ଫୁଲବାଣୀ: ଫୁଲବାଣୀ ବିଜେପି ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କୁ ଅନାସ୍ଥା ଭୋଟରେ ହରାଇବା ପରେ ଆଜି ବିଜେଡି କାଉନ୍‌ସିଲରମାନେ ଭୁବନେଶ୍ବର ନବୀନ ନିବାସରେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଫୁଲବାଣୀ ପୌରପାଳିକାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି। ଆଗାମୀ ଦିନରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି କାଉନସିଲରମାନେ ଦାବି କରିଛନ୍ତି। ଦୁର୍ନୀତି ବିରୋଧରେ ଲଢ଼େଇ ଜାରି ରଖ, ମୁଁ ତୁମ ସହ ଅଛି ବୋଲି ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ନିର୍ଭୟ ପ୍ରତିଶ୍ରୁତି ଦେଇଥିବା କାଉନ୍‌ସିଲର ରାଜେନ୍ଦ୍ର ପାଢ଼ୀ ପ୍ରକାଶ କରିଛନ୍ତି।

Advertisment

ଦଳର ଆଗାମୀ ରଣନୀତି କ'ଣ ହେବ ସେ ନେଇ କାଉନ୍‌ସିଲରମାନେ ଦଳର ରାଜ୍ୟ ସଭାପତି ନବୀନଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପ‌ଟେ, ଅନାସ୍ଥା ଭୋଟ୍‌ରେ ପରାଜିତ ହେବା ପରେ ବିଜେପି ଓ ପୂର୍ବତନ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ଆଗାମୀ ପଦକ୍ଷେପ କ'ଣ ହେବ ତାହା ଜାଣିବାକୁ ବି ବିଭିନ୍ନ ମହଲ ଉତ୍ସୁକତାର ସହ ‌ଅପେକ୍ଷା କରିଛନ୍ତି। ଫୁଲବାଣୀ ପୌରପାଳିକାରେ ଅନାସ୍ଥା ଭୋଟ୍‌କୁ ନେଇ ଗତ ଛଅ ମାସ ଧରି ଅଚଳାବସ୍ଥା ଜାରି ରହିଥିବାରୁ ସବୁ ପ୍ରକାର କାର୍ଯ୍ୟକ୍ରମ ଠପ୍‌ ‌ହୋଇଯାଇଛି। ‌ଗୋଟିଏ ପଟେ ପୌରପାଳିକାରେ ନିର୍ବାହୀ ଅଧିକାରୀଙ୍କ ବାରମ୍ବାର ବଦଳି ହେଉଥିବା ବେଳେ ଅନ୍ୟପଟେ ପୌରାଧ୍ୟକ୍ଷାଙ୍କୁ ନେଇ ଅନାସ୍ଥା ପ୍ରସ୍ତାବ ଯୋଗୁଁ ବର୍ତ୍ତମାନ ଫୁଲବାଣୀ ପୌରପାଳିକାରେ ଗଲା ଦୁଇବର୍ଷ ଭିତରେ କୌଣସି ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ଭବପର ହୋଇ ପାରୁନାହିଁ। ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସହରର ସବୁ ଡ୍ରେନ୍‌ ଜାମ୍‌ ହୋଇ ପଡ଼ିଥିବାରୁ ଟିକେ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଛି। ପୌରପାଳିକା ଅଚଳ ହୋଇ ପଡ଼ିଥିବା ବେଳେ ଏଭଳି ପରିସ୍ଥିତିରେ ଜିଲ୍ଲାପାଳ ହସ୍ତକ୍ଷେପ କରି ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।