ତେଲେଙ୍ଗାନା ଇଟାଭାଟିରେ ବନ୍ଧକ ଅଛନ୍ତି ୧୫ ଶ୍ରମିକ

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ  ଜଗଦଲପୁର ଥାନା ଲହଙ୍ଗେର ଗ୍ରାମର ମହିଳା, ଛୋଟଛୁଆଙ୍କ ସମେତ ୧୫ ଜଣ ଦଳିତ ଶ୍ରମିକ ଏକ ବର୍ଷରୁ ଅଧିକ ହେବ ତେଲେଂଗାନାର ପଦୋପଲ୍ଲୀ ଜିଲ୍ଲା ଗରୁଡ଼ପେଟ ଇଟାଭାଟି ମାଲିକଙ୍କଠାରେ ବନ୍ଧକ ଅଛନ୍ତି। କରୋନା ମହାମାରୀ ସମୟରେ ସେମାନେ ନିଜ ଭିଟାମାଟିରୁ ଫେରିବା ପାଇଁ ଚାହିଥିଲେ ହେଁ ଭାଟି ମାଲିକ ସେମାନଙ୍କୁ ଧମକଚମକ ଦେଇ ଓ ଭୟଭୀତ କରି ଛାଡ଼ି ନ ଥିବା ପରିବାର ଲୋକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରାଯାଇଛି। ସେମାନଙ୍କୁ ଫେରାଇ ଆଣିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି।

ଶୁଭାସିନୀ ତାଣ୍ତି ନାମକ ମହିଳା ଜିଲ୍ଲାପାଳଙ୍କୁ କରିଥିବା ଅଭିଯୋଗ ଅନୁସାରେ ବଲାଙ୍ଗୀର ଜିଲ୍ଲା ଲାଠୋର ଗ୍ରାମର ଦାଦନ ସର୍ଦ୍ଦାର ମଜିତ ଖାଁ ଲହଙ୍ଗେର ଗ୍ରାମକୁ ଆସି ଅଧିକ ରୋଜଗାରର ପ୍ରଲୋଭନ ଦେଖାଇ ଏହି ଦାଦନ ପରିବାରଙ୍କୁ ୩୦ ହଜାର ଟଙ୍କା ଅଗ୍ରୀମ ଦେଇଥିଲା। ଲୋଭରେ ପଡ଼ି ଗରିବ ଦଳିତ ପରିବାର ଲୋକମାନେ ତେଲେଙ୍ଗାନା ଯାଇଥିଲେ। ସେଠାରେ ଇଟାଭାଟି ମାଲିକ ପାଖରେ ଦାଦନ ଶ୍ରମିକ ଭାବରେ ଇଟା ଗଢ଼ିବା କାମ କରୁଛନ୍ତି। ବନ୍ଧକ ଥିବା ଶ୍ରମିକମାନେ ହେଲେ ପ୍ରସନ୍ନ ତାଣ୍ତି, ଦିବାକର ସୁନା, ଜଗନ୍ନାଥ ସୁନା, ଦେବାର ତାଣ୍ତି, ବିଶାଖା ତାଣ୍ତି, ସୀତା ଲୁହାର, କମଳା ଶିକା, ବିଜୟ ତାଣ୍ତି( ୧୨), ବିଜୟା ତାଣ୍ତି (୬), ଲକି ଲୁହାର( ୫), ବିକି ଲୁହାର (୧୦) ସହ ଅନ୍ୟମାନେ। ସେମାନଙ୍କୁ ଶୀଘ୍ର ଭିଟାମାଟିକୁ ଫେରାଇ ଆଣିବା ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ଭୁବନେଶ୍ବର ଶ୍ରମ କମିସନରଙ୍କୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର