ନିଶ୍ଚିନ୍ତକୋଇଲି, ପାଣିକୋଇଲି: ଆଜି ମାହାଙ୍ଗା ନିବାର୍ଚନମଣ୍ତଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ବିଜେଡି ଓ ବିଜେପି ଦଳର ବାଇକ ଶୋଭାଯାତ୍ରାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ ହେବା ଯୋଗୁଁ ଉତ୍ତେଜନାଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ସେହିଭଳି, ଯାଜପୁରର ସୁକିନ୍ଦାଠାରେ ପ୍ରାକ୍-ନିର୍ବାଚନୀ ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ମାହାଙ୍ଗା ନିବାର୍ଚନମଣ୍ତଳୀ ବିଜେପି ପ୍ରାର୍ଥୀ ଶାରଦା ପ୍ରଧାନଙ୍କର ବାଇକ ଶୋଭାଯାତ୍ରା ଯାଉଥିଲା। ଏହି ସମୟରେ ସ୍ବାସ୍ଥ୍ୟମନ୍ତ୍ରୀ ତଥା ମାହାଙ୍ଗା ନିବାର୍ଚନମଣ୍ତଳୀ ବିଜେଡ଼ି ପ୍ରାର୍ଥୀ ପ୍ରତାପ ଜେନାଙ୍କ ସମର୍ଥକମାନେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ ପରେ ଏକ ଟାଟା ଏସ୍ସିରେ ଘରକୁ ଫେରୁଥିଲେ। ଏହି ସମୟରେ ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ଗ୍ରାମ ପଂଚାୟତ କଟକ–ଚାନ୍ଦବାଲି ରାସ୍ତାର କଲେଜ ଛକସ୍ଥିତ ଏକ ତେଲ ଟାଙ୍କି ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଉଭୟପକ୍ଷ ମଧ୍ୟରେ ଗଣ୍ଡଗୋଳ, ଗାଡ଼ି ଭାଙ୍ଗି ରୁଜା ହୋଇଥିଲା। ଏଭଳି ଘଟଣା ପରେ ଶତାଧିକ ବିଜେଡି କର୍ମୀ ଓ ବ୍ଲକ୍ ସ୍ତରୀୟ କର୍ମକର୍ତ୍ତା ଅଭିଯୁକ୍ତ ମାନଙ୍କୁ ଗିରଫ ଦାବି କରି ରାସ୍ତାରୋକ କରିଥିଲେ। ଏହି ଗଣ୍ଡଗୋଳରେ ୨ ଜଣ ଆହତ ହୋଇଥିବାବେଳେ ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ସେହିଭଳି, ଯାଜପୁରର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଟମକା ଥାନା ଗୋବର୍ଦ୍ଧନପୁର ପଞ୍ଚାୟତ ଅନ୍ତର୍ଗତ ଜେମାଦେଇପୁର ଗାଁରେ ଦୁଇ ପାରମ୍ପରିକ ରାଜନୈତିକ ଦଳ ମଧ୍ୟରେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଘଟଣାରେ ସଂପୃକ୍ତ ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ୭ ଜଣ ଫେରାର ଥିବା ଜଣାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ, ପୁଲିସ ଗୋବର୍ଦ୍ଧନପୁର ଗାଁର ରାମଚନ୍ଦ୍ର ଚାନ୍ଦଙ୍କ ପୁଅ ପ୍ରଭୁ ପ୍ରସାଦ ଚାନ୍ଦ(୨୯), ଜଅଁର ଗାଁର ଉପେନ୍ଦ୍ର ସାହୁଙ୍କ ପୁଅ ପ୍ରଶାନ୍ତ କୁମାର ସାହୁ(୩୮) ଓ ମାନପୁର ଗାଁର ହୃଷୀକେଶ ବେହେରାଙ୍କ ପୁଅ ଅଭିରାମ ବେହେରା(୩୧)। ତିନି ଅଭିଯୁକ୍ତଙ୍କୁ କେସ୍ ନଂ ୩୨/୨୦୧୯ ଏବଂ ଭାରତୀୟ ଦଣ୍ଡବିଧି ଆଇନର ଦଫା ୧୪୭, ୧୪୮, ୩୪୧, ୪୫୨, ୩୮୪, ୩୫୪(ଖ), ୩୨୩, ୪୨୭, ୫୦୬ ଓ ୧୪୯ ବଳରେ କୋର୍ଟ ଚାଲାଣ କରାଯାଇଥିଲା
ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ, ନିଶ୍ଚିନ୍ତକୋଇଲିରେ ବିଜେପି–ବିଜେଡି ସମର୍ଥକ ମାଡ଼ପିଟ
/sambad/media/post_attachments/wp-content/uploads/2019/03/BJD-BJP-Logo.jpg)