞ୍ଚରୁ ଏହି ସେକ୍ସନକୁ ଏଠାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସେକ୍ସନରେ ଗୋଟିଏ ରେଞ୍ଜ ଅଫିସର ଓ ଏସିଏଫ୍(ସହକାରୀ ବନ ସଂରକ୍ଷକ) ପଦବି ରହିଛି। ବନ୍ୟପ୍ରାଣୀ ମାମଲାରେ ଅଧିକ ସହାୟତା ଓ କାର୍ଯ୍ୟାନୁଷ୍ଠାନ ସମୟରେ ବନ ବିଭାଗ ସହ ସମନ୍ବୟ ରଖିବା ଉଦ୍ଦେଶ୍ୟରେ ଏହି ସେକ୍ସନ ଖୋଲା ଯାଇଥିଲା। ଏହି ଦୁଇ ପଦବି ବର୍ଷ ବର୍ଷ ଧରି ଫାଙ୍କା ପଡ଼ିଛି। ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକଙ୍କ କହିବା ଅନୁସାରେ, କଲରାପତରିଆ ଶିକାର ହୋଇ ଛାଲ ଡିଲ୍ ବେଳେ ଅଭିଯୁକ୍ତ ଧରାପଡ଼ୁଛନ୍ତି। କିନ୍ତୁ ବାଘ ଶିକାରକୁ ରୋକିବା ସହଜ ହେଉ ନାହିଁ। କେଉଁଠି ଅସୁବିଧା ରହୁଛି ତାହାର ତର୍ଜମା କରାଯିବା ଦରକାର। ଏପରିକି ଏସଟିଏଫ୍ ଓ ବନ ବିଭାଗ ଭିତରେ ସମନ୍ବୟ ରହିବା ଦରକାର। ସେହିପରି ବନ୍ୟଜନ୍ତୁ ହତ୍ୟା ମାମଲାରେ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବ୍ୟବସ୍ଥା ଅଛି। ଯାହା ବନ୍ୟଜନ୍ତୁ ଶିକାର ବୃଦ୍ଧିର ଆଉ ଏକ କାରଣ।
ସୂଚନା ଦେବା ପାଇଁ ଜାରି ହେଲା ମୋବାଇଲ ନମ୍ବର ଏସଟିଏଫ୍ ଆଜି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇ କହିଛି ବନ୍ୟଜନ୍ତୁ ଶିକାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ୨୦୨୦ରେ ୧୨ଟି କଲରାପତରିଆ ଛାଲ, ୬ଟି ହାତୀ ଦାନ୍ତ, ୨ ହରିଣ ଚମଡ଼ା, ୫ କେଜି ବଜ୍ରକାପ୍ତା କାତି ଜବତ ହୋଇଛି। ଦୁଇଟି ଜୀବନ୍ତ ବଜ୍ରକାପ୍ତା ମଧ୍ୟ ଉଦ୍ଧାର କରାଯାଇଛି। ମୋଟ ୧୩ଟି ମାମଲା ରୁଜୁ କରାଯାଇଥିବା ବେଳେ ୨୪ ଜଣଙ୍କୁ ଗିରଫ କରାଯାଇଛି। ବନ୍ୟଜନ୍ତୁ ଅପରାଧ ସମ୍ପର୍କରେ ଖବର ଦେବା ପାଇଁ ଏକ ମୋବାଇଲ୍ ନମ୍ବର(୯୪୩୯୨୬୩୬୪୬) ଜାରି କରିଛି ଏସଟିଏଫ୍। ଯେ କେହି ଏହି ନମ୍ବରରେ ସୂଚନା ଦେଇପାରିବେ। ସୂଚନାଦାତାଙ୍କ ନାମ ଗୋପନ ରଖାଯିବା ସହ ଯଦି ସଫଳତା ମିଳେ ତାହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ ବୋଲି ଏସଟିଏଫ୍ ପକ୍ଷରୁ କୁହାଯାଇଛି।