ଭୁବନେଶ୍ବର: ବାପାମାଆ ହେଉଛନ୍ତି ଭାଗବାନଙ୍କ ପ୍ରତିନିଧି। ସେମାନେ ଆମକୁ ଏହି ଦୁନିଆକୁ ଆଣିଛନ୍ତି। ବାପାମାଆଙ୍କ ଆଶୀର୍ବାଦ ଥିଲେ ପିଲାମାନେ ଜଗତଜିତା ହୋଇପାରିବେ। ପିଲାମାନଙ୍କ ସଫଳତାରେ ସବୁଠାରୁ ବେଶି ଖୁସି ହୋଇଥାନ୍ତି ବାପାମାଆ। ସେମାନଙ୍କ ଋଣ ଆମେ ସୁଝିପାରିବା ନାହିଁ। ଜୀବନରେ ଯେତେ ସଫଳ ହେଲେ ମଧ୍ୟ ବାପାଙ୍କ ତ୍ୟାଗ ଓ ତପସ୍ୟାର ମୂଲ୍ୟ ଅକଳନୀୟ। ବାପାଙ୍କ ପ୍ରତି କୃତଜ୍ଞ ରହିଲେ ପିଲାମାନେ ସଫଳ ହୋଇପାରିବେ। ‘ସମ୍ବାଦ ଡିଜିଟାଲ’ ପକ୍ଷରୁ ରେଳ ଅଡିଟୋରିୟମ୍‌ରେ ଆୟୋଜିତ ‘ମାଇଁ ଫାଦର୍‌ ମାଇଁ ହିରୋ’ର ପଞ୍ଚମ ସଂସ୍କରଣ ସମାରୋହରେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା‌ ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

Advertisment

ବର୍ତ୍ତମାନ ସମୟରେ ବାପାମାନଙ୍କ ଉପରେ ପିଲାମାନେ କରୁଥିବା ଅତ୍ୟାଚାର ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଲେ, ବାପା ଯଦି ସଫଳ ହୁଅନ୍ତି ତେବେ ପିଲାଙ୍କ ଉପରେ ଚାପ କମ୍‌ ରୁହେ। ସେହି ପିତାମାତା ଭାଗ୍ୟବାନ, ଯେଉଁମାନେ ନିଜ ପିଲାଙ୍କଠାରୁ ଆଦର ଯତ୍ନ ପାଇଥାନ୍ତି। ମନରେ ଅହଂଭାବ ନରଖି ନିସ୍ବାର୍ଥପର ଭାବେ ପିତାମାତାଙ୍କର ସେବା କରିବା ଆବଶ୍ୟକ। ପିତାମାତାଙ୍କ ଉପରେ ପିଲାମାନେ ତଥା ପିଲାଙ୍କ ଉପରେ ପିତାମାତା କରୁଥିବା ଅତ୍ୟାଚାରର ଖବର ଖବରକାଗଜର ଶିରୋନାମା ପାଲଟୁଛି। ଆମ ସମାଜରେ ବାପାମାଆ କେତେ ଅବହେଳିତ ତାହା ଏଥିରେ ଅନୁମେୟ। ଏନେଇ ସଚେତନତା ସୃଷ୍ଟି ହେବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ କହିଲେ, ‘ସମ୍ବାଦ’ ସବୁ ସମୟରେ ଏଭଳି ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କୁ ଲୋକଙ୍କ ସହିତ ଯୋଡ଼ିଥାଏ। ସବୁଠାରୁ ଖୁସିର କଥା ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀମାନେ ବହୁମାତ୍ରାରେ ଅଂଶଗ୍ରହଣ କରୁଛନ୍ତି। ବାପାଙ୍କ ପ୍ରତି ନିଜର କର୍ତ୍ତବ୍ୟକୁ ପିଲାମାନେ ଆଦୌ ଭୁଲିବା ଉଚିତ ନୁହେଁ ବୋଲି ସେ କହିଥିଲେ।

ଆମଓଡ଼ିଶା ପବ୍ଲିକେସନ୍‌ ତଥା ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି କହିଲେ, ବାପା ଯେତେବେଳେ ବଞ୍ଚିଥାନ୍ତି, ତାଙ୍କର ମହତ୍ତ୍ବକୁ ବୁଝିହୁଏ ନାହିଁ। ବାପାଙ୍କ ଅନୁପସ୍ଥିତିରେ ତାଙ୍କର ଗୁରୁତ୍ବ ଅନୁଭବ ‌ହୁଏ। ପିତା ଆକାଶଠାରୁ ବଡ଼ ଓ ମାଆ ପୃଥିବୀ ବା ମାଟିଠାରୁ ବଡ଼। ଆମେ ମାଟିକୁ ଯେତେ ଗୁରୁତ୍ବ ଦେଉ, ଆକାଶକୁ ସେତେ ଦେଉନା। ଯିଏ ଆମକୁ ଜନ୍ମଦିଏ, ଗୁଜୁରାଣ ମେଣ୍ଟାଏ, ଭୟରୁ ରକ୍ଷା କରେ ସେ ହେଉଛନ୍ତି ବାପା। ଏଣୁ ବାପା ସବୁ ସମୟରେ ସ୍ମରଣୀୟ ବୋଲି କହିଥିଲେ। ‘ସମ୍ବାଦ’ର ପ୍ରକାଶକ ତଥା ସିଓଓ କମଳାକାନ୍ତ ମହାପାତ୍ର, ସମ୍ବାଦ ଡିଜିଟାଲ ମାର୍କେଟିଂ ହେଡ୍‌ ଲିଙ୍ଗରାଜ ଲେଙ୍କା ଉପସ୍ଥିତ ରହିଥିଲେ। ଏହି ଅବସରରେ ଡ୍ରିମ୍‌ସ ୟୁନିଭର୍ସିଟିର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ପ୍ରମୋଦ ରଥ ଓ ଉତ୍କଳ ବିଲ୍‌ଡର୍ସ ଲିମିଟେଡ୍‌ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସୁବାସ ଭୁରାଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ବାପାଙ୍କୁ ସ୍ମରଣ କରିବା ଦ୍ବାରା ଏହା ସଫଳ ହୋଇଥାଏ ବୋଲି ଶ୍ରୀ ଭୁରା କହିଥିଲେ। ଶ୍ରୀ ରଥଙ୍କ ଅନୁପସ୍ଥିତିରେ ତାଙ୍କ କନ୍ୟା ଚିନ୍ମୟୀ ରଥ ସମ୍ମାନ ଗ୍ରହଣ କରିଥିଲେ। ସେ କହିଲେ ମୋ ବାପା ତାଙ୍କ ବାପାଙ୍କ ନାମରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି। ବାପାଙ୍କ ପାଇଁ ଏଭଳି ସମ୍ମାନ ପ୍ରତ୍ୟେକ ପିଲାଙ୍କ ମନରେ ରହିବା ଜରୁରି।

ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମର ସହଯୋଗୀ ‘ହେନିଫ୍ରେସ୍‌’ର ନିର୍ଦ୍ଦେଶକ ଚୌଧୁରୀ ଦେବବ୍ରତ ସାହୁ, ପରିଚାଳନା ନିର୍ଦ୍ଦେଶକ ଏସ୍‌ବି ଦେବଦତ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ କାନାରା ବ୍ୟାଙ୍କର ଡିଭିଜନାଲ‌୍ ମ୍ୟାନେଜର୍‌ ସନ୍ତୋଷ କୁମାର ଦାସ, ୩୨ଜେମ୍‌ସର ନିର୍ଦ୍ଦେଶକ ମିଲନ କୁମାର, କେୟାର୍‌ ହସ୍ପିଟାଲ୍‌ର ଆସୋସିଏଟ୍‌ ଭାଇସ୍‌ ପ୍ରେସିଡେଣ୍ଟ ଲୋକନାଥ ଦାଶ, ସଞ୍ଜୟ ଇଲେକ୍ଟ୍ରୋନିକ୍ସ ପ୍ରୋପ୍ରାଇଟର୍‌ ମିହିର ଦାସ, ଭେଦିକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଟ୍ୟୁସନ୍‌ସର ଫ୍ୟାକଲ୍ଟି ଜଗଦୀଶ ଭଗତ, କାର୍‌ ବଜାରର ବ୍ୟବସାୟିକ ମୁଖ୍ୟ ସୁମିତ କୌରଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଲକି ଡ୍ର ଉଠାଣ‌ରେ ବହୁ ପ୍ରତିଯୋଗୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା। ଏହି ଉପହାର ମଧ୍ୟରେ ସୁବ୍ରତ ଜୁଏଲର୍ସ ପକ୍ଷରୁ ୧୦ଟି ରୁପା କଏନ୍‌, ମୋବାଇଲ୍‌ ୭ ପକ୍ଷରୁ ୧୦ଟି ବ୍ଲ୍ୟୁଟୁଥ୍‌ ନେକ୍‌ବ୍ୟାଣ୍ଡ, କୁବେର ଅପ୍‌ଟିକାଲ୍‌ସ ପକ୍ଷରୁ ୬ଟି ସନ୍‌ଗ୍ଲାସ୍‌, ଫିଜିକ୍ସୱାଲା ପକ୍ଷରୁ ୪ଟି ଗିଫ୍‌ଟ ହାମ୍ପର, ଡିଜିଟାଲ୍‌ ହାଉସ୍‌ ପକ୍ଷରୁ ୨ଟି ସ୍ମାର୍ଟଫୋନ୍‌, ବାଲାଜୀ ଇାଲେକ୍ଟ୍ରୋନିକ୍ସ ପକ୍ଷରୁ ଗୋଟିଏ ଆଇରନ୍‌ ଓ ଗୋଟିଏ ସ୍ମାର୍ଟ ଟିଭି ଉପହାର ଭାବେ ପ୍ରଦାନ କରାଯାଇଥିଲା। ଅକ୍ଷିତା ମହାନ୍ତି ଭାଗ୍ୟଶାଳୀ ବିଜେତା ଭାବେ ସ୍ମାର୍ଟ ଟିଭି ଜିତିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନ୍ତଃବିଦ୍ୟାଳୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ‘ମାଇଁ ଫାଦର୍‌ ମାଇଁ ହିରୋ’ ଥିମ୍‌ରେ ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଜେଇଏମ୍‌ ସ୍କୁଲ ପ୍ରଥମ, ଜୁପିଟର ଦ୍ବିତୀୟ, ବିବେକାନନ୍ଦ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅକ୍ତିଆର କରିବା ସହ ଆର୍ଥିକ ପୁରସ୍କାର ଓ ଟ୍ରଫି ହାସଲ କରିଥିଲେ। ଭେଦିକ୍‌ ଇଣ୍ଟର୍‌ନ୍ୟାସନାଲ ସ୍କୁଲ ଓ ଟିଏସ୍‌ଜି ଗୁରୁକୁଳ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନ ଅକ୍ତିଆର କରି ଆର୍ଥିକ ପୁରସ୍କାର ପାଇଥିଲେ। ପ୍ରତିଯୋଗିତାର ବିଚାରକ ଭାବେ ନୃତ୍ୟଶିଳ୍ପୀ ସୋନାଲ୍‌ ଆଚାର୍ଯ୍ୟ, ରାଜଲକ୍ଷ୍ମୀ ବେହେରା, ସାଗରିକା ମହାନ୍ତି ଦାୟିତ୍ବ ତୁଲାଇଥିଲେ। ଯୋଜନଗନ୍ଧା ମହାନ୍ତି ‘ବାପା ମୋ ବାପା’ ସଙ୍ଗୀତ ଗାନ କରିଥିଲେ। ଶେଷରେ ସୋମାକ୍‌ର ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ।