ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ଅଞ୍ଚଳର ଏବେ ରାଜନୈତିକ ଉଷ୍ମତା ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀମାନେ କଳେ ବଳେ କୌଶଳେ ଭୋଟରମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ଲାଗି ବିଭିନ୍ନ ପ୍ରକାର ରଣନୀତି ଆପଣାଇଛନ୍ତି। ୨୦୨୨ ପଞ୍ଚାୟତ ନିର୍ବାଚନରେ ବାଲିଅନ୍ତା ବ୍ଲକ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତିର ମହିଳାଙ୍କ ଲାଗି ସଂରକ୍ଷିତ ରହିଛି।
ତେବେ ପ୍ରାର୍ଥୀମାନେ ନିଜ ନିଜ ପଞ୍ଚାୟତରେ ଭୋଟ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ବାଲିଅନ୍ତା ବ୍ଲକ ପଦ ହାତେଇବା ପାଇଁ ଏବେଠୁ ରାଜନୈତିକ ମହଲରେ ସମୀକରଣ ଆରମ୍ଭ ହୋଇଗଲାଣି। ତେଣୁ ବ୍ଲକ ଅଧ୍ୟକ୍ଷ ପଦ ନେଇ ବିଜେପି ଏବଂ କଂଗ୍ରେସ ଲବିରେ ନଥିବା ବେଳେ ବିଜେଡ଼ିର ତଥାକଥିତ ଦୁଇ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ପ୍ରଚ୍ଛଦପଟର ନେତାଙ୍କ ମଧ୍ୟରେ ଏନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଅଧ୍ୟକ୍ଷ ପଦ ହାତେଇବା ନେଇ ସମିତି ସଭ୍ୟଙ୍କ ସଂଖ୍ୟା ଅନୁପାତ ଅଧାରୁ ଅଧିକ ଆବଶ୍ୟକ ଥିବାରୁ ଉଭୟ ଗୋଷ୍ଠୀ ନିଜ ସମର୍ଥିତ ସମିତି ସଭ୍ୟଙ୍କୁ ଜିତାଇବା ନେଇ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି।
ତେବେ ନିର୍ବାଚନ ସରିନଥିବାରୁ ଅଧ୍ୟକ୍ଷ ପଦ ନେଇ ପ୍ରାର୍ଥୀଙ୍କ ନାମ ସ୍ପଷ୍ଟ ହୋଇପାରି ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅଧ୍ୟକ୍ଷ କିଏ ହେବ ତାହା ଜଣାପଡ଼ିନଥିଲେ ମଧ୍ୟ ସମିତି ସଭ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉଭୟ ଗୋଷ୍ଠୀର ପ୍ରମୁଖ ନେତୃତ୍ବ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। କୌତୁହଳର ବିଷୟ ହେଉଛି ନିର୍ବାଚିତ ସମିତି ସଭ୍ୟ ଜଣାପଡ଼ିବା ମାତ୍ରେ ସେମାନଙ୍କୁ ପଞ୍ଚାୟତରୁ ଉଠାଇ ନେଇ ଅଜ୍ଞାତବାସରେ ରଖିବାକୁ ଯୋଜନା ପ୍ରସ୍ତୁତ ସରିଲାଣି। ସୂଚନା ଅନୁସାରେ କାକରୁଦ୍ରପୁର ଏବଂ ପୂରଣପଧାନ ଦୁଇ ପଞ୍ଚାୟତରେ ଅନୁସୂଚିତ ଜାତିର ସମିତି ସଭ୍ୟ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଏହାବାଦ ବାକି ଦୁଇଟି ଅନୁସୂଚିତ ଜାତି ଏବଂ ୧୧ଟି ଅଣସଂରକ୍ଷିତ ପଞ୍ଚାୟତରେ ଅନୁସୂଚିତ ଜାତିର ପ୍ରାର୍ଥୀମାନେ ମଧ୍ୟ ନିର୍ବାଚନରେ ପ୍ରତିଦ୍ବଦ୍ବିତା କରୁଛନ୍ତି।
ଜୟଦେବରେ ବିଜେଡ଼ି ଗୋଷ୍ଠୀ ବିବାଦ ନୂଆ କଥା ନୁହେଁ। ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ବରିଷ୍ଠ ବିଜେଡ଼ି ନେତା କମଳ କୁମାର ପାତ୍ର ବାଲିଅନ୍ତା ବ୍ଲକ ଅଧ୍ୟକ୍ଷ ପଦ ହାତେଇ ନେଇଥିବା ବେଳେ ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ହାରାସ ହେବାକୁ ପଡ଼ିଥିଲା। ବ୍ଲକ ଅଧ୍ୟକ୍ଷ ପଦ ନେଇ ଏଥର ମଧ୍ୟ ଶ୍ରୀ ପାତ୍ର ଲବିରେ ଥିବା ବେଳେ ଅସନ୍ତୁଷ୍ଠ ବିଜେଡ଼ି ବିଧାୟକ ଡ. ଅରବିନ୍ଦ ଢାଲିଙ୍କ ନେତୃତ୍ବରେ ରଣନୀତି ଆରମ୍ଭ ହୋଇଯାଇଛି। ବିଧାୟକ ଡ. ଅରବିନ୍ଦ ଢାଲି , ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର ତୁଙ୍ଗ ବିଜେଡ଼ି ନେତା ବିଜୟ କୁମାର ନାୟକ ଏବଂ ଚୌଧୂରୀ ଦ୍ବାରିକା ନାଥ ଦାଶ ଦୁର୍ଗାନନ୍ଦନ ମିଶ୍ର ପ୍ରମୁଖ ମିଶି ଅଧ୍ୟକ୍ଷ ପଦ ହାତେଇବା ନେଇ ମେଣ୍ଟ ବାନ୍ଧିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିଜେଡ଼ିର ଏହି ଗୋଷ୍ଠୀ କନ୍ଦଳ ଭିତରେ ବ୍ଲକ ଅଧ୍ୟକ୍ଷ ପଦ ବିରୋଧୀ ବିଜେପି କି କଂଗ୍ରେସ କବଜା ନକରିବେ ତାହ କହି ହେଉ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/WhatsApp-Image-2022-02-09-at-7.22.05-PM.jpeg)