ସୁବ୍ରତ ସ୍ବାଇଁ
କେନ୍ଦୁଝର: ରାଜ୍ୟର ଖଣି ରାଜଧାନୀ, କେନ୍ଦୁଝର ଜିଲ୍ଲାର ଯୋଡ଼ା ଖଣି ମଣ୍ଡଳ। ଏଠାକାର ରାଜସ୍ବରେ ରାଜ୍ୟ ଚାଲେ। ଖଣି ରାଜସ୍ବରେ ରାଜଧାନୀରେ ନିର୍ମିତ ହୁଏ ଶଙ୍ଖ ମଲମଲ କୋଠା। ହେଲେ ଖଣି ଖାଦାନରେ ନିଜ ଜୀବନକୁ ପାଣି ଛଡ଼ାଇ କାମ କରି ରାଜକୋଷ ଭରୁଥିବା ନିରୀହ ଶ୍ରମିକ ଯେଉଁ ଗରିବକୁ ସେହି ଗରିବ। ଯୋଡ଼ା ଖଣିମଣ୍ଡଳ (ଯୋଡା-ବଡବିଲ୍)ରେ ପାଖାପାଖି ୧୫ ହଜାର ପରିବାରଙ୍କ ମୁଣ୍ଡ ଉପରେ ଏବେ ବି ଛାତ ନାହିଁ। ସରକାରଙ୍କ ସହରାଞ୍ଚଳ ବସ୍ତି ଉନ୍ନୟନ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ। ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ରହିଥିବା ଡିଏମ୍ଏଫ୍ ପାଣ୍ଠିକୁ ବିନର୍ବ୍ୟୟ କରି ବାବୁମାନେ ପକେଟ୍ ଗରମ କରୁଥିବା ବେଳେ ମାଟି ତଳେ କାମ କରୁଥିବା ଶ୍ରମିକଙ୍କ ଜୀବନ ଆଲୋକିତ ହୋଇ ପାରୁନାହିଁ। ସରକାର ଆସିଛି, ଯାଇଛି; ଅନେକ ପ୍ରତିଶ୍ରୁତି ମଧ୍ୟ ମିଳିଛି। ହେଲେ ସେମାନଙ୍କ ଜୀବନଧାରଣର ମାନରେ ସୁଧାର ଆସୁନାହିଁ। ଖଣି ରାଜଧାନୀ କୁବେରପୁରୀର ଭୋକ କେବେ ମେଣ୍ଟିବ ତାହା ଏବେ ବି ଅନିଶ୍ଚିତତା ଭିତରେ ରହିଛି।
ଯୋଡ଼ା ଖଣି ମଣ୍ଡଳରେ ରହିଛି ଦୁଇଟି ପୌରାଞ୍ଚଳ। ଗୋଟିଏ ଯୋଡ଼ା ଏବଂ ଅନ୍ୟଟି ବଡ଼ବିଲ। ଯୋଡ଼ା ଖଣିମଣ୍ଡଳରେ ଥିବା ଖଣିଖାଦାନଗୁଡିକରେ କାମ କରିବାକୁ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରମିକ ଆସି ବର୍ଷ ବର୍ଷ ଧରି ପରିବାର ସହିତ ରହୁଛନ୍ତି। ବର୍ତ୍ତମାନ ସୁଦ୍ଧା ଯୋଡ଼ା ପୌରପାଳିକା ଅଧୀନରେ ୩୬ଟି ବସ୍ତି ରହିଛି। ଏହି ୩୬ଟି ବସ୍ତିରେ ୫ ହଜାର ୬୩୦ଟି ପରିବାର ରହୁଥିବାବେଳେ ସରକାରୀସ୍ତରରେ ଆଜି ସୁଦ୍ଧା ମାତ୍ର ୪୪୪ଟି ପରିବାରକୁ ଆବାସ ଯୋଜନାରେ ଘର ଯୋଗାଇଦେବା ପାଇଁ ବ୍ୟବସ୍ଥା ହୋଇଛି। ଅଦ୍ୟାବଧି ମାତ୍ର ୩୪୨ଟି ଘର ସଂପୂର୍ଣ୍ଣ ହୋଇଥିବା ବେଳେ ୧୦୨ଟି ଘର ଅସଂପୂର୍ଣ୍ଣ ଅବସ୍ଥାରେ ରହିଛି। ଅର୍ଥାତ ଯୋଡ଼ା ପୌରପାଳିକାରେ ଥିବା ମୋଟ୍ ୩୬ଟି ବସ୍ତିର ୫୬୩୦ଟି ପରିବାର ମଧ୍ୟରୁ ଆଜି ସୁଦ୍ଧା ୫୨୮୮ଟି ପରିବାରର ମୁଣ୍ଡ ଉପରେ ଛାତ ନାହିଁ। ମାତ୍ର ୩୪୨ ପରିବାର ମୁଣ୍ଡ ଉପରେ ଛାତ ରହିଛି। ସେମିତି ବଡ଼ବିଲ ପୌରାଞ୍ଚଳରେ ଥିବା ବସ୍ତିଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଦୟନୀୟ।
ଏଠାରେ ମୋଟ୍ ୪୩ଟି ବସ୍ତି ରହିଛି। ଏହି ବସ୍ତିଗୁଡ଼ିକରେ ୧୦,୬୪୩ଟି ପରିବାର ରହୁଛନ୍ତି। ଏମାନଙ୍କ ମଧ୍ୟରୁ ସରକାରୀସ୍ତରରେ ମାତ୍ର ୫୫୬ ଜଣ ଆବାସ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେଥିରୁ ୪୯୮ଟି ଆବାସ ସଂପୂର୍ଣ୍ଣ ହୋଇଛି। ଏଠାରେ ମୋଟ ୧୦୪୬୩ଟି ପରିବାର ମଧ୍ୟରୁ ୧୦୧୪୫ଟି ପରିବାର ମୁଣ୍ଡ ଉପରେ ଛାତ ନାହିଁ। ମୋଟ ଉପର ଯୋଡ଼ା ଏବଂ ବଡ଼ବିଲ ପୌରପାଳିକାରେ ୧୫,୪୩୩ ପରିବାରର ମୁଣ୍ଡ ଉପରେ ଛାତ ନାହିଁ। ବସ୍ତିରେ ଥିବା ପରିବାର ମୁଣ୍ଡରେ ଛାତ ନ ଥିବାରୁ ପାଣି ଟୋପେ ପାଇବା ସ୍ବପ୍ନ ହୋଇଛି। ଏହି ସବୁ ବସ୍ତିକୁ ସରକାରୀସ୍ତରରେ ଦିନକୁ ମାତ୍ର ଥରୁଟିଏ ପାଣି ଯୋଗାଇ ଦିଆଯାଉଛି। ଏ ପର୍ଯ୍ୟନ୍ତ ଏଠାରେ ୨୪ ଘଣ୍ଟିଆ ପାଣି ଯୋଗାଣ ବ୍ୟବସ୍ଥା ହୋଇନାହିଁ। ରାସ୍ତାଘାଟ ସହିତ ଜୀବନଧାରଣର ଅନ୍ୟ ଦିଗ ସବୁ ପ୍ରାୟତଃ ଏଠାରେ ଅଧୁରା।