ଭୁବନେଶ୍ୱର: ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ବନ୍ଧ ନିର୍ମାଣକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଯୁଦ୍ଧଂ ଦେହି ଡାକରା ଦେଇଛି। ଛତିଶଗଡ଼ ବନ୍ଧ ବାନ୍ଧିବା ଫଳରେ ମହାନଦୀ ଶୁଖିଲା ପଡ଼ୁଛି, ଜଳ ବିଦ୍ୟୁତ୍ ଉତ୍ପାଦନ କମୁଛି ଓ ଏହା ଉପରେ ନିର୍ଭରଶୀଳ ମତ୍ସ୍ୟଜୀବି ତଥା କୃଷକମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ବୋଲି ସରକାର ଯୁକ୍ତି ରଖୁଛନ୍ତି। ତେବେ ବିଧାନସଭାରେ ସରକାରଙ୍କ ସୂଚନା ଇଙ୍ଗିତ କରୁଛି ଯେ ଏ ସଂକ୍ରାନ୍ତରେ ବିଶେଷ କିଛି ତଥ୍ୟ ବିଭାଗମାନଙ୍କ ନିକଟରେ ଉପଲବ୍ଧ ନାହିଁ। ବ୍ରାହ୍ମଣୀ, ମହାନଦୀ ଓ କୋଲାବ୍ ସମେତ ଓଡ଼ିଶାରେ ପ୍ରବାହିତ କେଉଁ ସବୁ ନଦୀର ଉପର ଓ ତଳ ମୁଣ୍ଡରେ କେଉଁ ପଡ଼ୋଶୀ ରାଜ୍ୟ କେଉଁଠି କେତୋଟି କରି ବନ୍ଧ ବାନ୍ଧିଛନ୍ତି ଓ ଆଉ କେତୋଟି ନିର୍ମାଣ କରିବାକୁ ଯାଉଛନ୍ତି ଏବଂ ଏଥିଯୋଗୁ ଓଡ଼ିଶାର କ’ଣ ଲାଭ କ୍ଷତି ହେଉଛି ସେ ସଂକ୍ରାନ୍ତରେ ବିଧାୟକ ଦିଲ୍ଲୀପ ରାୟ ବିଧାନସଭାରେ ଏକ ପ୍ରଶ୍ନ ପଚାରିଥିଲେ। ଏହାଛଡ଼ା ରାଜ୍ୟରେ ପ୍ରବାହିତ କେଉଁ ନଦୀର କେଉଁଠାରେ ରାଜ୍ୟ ସରକାର କେବେ ବ୍ୟାରେଜ୍ ବା ବନ୍ଧ ନିର୍ମାଣ କରିଛନ୍ତି ଓ ଆଉ କେଉଁ ନଦୀ ଉପରେ ବନ୍ଧ ନିର୍ମାଣ ଲାଗି ପ୍ରସ୍ତାବ ରହିଛି ବୋଲି ସେ ଜାଣିବାକୁ ଚାହିଁଥିଲେ। ଏହାର କିନ୍ତୁ ବିଚିତ୍ର ଉତ୍ତର ମିଳିଛି। ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ‘ତଥ୍ୟ ସଂଗ୍ରହ କରାଯାଉଅଛି’ ବୋଲି ତିନୋଟି ଶବ୍ଦ ସମ୍ବଳିତ ତଥ୍ୟ ରଖି ରାଜ୍ୟ ସରକାରଙ୍କ ଏହି ପ୍ରସଙ୍ଗ ପ୍ରତି ଥିବା ନିଷ୍ଠାକୁ ସନ୍ଦେହ ପରିସରକୁ ଟାଣି ଆଣିଛନ୍ତି। ବିଧାୟକ ଶ୍ରୀ ରାୟ ଅଗଷ୍ଟ ୨୪ ତାରିଖରେ ଏହି ପ୍ରଶ୍ନ ସରକାରଙ୍କ ଉଦ୍ଦେଶ୍ୟରେ ପଠାଇଥିବା ବେଳେ ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା ସରକାରଙ୍କ ନିକଟରେ କିଛି ତଥ୍ୟ ନ ଥିବା ଦର୍ଶାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, କୋଲାବ୍ ନଦୀର ତଳ ମୁଣ୍ଡରେ ଆନ୍ଧ୍ରପ୍ରଦେଶରେ ପୋଲାଭରମ୍ ପ୍ରକଳ୍ପ ଚାଲିଥିବା ବେଳେ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ଓ ବ୍ରାହ୍ମଣୀର ଉପର ମୁଣ୍ଡରେ ଝାଡ଼ଖଣ୍ଡ ଅନେକ ନଦୀବନ୍ଧ ପ୍ରକଳ୍ପ କରିବା ଯୋଗୁଁ ଓଡ଼ିଶାର ବିପୁଳ କ୍ଷତି ଘଟୁଥିବା ଅଭିଯୋଗ ହୋଇଆସୁଛି। ଏ ପ୍ରସଙ୍ଗରେ ଅଦାଲତି ଲଢ଼େଇ ଚାଲିଛି ଓ ରାଜରାସ୍ତାରେ ଆନ୍ଦୋଳନ ବି କରୁଛନ୍ତି। ଅଥଚ ଏ ଘଟଣାରେ ତଥ୍ୟ ସଂଗ୍ରହ କରାଯାଉଥିବା ଘେନି ମନ୍ତ୍ରୀ ଉତ୍ତର ରଖୁଛନ୍ତି। ପୂର୍ବରୁ ଅନ୍ୟତମ ବିଜେଡି ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ତଥ୍ୟରେ ଦର୍ଶାଇଛନ୍ତି ଯେ ବିଗତ ୧୦ ବର୍ଷ ମଧ୍ୟରେ ମହାନଦୀ ସମେତ କେତେକ ନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି। ସେହିପରି ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ଦାୟିତ୍ୱରେ ଥିବା ମନ୍ତ୍ରୀ ମଧ୍ୟ ପୂର୍ବରୁ ଅନ୍ୟ ଏକ ଉତ୍ତରରେ ସ୍ୱୀକାର କରିଛନ୍ତି ଯେ ଛତିଶଗଡ଼ ବ୍ୟାପକ ସଂଖ୍ୟକ ନଦୀବନ୍ଧ ମହାନଦୀର ଉପର ମୁଣ୍ଡରେ ନିର୍ମାଣ କରିବା ସତ୍ତେ୍ଵ ରାଜ୍ୟରେ କୌଣସି ପାନୀୟ ଜଳ ପ୍ରକଳ୍ପ ପ୍ରଭାବିତ ହୋଇନାହିଁ। ସେହିପରି ବିଦ୍ୟୁତ୍ ଉତ୍ପାଦନ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ଯେଉଁ ସୂଚନା ଦେଇଛନ୍ତି ସେଥିରୁ ମହାନଦୀର ହୀରାକୁଦ ଓ ଚିପିଲିମାରେ ଥିବା ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ୨୦୧୭-୧୮ ବର୍ଷରେ ପୂର୍ବ ବର୍ଷ ତୁଳନାରେ ଅଧିକ ଜଳ ବିଦ୍ୟୁତ୍ ଉତ୍ପାଦିତ ହୋଇଛି। ୨୦୧୬-୧୭ ବର୍ଷରେ ହୀରାକୁଦ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ୫୦୬ ମିଲିୟନ୍ ୟୁନିଟ୍ ଜଳ ବିଦ୍ୟୁତ୍ ଉତ୍ପାଦିତ ହୋଇଥିବା ବେଳେ ୨୦୧୭-୧୮ରେ ତାହା ୫୮୪.୩ ମିଲିୟନ୍ ୟୁନିଟ୍ ହୋଇଥିଲା।
ସେହିପରି ୨୦୧୬-୧୭ ବର୍ଷରେ ଚିପିଲିମାରେ ୧୯୭ ନିୟୁତ ୟୁନିଟ୍ ଜଳ ବିଦ୍ୟୁତ୍ ଉତ୍ପାଦିତ ହୋଇଥିବା ବେଳେ ଗତବର୍ଷ ତାହା ୨୧୪.୫୧ ନିୟୁତ ୟୁନିଟ୍କୁ ବୃଦ୍ଧି ପାଇଥିଲା। ପୂର୍ବରୁ ଅନ୍ୟ ଏକ ଉତ୍ତରରେ ଓଡ଼ିଶାରେ ନଦୀ ମାଛ ଉତ୍ପାଦନ ୫ ବର୍ଷ ଭିତରେ ୨ ଗୁଣରୁ ଅଧିକ ବଢ଼ିଥିବା ବି ବିଭାଗୀୟ ମନ୍ତ୍ରୀ ସ୍ୱୀକାର କରିଥିଲେ। ପଡ଼ୋଶୀ ରାଜ୍ୟଙ୍କ ନଦୀବନ୍ଧ ନିର୍ମାଣ ଯୋଗୁ ଓଡ଼ିଶାର କ’ଣ ଲାଭ କ୍ଷତି ହେଉଛି ଓ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସରକାର ଏ ପ୍ରସଙ୍ଗରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ଏମିତିକି ରାଜ୍ୟରେ ପ୍ରବାହିତ ନଦୀଗୁଡ଼ିକର ବନ୍ଧ ଓ ବ୍ୟାରେଜ୍ ସଂକ୍ରାନ୍ତରେ ସରକାରଙ୍କ ନିକଟରେ ତଥ୍ୟ ନ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତିରେ ଉଲ୍ଲେଖ କରିଛନ୍ତି।
ଶିଳ୍ପାନୁଷ୍ଠାନ ଉପରେ ୨୬୫୮ କୋଟି ଜଳକର ବାକି
ଭୁବନେଶ୍ୱର: ସରକାରଙ୍କ ସର୍ବଶେଷ ହିସାବ ଅନୁଯାୟୀ ଗତ ଜୁଲାଇ ଶେଷ ସୁଦ୍ଧା ଶିଳ୍ପ ସଂସ୍ଥାଗୁଡ଼ିକ ଉପରେ ୨୬୫୮ କୋଟି ଟଙ୍କାରୁ ଅଧିକ ଟଙ୍କାର ଜଳକର ବାକି ପଡ଼ିଛି। ବିଧାୟକ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା ଉଲ୍ଲେଖ କରିଛନ୍ତି। ମନ୍ତ୍ରୀ ଦର୍ଶାଇଛନ୍ତି, ଶିଳ୍ପାନୁଷ୍ଠାନମାନଙ୍କ ଠାରୁ ବକେୟା ଜଳକର ଆଦାୟ ପାଇଁ ଆଇନ୍ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ଅନାଦେୟ କର ବାବଦ ପ୍ରାପ୍ୟ ଉପରେ ମାସକୁ ଶତକଡ଼ା ୨ ହାରରେ ଚକ୍ରବୃଦ୍ଧି ସୁଧ ଲାଗୁ କରାଯାଉଛି।ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟିମାନ ଗଢ଼ା ଯାଇ ଜଳ କର ଆଦାୟ ଲାଗି ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ତଦନୁଯାୟୀ ଗତ ଦୁଇ ବର୍ଷରେ ମହାନଦୀ କୋଲ୍ ଫିଲ୍ଡ ଠାରୁ ୧୪୭ କୋଟି ଏବଂ ଗତବର୍ଷ ନାଲ୍କୋ ଠାରୁ ୫୮ କୋଟି ଟଙ୍କାର ବାକି ଆଦାୟ କରାଯାଇଛି। ଏହାଛଡ଼ା ବିଭାଗୀୟ ଯନ୍ତ୍ରୀମାନଙ୍କୁ ମଧ୍ୟ ବକେୟା ଜଳକର ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ଜଣାଇଛି, ଅଦାଲତଙ୍କ ହସ୍ତକ୍ଷେପ ଯୋଗୁ ୧୮୩୩ କୋଟି ୩୫ ଲକ୍ଷ ଟଙ୍କାର ଜଳକର ଆଦାୟ ହୋଇପାରୁନାହିଁ। ତେବେ ମାମଲା ରୁଜୁ କରିଥିବା ଶିଳ୍ପ ସଂସ୍ଥାମାନଙ୍କ ଠାରୁ ବକେୟା ଜଳକରର ଅଧା ଆଦାୟ ପାଇଁ ଉଚ୍ଚ ନ୍ୟାୟାଳୟରେ ବିବିଧ ମାମଲା ରୁଜୁ କରାଯାଇଛି। ରାଜ୍ୟ ସରକାରଙ୍କ ଇଡ୍କୋ ଠାରୁ ଆରମ୍ଭ କରି ନୀଳାଚଳ ଇସ୍ପାତ ନିଗମ୍, ଓଡ଼ିଶା ଖଣି ନିଗମ୍, ପାରାଦୀପ ଫସ୍ଫେଟ୍, ପାରାଦୀପ ବନ୍ଦର, ମହାନଦୀ କୋଲ୍ ଫିଲ୍ଡ, ନାଲ୍କୋ, ବେଦାନ୍ତ, ଆଦିତ୍ୟ ଆଲୁମିନିୟମ୍, ଫାକର୍, କୋଣାର୍କ ଝୋଟକଳ, ବଲାରପୁର ଇଣ୍ଡଷ୍ଟ୍ରୀଜ୍, ଆରତୀ ଷ୍ଟିଲ୍, ମାହେଶ୍ୱରୀ ଇସ୍ପାତ, ଭୂଷଣ, ବନହରପାଲୀର ତାପଜ ବିଦ୍ୟୁତ୍, ଆଧୁନିକ ମେଟାଲିକ୍ସ, ଇଡ୍କୋ, ଓଡ଼ିଶା ସିମେଣ୍ଟ ଲିମିଟେଡ୍, ଏନ୍ଟିପିସି, ଜିନ୍ଦଲ ଆଦି ୩୪୬ଟି ସଂସ୍ଥା ଉପରେ ଏହି ମୋଟା ଅଙ୍କର ଜଳକର ବକେୟା ପଡ଼ିଛି। ଟାଟା ଷ୍ଟିଲ୍, ଟାଟା ରିଫ୍ରାକ୍ଟୋରିଜ୍, ସେଲ୍, ଆସିକା ଚିନିକଳ, ଜିନ୍ଦଲ, ଭୂଷଣ, ବେଦାନ୍ତ ଆଦି ବହୁ ସଂସ୍ଥା ଜଳକର ବିରୋଧରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି।