ଭୁବନେଶ୍ବର: ଗାଁ ଗହଳିରେ ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ଭାବେ ଅଭିହିତ କରାଯାଏ। କାରଣ ଭଗବାନଙ୍କ ଭଳି ଡାକ୍ତରମାନେ ବି ରୋଗୀକୁ ଯନ୍ତ୍ରଣା ଓ ରୋଗମୁକ୍ତ କରିଥା’ନ୍ତି। ଏଣୁ ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ। ଯେଉଁ ବ୍ରତ ଦିନେ ବା ଦୁଇ ଦିନର ନୁହେଁ; ସାରା ଜୀବନ ପାଇଁ ନିଆଯାଉଥିବା ନିୟମ, ପ୍ରବୃତ୍ତି ଓ ଅନୁଶାସନର ଏକ ଶୃଙ୍ଖଳ। ଡାକ୍ତରମାନେ ଚିକିତ୍ସା ଓ ଗବେଷଣା ପାଇଁ ଅନେକ ପୁରସ୍କାର ପାଉଥିଲେ ବି ‌ସେବା ଦ୍ବାରା ରୋଗୀ ମୁହଁରେ ଫୁଟି ଉଠିଥିବା ହସ ହିଁ ଡାକ୍ତରଟିଏ ପାଇଁ ପ୍ରକୃଷ୍ଟ ପୁରସ୍କାର। ଆଜି ଭୁବନେଶ୍ବର ଏମ୍‌ସର ପଞ୍ଚମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। ଭାରତୀୟ ସମାଜରେ ସେବାର ସ୍ଥାନ ସର୍ବୋତ୍କୃଷ୍ଟ ହୋଇଥିବା ବେଳେ ଡାକ୍ତରମାନେ କେବଳ ସେଥିରେ ହିଁ ମନୋନିବେଶ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ।
Advertisment
ଝିଅମାନଙ୍କୁ ଡାକ୍ତରୀ କ୍ଷେତ୍ରକୁ ଆସିବା ପାଇଁ ଆହ୍ବାନ ଦେଇ ଶ୍ରୀମତୀ ମୁର୍ମୁ କହିଥିଲେ, ମା’ ଓ ଭଉଣୀମାନେ ସେବାର ପ୍ରତୀକ। ଏଣୁ ଝିଅମାନେ ଡାକ୍ତରୀ ପାଠ ପଢ଼ିଲେ, ସେବା ଓ ଯତ୍ନ ବ୍ୟାପକ ହେବ। 
ରାଷ୍ଟ୍ରପତି କହିଥିଲେ, ମାନସିକ ଅବସାଦ ଆଜିର ସମାଜରେ ଏକ ବଡ଼ ସମସ୍ୟା ପାଲଟିଛି। ଅବସାଦର ଚିକିତ୍ସା ପାଇଁ ଔଷଧ ବ୍ୟତୀତ ସଚେତନତା ମଧ୍ୟ ଜରୁରି। ଜୀବନ‌ଶୈଳୀରେ ପରିବର୍ତ୍ତନ ଦ୍ବାରା ମାନସିକ ଶାନ୍ତି ମିଳିପାରିବ। ଯୋଗ ଓ ପ୍ରାଣାୟାମ ମାନସିକ ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇପାରିବ। ସୁସ୍ଥ ଜୀବନଶୈଳୀର ଲାଭ ବିଷୟରେ ଲୋକମାନଙ୍କୁ ସଚେତନ କରିବା ଲାଗି ସେ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଜୀବନଶୈଳୀ ରୋଗ ମେଦବହୁଳତା ପାଇଁ ଚିନ୍ତାପ୍ରକଟ କରି ରାଷ୍ଟ୍ରପତି କହିଥିଲେ, ଶୃଙ୍ଖଳିତ ଜୀବନଯାପନ, ଖାଦ୍ୟାଭ୍ୟାସରେ ସୁଧାର ଓ ନିୟମିତ ବ୍ୟାୟାମ ଜରିଆରେ ଏହି ରୋଗରୁ ମୁକ୍ତି ପାଇବା ସମ୍ଭବ। ଏହି ପ୍ରସଙ୍ଗରେ ମଧ୍ୟ ଡାକ୍ତରମାନେ ସମାଜରେ ସଚେତନତା ସୃଷ୍ଟି କରିବାକୁ ସେ ଆହ୍ବାନ ଦେଇଥିଲେ। 
ସ୍ଥାନୀୟ ସମସ୍ୟା ସମାଧାନ ଉପରେ ଗୁରୁତ୍ବ ଦେଇ ଶ୍ରୀମତୀ ମୁର୍ମୁ କହିଥିଲେ, ଆଦିବାସୀ ସମାଜରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ ଓ ସିକଲ୍‌ସେଲ୍‌ ଆନେମିଆର ପ୍ରାବଲ୍ୟ ଦେଖିବାକୁ ମିଳୁଛି। ସରକାର ଏହି ଦୁଇଟି ରୋଗର ନିରାକରଣ କ୍ଷେତ୍ରରେ ଅନେକ ପଦକ୍ଷେପ ନେଇଛନ୍ତି। ଏସବୁ ରୋଗର ଚିକିତ୍ସା ପାଇଁ ଡାକ୍ତରମାନେ ଅଧିକରୁ ଅଧିକ ଗବେଷଣା କରିବା ଉଚିତ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଯୋଗ ଦେଇ କହିଥିଲେ, ଭୌଗୋଳିକ ଅବସ୍ଥାନ ଓ ଆର୍ଥିକ ସ୍ଥିତି ନିର୍ବିଶେଷରେ ସମସ୍ତଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଏମ୍‌ସ ଭୁବନେଶ୍ବର ସୁନାମ ହାସଲ କରିଛି। କରୋନା ସମୟରେ ରୋଗ ଚିହ୍ନଟ, ପରୀକ୍ଷା‌, ଚିକିତ୍ସା, ଟିକାକରଣ ଓ ଜନସାଧାରଣଙ୍କୁ ସଚେତନ କରିବା ଆଦି ସମସ୍ତ କ୍ଷେତ୍ରରେ ଏମ୍‌ସ, ଭୁବନେଶ୍ବରର ଭୂମିକା ପ୍ରଶଂସନୀୟ। କେବଳ ଡାକ୍ତରୀ କ୍ଷେତ୍ରରେ ଉତ୍କର୍ଷତା ନୁହେଁ, ସାମାଜିକ ଦାୟିତ୍ବବୋଧ କ୍ଷେତ୍ରରେ ମଧ୍ୟ ଏହି ଅନୁଷ୍ଠାନ ଏକ ଆଦର୍ଶ। ଆଜିର ଡିଜିଟାଲ୍‌ ରୂପା‌ନ୍ତର ଯୁଗରେ ମାଟି ସହ ଯୋଡ଼ି ହୋଇ ରହିବା ଏକ ବଡ଼ ଆହ୍ବାନ ହୋଇଥିବା ବେଳେ ନୂଆ ଡାକ୍ତରମାନଙ୍କୁ ମାନବିକତା ପାଇଁ ବଞ୍ଚିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।  
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିଥି ଭାବେ ଯୋଗ ଦେଇ କହିଲେ, ଏମ୍‌ସ ଭୁବନେଶ୍ବରର ଏହା ଭିତରେ ଡିଜିଟାଲ୍‌ ରୂପାନ୍ତରଣ ହୋଇଥିବା ବେଳେ ସ୍ବାସ୍ଥ୍ୟସେବାରେ ଅତ୍ୟାଧୁନିକ ହୋଇପାରିଛି। ଇ-ପେମେଣ୍ଟ୍‌ ସୁବିଧା ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ସ୍ବାସ୍ଥ୍ୟସେବା ସହଜ ଉପଲବ୍ଧ ହୋଇପାରିଛି। ଡାକ୍ତରୀ ଶିକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଡାକ୍ତରୀ ବୃତ୍ତିରେ ଆପଣମାନେ ପ୍ରବେଶ କରୁଥିବା ବେଳେ ଏତିକି ମନେ ରଖନ୍ତୁ ଯେ ଏ ସମାଜ ଆପଣମାନଙ୍କଠାରୁ ଆପଣଙ୍କ ଜ୍ଞାନ, କରୁଣା ଓ ନିଷ୍ଠା ଆଶା ରଖୁଛି। ଆପଣମାନେ କେବଳ ପୋଥିଗତ ଜ୍ଞାନ ବହନ କରୁନାହାନ୍ତି, ଲକ୍ଷ ଲକ୍ଷ ଲୋକଙ୍କ ଆଶା ଓ ସୁସ୍ଥତା ବି ବହନ କରନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଦୁଇ ଦଶନ୍ଧି ପୂର୍ବରୁ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏମ୍‌ସ୍‌ ଭୁବନେଶ୍ୱର ମେଡିକାଲ୍ ଶିକ୍ଷା ଓ ଗବେଷଣା ପ୍ରଦାନ କ୍ଷେତ୍ରରେ ଉତ୍କର୍ଷତାର ଏକ ‘ବଟ୍ଟବୃକ୍ଷ’ରେ ପରିଣତ ହୋଇଛି। ଏହା ଅନେକଙ୍କ ସ୍ୱପ୍ନକୁ ପୂରଣ କରିବା ସହ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରୁଛି। ଉତ୍ତମ ସ୍ୱାସ୍ଥ୍ୟ; ପ୍ରଗତି ଓ ସମୃଦ୍ଧିର ମୂଳଦୁଆ ପକାଏ। ଜାତୀୟ ବିକାଶରେ ଆମର ସ୍ୱାସ୍ଥ୍ୟସେବା ବୃତ୍ତିଧାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶେଷ କରି ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହି ବର୍ଗର ବୃତ୍ତିଧାରୀଙ୍କ ବଡ଼ ଅବଦାନ ରହିବ। 
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇଥିଲେ। ଏମ୍‌ସ୍‌ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ସ୍ବାଗତ ଭାଷଣ ଦେଇଥିଲେ। ଏମ୍‌ସ୍‌ ଅଧ୍ୟକ୍ଷ ଶୈଳେଶ କୁମାର ଉପସ୍ଥିତ ଥିଲେ। ଡିନ୍ ପି ଆର୍ ମହାପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସମାରୋହରେ ଏମ୍‌ସ୍‌ ଭୁବନେଶ୍ୱରର ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ୩୧ ଜଣ ଛାତ୍ରଛାତ୍ରୀଙ୍କୁ ୫୯ ଟି ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ଚିତ୍‌ଲୁରୀ ନେହା ଓ ମେଧା ମେନନ୍‌ଙ୍କୁ ଶ୍ରେଷ୍ଠ ଏମ୍‌ବିବିଏସ୍ ସ୍ନାତକ ଭାବେ ପୁରସ୍କୃତ କରାଯାଇଥିବା ବେଳେ ମୃଣ୍ମୟୀ ମଣ୍ଡଳ ଓ ପ୍ରିୟଙ୍କା ସିଂହଙ୍କୁ ଶ୍ରେଷ୍ଠ ବିଏସସି (ଅନର୍ସ) ନର୍ସିଂ ସ୍ନାତକ ଭାବରେ ସମ୍ମାନିତ କରାଯାଇଥିଲା।
ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି: ରାଜ୍ୟ ସରକାରଙ୍କ ବିରୋଧରେ ଫେରାଦ, ରାଜଭବନରେ ଭେଟିଲେ ବିଜେଡି, କଂଗ୍ରେସ
ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମ୍‌ସରେ ଚିକିତ୍ସାଧୀନ ଫକୀରମୋହନ କଲେଜର ପୀଡ଼ିତା ଛାତ୍ରୀଙ୍କୁ ଭେଟିଛନ୍ତି। ତାଙ୍କର ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିଥିଲେ। ସବୁ ପ୍ରକାର ଉନ୍ନତମାନର ଚିକିତ୍ସା ଯୋଗାଇଦେବାକୁ ସେ ପରାମର୍ଶ ଦେଇଥିଲେ। ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ ରାଷ୍ଟ୍ରପତି କଥା ହୋଇଥିଲେ। ଏହି ସମୟରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଆଜି ପୂର୍ବାହ୍ନରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏମ୍‌ସ ଯାଇ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଥିଲେ। 
ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ଦୁଇ ଦିନ ହେଲା ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଉଭୟ ଦଳ ଗତକାଲି ସମୟ ମାଗିଥିଲେ। ରାଷ୍ଟ୍ରପତି ଭବନ ପକ୍ଷରୁ ଉଭୟ ଦଳର ତିନି ଜଣ ଲେଖାଏଁ ପ୍ରତିନିଧିଙ୍କୁ ମଧ୍ୟ ସମୟ ଦିଆଯାଇଥିଲା। ସେହି ଅନୁଯାୟୀ ରାଜଭବନରେ ବିଜେଡି ଓ କଂଗ୍ରେସର ପ୍ରତିନିଧି ଦଳ ପୃଥକ ଭାବେ ଭେଟି ରାଜ୍ୟ ସରକାରଙ୍କ ବିରୋଧରେ ଫେରାଦ ହୋଇଥିଲେ। ସରକାର ଓ ପ୍ରଶାସନର ଅପାରଗତା ଯୋଗୁ ଏପରି ଅଭାବନୀୟ ଘଟଣା ଘଟିଲା ବୋଲି ଅଭିଯୋଗ କରି ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ରାଜ୍ୟରେ ମହିଳା ବିରୋଧୀ ଅତ୍ୟାଚାର ରୋକିବାକୁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।
ବିଜେଡି ପ୍ରତିନିଧି ଦଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ସାଂସଦ ସୁଲତା ଦେଓ ସାମିଲ ହୋଇଥିଲେ। ସେମାନେ କହିଥିଲେ, ଫକୀରମୋହନ କଲେଜର ଜଣେ ବିଇଡି ଛାତ୍ରୀଙ୍କୁ ନିଜ ବିଭାଗୀୟ ପ୍ରଫେସର ଦୀର୍ଘ ୬ ମାସ ଧରି ମାନସିକ ନିର୍ଯାତନା ଦେବା ସହ ଶାରୀରିକ ଅନୁଗ୍ରହ ପାଇଁ ବାଧ୍ୟ କରୁଥିଲେ। ଛାତ୍ରୀଜଣକ କଲେଜ ଅଧ୍ୟକ୍ଷ, ସ୍ଥାନୀୟ ସାଂସଦ ଓ ପୁଲିସକୁ ଜଣାଇଲା ପରେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲା ନାହିଁ। ପ୍ରଶାସନ, ପୁଲିସ ଓ ସରକାରଙ୍କ ପକ୍ଷରୁ କୌଣସି ସହାୟତା ନ ମିଳିବାରୁ ଗତ ୧୨ ତାରିଖ‌ରେ କଲେଜ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସାମନାରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। କେବଳ ଏହି ଗୋଟିଏ ଘଟଣା ନୁ‌ହେଁ, ରାଜ୍ୟରେ ଲଗାତାର ଭାବେ ମହିଳାଙ୍କ ବିରୋଧରେ ହିଂସା ବଢ଼ିଚାଲିଛି। ଜୁନ୍‌ ୧୫ ତାରିଖ ରଜ ସଂକ୍ରାନ୍ତିରେ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଆସିଥିବା ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ବନ୍ଧୁଙ୍କ ସାମନାରେ ୧୦ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିଲେ। କିଛି ଦିନ ତଳେ ଶାସକ ଦଳର ବିଧାୟକ ସନ୍ତୋଷ ଖଟୁଆ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବ୍ୟକ୍ତିଗତ ଚରିତ୍ର ସଂହାର କରି କୁତ୍ସିତ ଓ ଅଶୋଭନୀୟ ଭାଷା ବ୍ୟବହାର କରିଥିଲେ। ସେହିଭଳି କିଛି ଦିନ ତଳେ କେନ୍ଦୁଝରଜିଲ୍ଲା ତେନ୍ତେଳାପଶି ଗ୍ରାମରେ ଜଣେ ୧୭ ବର୍ଷର ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଟାଙ୍ଗି ଦେବା ଘଟଣା ସାରା ରାଜ୍ୟକୁ ବିଚଳିତ କରିଥିଲ। ପ୍ରତ୍ୟେକ ଦିନ ରାଜ୍ୟରେ ହାରାହାରି ୧୫ଟି ଦୁଷ୍କର୍ମ ଘଟଣା ଘଟିବା ରାଜ୍ୟର ମହିଳା ବିରୋଧୀ ହିଂସାକୁ ଦର୍ଶାଉଛି। ସେହିପରି ରାଜ୍ୟରେ ଗତ ଏକ ବର୍ଷ ମଧ୍ୟରେ ମହିଳା ବିରୋଧୀ ହିଂସାରେ ଦୋଷୀ ସାବ୍ୟସ୍ତ ହାର ୫.୫୭ ପ୍ରତିଶତ ରହିଛି, ଯାହାକି ଦେଶରେ ସର୍ବନିମ୍ନ। 
କଂଗ୍ରେସ ପ୍ରତିନିଧି ଦଳରେ ପିସିସି ସଭାପତି ଭକ୍ତଚରଣ ଦାସ, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ସାମିଲ ହୋଇଥିଲେ। ସେମାନେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ ଯେ ରାଜ୍ୟରେ ମହିଳା ବିରୋଧୀ ହିଂସା ସାଂଘାତିକ ଭାବେ ବଢ଼ିଚାଲିଛି। ଏହାର ଚରମ ପରିଣତି ଫକୀରମୋହନ କଲେଜରେ ଦେଖିବାକୁ ମିଳିଛି। ଛାତ୍ରୀଙ୍କୁ ବିଭାଗୀୟ ଏଚ୍‌ଓଡିଙ୍କ ନିର୍ଯାତନା ଅସହ୍ୟ ହେବାରୁ ସେ ସବୁ ସ୍ତରରେ ଅଭିଯୋଗ କରିଥିଲେ। ନ୍ୟାୟ ପାଇଁ ଲଢ଼େଇ କରିଥିଲେ। କିନ୍ତୁ ତାଙ୍କୁ ନ୍ୟାୟ ମିଳିଲାନି। ଫଳରେ ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ। ସାରା ଦେଶ ଏହି ଘଟଣାରେ ସ୍ତବ୍ଧ ହୋଇ ଯାଇଥିବାବେଳେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। ରାଷ୍ଟ୍ରପତି ଏହି ଘଟଣାରେ ହସ୍ତକ୍ଷେପ କରି ରାଜ୍ୟ ସରକାରଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ କଂଗ୍ରେସ ନେତା ଦାବି କରିଥିଲେ।