ଜାତୀୟ ରାଜପଥରେ ଡ୍ରାଇଭରଙ୍କ ଆତଙ୍କରାଜ: ପୁଲିସକୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ମାଡ ମାରିଲେ ଡ୍ରାଇଭର

ଛତ୍ରପୁର/ବ୍ରହ୍ମପୁର/ଗୋପାଳପୁର: ଓଡ଼ିଶା ଡ୍ରାଇଭର୍‌ ମହାସଂଘ ତରଫରୁ ଦିଆଯାଇଥିବା ଆନ୍ଦୋଳନ ଡାକରାର ଦ୍ବିତୀୟ ଦିନରେ ଆଜି ବ୍ରହ୍ମପୁରରେ ପୁଲିସ-ଡ୍ରାଇଭର୍‌ ମଧ୍ୟରେ ଖଣ୍ଡଯୁଦ୍ଧ ‌ଦେଖିବାକୁ ମିଳିଛି। ବ୍ରହ୍ମପୁର ସହର ଉପକଣ୍ଠ ୧୬ନମ୍ବର ଜାତୀୟ ରାଜପଥ ଜଗନ୍ନାଥପୁର ଛକରେ ସଂଧ୍ୟାରେ ପୁଲିସକୁ ଡ୍ରାଇଭର୍‌ମାନେ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ମାଡ଼ ମାରି ଲହୁଲୁହାଣ କରିବା ସହିତ ପଥର ଫିଙ୍ଗିଛନ୍ତି। ଏହି ଘଟଣାରେ ଛତ୍ରପୁର ଏସ୍‌ଡିପିଓ, ଗୋଳନ୍ଥରା ଥାନା ଅଧିକାରୀଙ୍କ ସମେତ ପ୍ରାୟ ୧୦ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି। ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସ୍‌.ପି. ଡା. ଶରବଣା ବିବେକ ଏମ୍‌., ଗଞ୍ଜାମ ଏସ୍‌.ପି ଜଗମୋହନ ମୀନା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି କିଛି ଡ୍ରାଇଭର୍‌ଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଡ୍ରାଇଭର୍‌ ମହାସଂଘର ୧୦ ଦାବି ପୂରଣ ହୋଇ ନଥିବାରୁ ଆଜି ମଧ୍ୟ ବ୍ରହ୍ମପୁର ସହରର ବିଭିନ୍ନ ପ୍ରବେଶ ପଥରେ ଆନ୍ଦୋଳନ ଜାରି ରହିଥିଲା। ଡ୍ରାଇଭର୍‌ମାନେ ଦଳଦଳ ହୋଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୁରକ୍ଷା ଦୃଷ୍ଟିକୋଣରୁ ପୁଲିସ ତରଫରୁ ଜଗନ୍ନାଥପୁର ଛକ, ହଳଦିଆପଦ ଛକ, ଫାଷ୍ଟଗେଟ ସହିତ ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ କରାଯାଇଥିଲା। ଦିନସାରା ପୁଲିସ ସେଠାରେ ଜଗି ରହିଥିଲା। ସଂଧ୍ୟା ସମୟରେ ‌ଜଗନ୍ନାଥପୁର ଛକରେ ହଠାତ୍‌ ଡ୍ରାଇଭର୍‌ମାନେ ଉଗ୍ର ହୋଇ ଉଠିଥିଲେ। ହାତରେ ଡେଙ୍ଗା ଓ ପଥର ଧରି ପୁଲିସକୁ ଆକ୍ରମଣ କରିଥିଲେ। ଏପରିକି କିଛି ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ପଥର ମାଡ଼ କରିବାରୁ ପୁଲିସ ଫୋର୍ସ ଜୀବନ ରକ୍ଷା କରିବାକୁ ଯାଇ ଛତ୍ରଭଙ୍ଗ ଦେଇଥିଲା।

ଏପରିକି ଡ୍ରାଇଭର୍‌ମାନେ ପୁଲିସ ଗାଡ଼ି ଭଙ୍ଗାରୁଜା କରି ଜାତୀୟ ରାଜପଥରେ ଆତଙ୍କରାଜ ସୃଷ୍ଟି କରିଥିଲେ। ପୁଲିସ ବଡ଼ କଷ୍ଟରେ ସେମାନଙ୍କୁ ନିୟନ୍ତ୍ରଣ କରିଥିଲା। ପୁଲିସର ପାଲଟା ଜବାବ୍‌ରେ ଡ୍ରାଇଭର୍‌ ସଂଘର ସଦସ୍ୟମାନେ ସେଠାରୁ ଧାଇଁ ପଳାଇଥିଲେ। ଡ୍ରାଇଭର୍‌ଙ୍କ ଆକ୍ରମଣରେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନଙ୍କ ଆଖି ଓ ହାତରେ ଆଘାତ ଲାଗିଛି। ଏହା ସହିତ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ, ଗୋପାଳପୁର ଏସ୍‌ଆଇ ଜୟଚନ୍ଦ୍ର ମଲ୍ଲିକ, ଏସ୍‌ଆଇ ମହେନ୍ଦ୍ର ବେହେରା, ଜଗନ୍ନାଥପୁର ଛକ ବିଟ୍‌ ହାଉସ୍‌ ଇନ୍‌ଚାର୍ଜ ଏଏସ୍‌ଆଇ ଅରୁଣ ରାଉତ, କନ୍‌ଷ୍ଟେବଲ୍‌ ଅକ୍ଷୟ ରଇତଙ୍କ ସମେତ ପ୍ରାୟ ୧୦ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଳନ୍ଥରା ଥାନା ଅଧିକାରୀ ଓ ଏସ୍‌ଆଇ ମଲ୍ଲିକଙ୍କ ମୁଣ୍ଡ ଫାଟି ଯାଇଛି। ଏସ୍‌ଆଇ ମଲ୍ଲିକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି। ଜଗନ୍ନାଥପୁର ଛକରେ ଆଶାନ୍ତିର ବାତାବରଣ ଲାଗି ରହିଛି। ପୁଲିସ ଜଗନ୍ନାଥପୁର ଛକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି।

ପ୍ରତ୍ୟେକ ଗାଡ଼ି ଯାଞ୍ଚ କରିବା ସହିତ ସଂଘର ସଦସ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ପୁଲିସ। ଆଜି ଆନ୍ଦୋଳନର ଦ୍ବିତୀୟ ଦିନରେ ଜାତୀୟ ରାଜପଥରେ ବହୁ ସଂଖ୍ୟକ ଟ୍ରକ୍ ଅଟକି ଜାତୀୟ ରାଜପଥ ସଂପୂର୍ଣ୍ଣ ଜାମ୍ ହୋଇ ଯାଇଥିଲା। ଫଳରେ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ଏହାକୁ ଦୃଷ୍ଟିରେ ରଖି ପୁଲିସ ଡ୍ରାଇଭରଙ୍କୁ ଆନ୍ଦୋଳନରୁ ଓହରି ଟ୍ରକ୍ ଗୁଡ଼ିକୁ ଛାଡିବା ପାଇଁ ଅନୁରୋଧ କରିଥିଲା। ଯାହାକୁ ନେଇ ମଧ୍ୟାହ୍ନରେ ଆନ୍ଦୋଳନକାରୀ ଡ୍ରାଇଭର୍‌ ଓ ପୁଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୁଲିସ ଲାଠି ଚାର୍ଜ କରିବାରୁ ବାଧ୍ୟ ଡ୍ରାଇଭର୍‌ମାନେ ସେଠାରୁ ହଟିଥିଲେ। କିନ୍ତୁ ସଂଧ୍ୟାରେ ଡ୍ରାଇଭର୍‌ମାନେ ରକ୍ତମୁଖା ହୋଇ ପୁଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର