ଭୋକ, ଭୁତାଣୁ ଓ ଭବିଷ୍ୟତ: କରୋନାକୁ ଲଢି ହରେଇଲେ ଦୁଇ ଗର୍ଭବତୀ

ନନ୍ଦପୁର: ଦେହରେ କରୋନା ଭୁତାଣୁ ଆଉ ପେଟରେ ଭବିଷ୍ୟତ। ଅଳ୍ପ ବୟସରେ ଏତେ ବଡ ବିପଦକୁ ଦେଖି ଡରି ଯାଇଥିଲେ ଦୁଇ ଗର୍ଭବତୀ। ତଥାପି ମନରେ ଥିଲା ଜିତିବାର ଝୁଙ୍କ। ପାଦେ ପାଦେ ବିପଦ ଥିଲେ ବି କରୋନା ବିରୋଧରେ ଲଢିବାର ଜିଦ୍ରେ ସେମାନେ ଥିଲେ ଅଟଳ। ଆଉ ଶେଷରେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି ଦୁଇ ଗଭର୍ବତୀ। ତଥାପି ଏବେ ଡାକ୍ତରଖାନାର କଥା ମନେ ପଡିଲେ, ଦେହ ଶୀତେଇ ଉଠୁଛି। ଅନ୍ଧାର ଭିତରେ ବର୍ତ୍ତମାନ ଓ ଭବିଷ୍ୟତକୁ ଦେଖିଥିବା ଏହି ଦୁଇ ଯୁବତୀ ହେଲେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତର ପାନ ଖରା ଓ ଗୌରୀ ଖରା। ଉଭୟଙ୍କ ବୟସ ୨୦ରୁ ୨୫ ବର୍ଷ ଭିତରେ। କରୋନା ସଂକ୍ରମିତ ଏହି ଦୁଇ ଯୁବତୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପରିବାର ସହ ସାଧାରଣ ଜୀବନ କାଟୁଛନ୍ତି। ଆଉ କିଛି ଦିନ ପରେ ସେମାନଙ୍କ ସ୍ବପ୍ନ ଓ ସମ୍ଭାବନାକୁ ଜନ୍ମ ଦେବା ପାଇଁ ଦିନ ଗଣୁଛନ୍ତି।

ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ଅନ୍ତର୍ଗତ ନିଳଦୋରାପୁଟ ଗ୍ରାମର ଅର୍ଜୁନ ଖରା ଓ ତାଙ୍କ ପତ୍ନୀ ପାନ ଖରା ଏବଂ ହରି ଖରା ଓ ତାଙ୍କ ପତ୍ନୀ ଗୌରୀ ଖରା ପ୍ରାୟ ୩ ମାସ ତଳେ କାମ ସନ୍ଧାନରେ ବିଜୟୱାଡା ଯାଇଥିଲେ। ସେଠାରୁ ଫେରିବା ପରେ ସେମାନେ ହିକିମପୁଟ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ବାହାର ରାଜ୍ୟରୁ ଆସିଥିବାରୁ ସେମାନଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିଲା। ଆଉ ଏମାନଙ୍କ ଭିତରୁ ଦୁଇ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା। ପରେ ଗତ ୨୫ ତାରିଖରେ ସେମାନଙ୍କୁ ଜୟପୁରସ୍ଥିତ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଉ ଡାକ୍ତରଖାନାରେ ହିଁ ସେମାନେ ଜାଣିଥିଲେ ଯେ, ସେମାନେ ମହାମାରୀ କରୋନା କବଳରେ ପଡି ଯାଇଛନ୍ତି। ଏକଥା ଜାଣିବା ପରେ ସେମାନଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଅନ୍ଧାର ଦିଶିଥିଲା ସାରା ସଂସାର। ପେଟରେ ୮ ମାସର ଗର୍ଭ ଥିଲାବେଳେ ଦେହରେ ଭୁତାଣୁ ଥିବା ଜାଣିବା ପରେ ଉଭୟ ଅସହାୟ ହୋଇ ପଡିଥିଲେ। ବୋଧ ଦେବା ପାଇଁ ବି ପାଖରେ ନିଜ ଲୋକ କେହି ନ ଥିଲେ। କେବଳ ଗୋଟିଏ ଅଶ୍ବାସନା ଥିଲା, ସେମାନଙ୍କ ଦେହରେ କରୋନାର କୌଣସି ନାହିଁ। ଦେହ ବି ଅସୁସ୍ଥ ଲାଗୁ ନ ଥିଲା। ତେଣୁ ଏହି ଦୁଇ ସଂପର୍କୀୟ ମହିଳା ପରସ୍ପରକୁ ସାହସ ଦେଇଥିଲେ। ଆଉ ନିଷ୍ପତ୍ତି ନେଇଥିଲେ କରୋନା ସହ ଲଢିବା ପାଇଁ। କୌଣସି ପରିସ୍ଥିତିରେ ମଧ୍ୟ କରୋନା ଆଗରେ ହାର ନ ମାନି ଭବିଷ୍ୟତ ସନ୍ତାନକୁ ନେଇ ସକରାତ୍ମକ ଚିନ୍ତା କରିଥିଲେ। ଏପଟେ ଡାକ୍ତରଙ୍କ ଚିକିତ୍ସା ଓ ଉତ୍ତମ ବ୍ୟବହାର ସେମାନଙ୍କୁ ଅଧିକ ବଳ ଦେଇଥିଲା। ଚିକିତ୍ସା ସମୟରେ ବିଭିନ୍ନ ପ୍ରକାର ଭିଟାମିନ ସହ ଔଷଧ ଦିଆଯାଉଥିଲା। ଭଲ କଥା ଭାବିବା ପାଇଁ ପରାମର୍ଶ ଦେଉଥିଲେ ଡାକ୍ତର। ଆଉ ଏହା ହିଁ ଶେଷକୁ କାମ ଦେଲା। ଅଳ୍ପ ଦିନରେ କରୋନା କବଳରୁ ସମ୍ପୂର୍ଣ୍ଣ ମୁକୁଳି ପାରିଥିଲେ ଦୁଇ ମହିଳା। ଡାକ୍ତରଖାନାରୁ ଛାଡ ମିଳିବା ପରେ ଏବେ ସେମାନେ ନିଜ ଘରେ ଭଲରେ ଅଛନ୍ତି।

ଡାକ୍ତରଖାନାରୁ ମୁକ୍ତି ମିଳିଥିଲେ ମଧ୍ୟ କରୋନା କଥା ମନେ ପଡିଲେ ଦେହ ଏବେ ବି ଥରି ଉଠୁଛି ବୋଲି କହିଛନ୍ତି ଏହି ଦୁଇ ମହିଳା। ସେମାନଙ୍କ କହିବାନୁଯାୟୀ, କରୋନା ସଂକ୍ରମିତ ବୋଲି ସେମାନେ ଜାଣିବା ପରେ ଜୀବନ ଉପରୁ ଆଶା ଛଡାଇ ଦେଇଥିଲେ। ନିଜ ପାଇଁ ଯେତିକି ଚିନ୍ତା ନ ଥିଲା, ପେଟରେ ଥିବା ସନ୍ତାନ ପାଇଁ ବେଶୀ କଷ୍ଟ ହେଉଥିଲା। ଆଉ ଏହା ହିଁ ସେମାନଙ୍କୁ କରୋନା ବିରୋଧରେ ଲଢିବା ପାଇଁ ବଳ ଦେଇଥିଲା ବୋଲି କହିଛନ୍ତି। ଡାକ୍ତରଖାନାରେ ଭିଟାମିନ ବଟିକା ଦିଆଯିବା ସହ ସକରାତ୍ମକ ଚିନ୍ତା କରିବା ପାଇଁ ପରାମର୍ଶ ଦିଆଯାଉଥିବା ପାନ ଖରା ପ୍ରକାଶ କରିଛନ୍ତି। ଅପରପକ୍ଷରେ ପଜିଟିଭ ବାହାରିବା ପରେ ଗାଁରେ କିଛି ଅସୁବିଧାର ସମ୍ମୁଖୀନ ହୋଇଥିବା କହିଛନ୍ତି ଗୌରୀ ଖରାଙ୍କ ଶ୍ବଶୁର। କୂଅରୁ ଗାଁ ଲୋକେ ପାଣି ନେବା ପରେ ଏମାନଙ୍କ ପରିବାରକୁ ପାଣି ନେବା ପାଇଁ ଅନୁମତି ଦିଆଯାଉଥିଲା। ବୋହୁ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଥିଲେ ମଧ୍ୟ ଗ୍ରାମବାସୀ ତଥା ସମ୍ପର୍କୀୟ ମାନେ ସାମାନ୍ୟ ସନ୍ଦେହ ଚକ୍ଷୁ ରେ ଦେଖୁଛନ୍ତି ବୋଲି ସେ କହିଛନ୍ତି। କରୋନା ବିରୋଧରେ ଲଢିବା ଆଗରୁ ଏହି ଦୁଇ ଗର୍ଭବତୀ ବେଶ ଅସୁବିଧାରେ ପଡିଥିଲେ। ଏଠାରେ କାମ ଧନ୍ଧା ନ ମିଳିବାରୁ ସେମାନେ ସ୍ବାମୀଙ୍କ ସହ ବିଜୟୱାଡାରେ ଏକ କୁକୁଡ଼ା ଫାର୍ମରେ କାମ କରୁଥିଲେ। ଏହି ସମୟରେ କରୋନା ମହାମାରୀ ପାଇଁ ସାରା ଦେଶରେ ଲକ ଡାଉନ ଘୋଷଣା କରାଯାଇଥିଲା। ତଥାପି ସେମାନେ ସେଠାରେ କାମ କରୁଥିଲେ। କିନ୍ତୁ ପରେ କାମ ବନ୍ଦ ହୋଇ ଯିବାରୁ ସେମାନେ ଘରକୁ ଫେରିବା ପାଇଁ ଉଦ୍ୟମ କରିଥିଲେ। ଲକ୍ଡାଉନ୍ ଉଠିବାର ସମ୍ଭାବନା ନ ଦିଶିବାରୁ ସେମାନେ ବିଜୟୱାଡାରୁ ଏକ ଭ୍ୟାନରେ ନାଚ ପର୍ଯ୍ୟନ୍ତ ଆସିଥିଲେ। ସେଠାରୁ ପୁଲିସ ଅନ୍ୟ ଏକ ଭ୍ୟାନରେ ବିଜୟନଗରମ ନେଉଥିଲା। କିନ୍ତୁ ସେମାନେ ଓଡିଶାର ଚାଟୁଆ ସୀମାନ୍ତକୁ ଯିବା ପାଇଁ କହିବାରୁ ପୁଲିସ ଏସ. କୋଟାରେ ଛାଡି ଦେଇଥିଲା। ସେଠାରୁ ରାତି ସାରା ଚାଲି ଚାଲି ବୋରା ଗାଁରେ ପହଞ୍ଚି ଥିଲେ। ସେଠାରୁ ଅନ୍ୟ ଏକ ଗାଡିରେ ଆରକୁ ପର୍ଯ୍ୟନ୍ତ ପଠାଇ ଦେଇଥିଲା ପୁଲିସ। ପରେ ଏହି ଦୁଇ ଦଂପତ୍ତି ଆରକୁଠାରୁ ଚାଲି ଚାଲି ପହଞ୍ଚି ଥିଲେ ସୀମାନ୍ତ ଚାଟୁଆରେ। ସେଠାରୁ ହିକିମପୁଟ ସରପଞ୍ଚ ଦିଲୀପ କୁମାର ଭୋଇ ଏକ ଅଟୋ ନନ୍ଦପୁରରୁ ପଠାଇ ସେମାନଙ୍କୁ ସିଧା ହିକିମପୁଟ ସଙ୍ଗରୋଧ ଗୃହକୁ ଆଣିଥିଲେ। ୧୭ ତାରିଖରୁ ସେମାନେ ଏହି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ତେବେ ଏମାନେ କେମିତି କରୋନା ସଂକ୍ରମିତ ହେଲେ ତାକୁ ନେଇ ଏବେ ବି ଦ୍ବନ୍ଦରେ ଅଛନ୍ତି। ଆଉ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି, ଏମିତି ଦୁଃଖ ଆଉ କାହାକୁ ନ ମିଳୁ।

ସମ୍ବନ୍ଧିତ ଖବର