ସରକାର ଶିଳ୍ପପତିଙ୍କର, ଚାଷୀର ନୁହେଁ: ଆନ୍ନା

ହକ୍‌ ପାଇଁ ସରକାର ବିରୋଧରେ ଚାଷୀଙ୍କୁ ଏକାଠି ହେବାକୁ ପଡ଼ିବ

କୃଷି ସାମଗ୍ରୀ ଉପରୁ ଜିଏସ୍‌ଟି ଉଠୁ

ଭୁବନେଶ୍ୱର : କୃଷି ପ୍ରଧାନ ଦେଶ ଭାରତରେ ଆଜି କୃଷକର ଯେଉଁ ସ୍ଥିତି ହୋଇଛି ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ। ସରକାର କେବଳ ଉଦ୍ୟୋଗପତିଙ୍କ କଥା ଚିନ୍ତା କରୁଛନ୍ତି, ଚାଷୀ କଥା ନୁହେଁ। ଯେଉଁଥିପାଇଁ ଉଦ୍ୟୋଗପତିଙ୍କୁ ହଜାର ହଜାର କୋଟି ଛାଡ଼ କରାଯାଉଥିବାବେଳେ ଚାଷୀକୁ ପେନସନ୍‌ ଦେବାକୁ ସରକାର ଚିନ୍ତା କରୁନାହାନ୍ତି। ନିଜର ହକ୍‌ ପାଇଁ ସାରା ଦେଶର ଚାଷୀଙ୍କୁ ଏକାଠି ହୋଇ ଆନ୍ଦୋଳନ କରିବାକୁ ପଡ଼ିବ ବୋଲି କହିଛନ୍ତି ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ ତଥା ଦୁର୍ନୀତି ବିରୋଧୀ ନେତା ଆନ୍ନା ହଜାରେ।

ଦେଶର କୃଷକଙ୍କୁ ସେମାନଙ୍କ ଅଧିକାର ଦେବା ଏବଂ ପେନସନ୍‌ ପ୍ରଦାନ କରିବା ନେଇ ସାରା ଦେଶରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିବା ଆନ୍ନା ହଜାରେ ଆଜି ରାଜ୍ୟ ଅତିଥି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେ ଲୋକପାଳ ବିଲ୍‌କୁ ସୁଦୃଢ଼ କରିବା ଏବଂ କୃଷକକୁ ପେନସନ୍‌ ଦେବା ଦାବି ନେଇ ଫେବ୍ରୁଆରି ୨୫ରୁ ରାମଲୀଳା ମଇଦାନରେ ଆନ୍ଦୋଳନ କରିବେ। କୃଷକଙ୍କୁ ଯେତେଦିନ ପର୍ଯ୍ୟନ୍ତ ସେମାନଙ୍କ ହକ୍‌ ମିଳିନି ସେତେଦିନ ପର୍ଯ୍ୟନ୍ତ ମୋର ସଂଗ୍ରାମ ଜାରି ରହିବ।

ଏଥିରେ ଆନ୍ନା କହିଲେ ଯେ, ଦେଶରେ ଗତ ୨୨ବର୍ଷରେ ୧୨ଲକ୍ଷ କୃଷକ ଆତ୍ମହତ୍ୟା କଲେଣି। କିନ୍ତୁ ଚାଷୀ ଆତ୍ମହତ୍ୟା ଧାରା କିପରି ବନ୍ଦ ହେବ ତାହା ସରକାର ଚିନ୍ତା କରୁନାହାନ୍ତି। ଚାଷୀ କ୍ଷେତରେ ଯେତିକି ଖର୍ଚ୍ଚ କରୁଛି ତା’ର ଦେଢ଼ଗୁଣା ଦାମ୍‌ ତାକୁ ମିଳିଗଲେ ଚାଷୀ ଆଉ ଆତ୍ମହତ୍ୟା କରନ୍ତାନି। କିନ୍ତୁ କେନ୍ଦ୍ର କି ରାଜ୍ୟ ସରକାର ଏ ଦିଗରେ ଚିନ୍ତା କରୁନାହାନ୍ତି।

ସେ ଆହୁରି କହିଲେ ଯେ ୬୦ବର୍ଷରୁ ଅଧିକ ବର୍ଷର ଚାଷୀକୁ ପେନସନ୍‌ ଦିଆଯିବା ଦରକାର। ଚାଷୀ ତା’ର ସାରା ଜୀବନ କ୍ଷେତରେ ବିତାଇ ଦେଉଛି। ହେଲେ ବୃଦ୍ଧାବସ୍ଥାରେ ତାକୁ ସାହାଯ୍ୟ ମିଳୁନି। ସରକାରୀ ଚାକିରିଆମାନେ ୬୦ବର୍ଷ ପରେ ପେନସନ୍‌ ପାଉଛନ୍ତି ଅଥଚ ଚାଷୀକୁ ପେନସନ୍‌ ଦେବାକୁ ସରକାରଙ୍କର ଯୋଜନା ନାହିଁ। ସାରା ଦେଶର ଚାଷୀଙ୍କୁ ଯଦି ପେନସନ୍‌ ଦିଆଯିବ ତେବେ ୬୦ରୁ ୬୫ହଜାର କୋଟି ଖର୍ଚ୍ଚ ହେବ। ଏହା ସରକାର ପାଇଁ ବେଶୀ ବଡ଼ କଥା ନୁହେଁ। କାରଣ ସରକାର ବହୁ ଶିଳ୍ପ ଓ ଘରୋଇ ସଂସ୍ଥାକୁ ହଜାର ହଜାର କୋଟି ଛାଡ଼ କରୁଛନ୍ତି। କେବଳ ଏତିକି ନୁହେଁ ରାଜନୈତିକ ଦଳଗୁଡ଼ିକ ବର୍ଷକରେ ୯୦ରୁ ୯୫ହଜାର କୋଟି ଚାନ୍ଦା ଆକାରରେ ପାଉଛନ୍ତି। ସରକାର ଚାହିଁଲେ ଏହି ଟଙ୍କା ଚାଷୀଙ୍କୁ ପେନସନ୍‌ ଆକାରରେ ଦିଆଯାଇପାରିବ। କିନ୍ତୁ ସରକାର ଉଦ୍ୟୋଗୀଙ୍କର ହୋଇଥିବାରୁ ଚାଷୀକୁ ଅଣଦେଖା କରିଚାଲିଛି। ଏହା ବିରୋଧରେ ସ୍ୱର ଉଠାଇବାର ସମୟ ଆସିଛି। ପୂରା ଭାରତବର୍ଷର ଚାଷୀଙ୍କୁ ସଂଗଠିତ ହୋଇ ବିରୋଧ କରିବାକୁ ପଡ଼ିବ ବୋଲି ଆନ୍ନା ଆହ୍ଵାନ ଦେଇଛନ୍ତି।

ଏବେ ସାରା ଦେଶରେ ଜିଏସ୍‌ଟିକୁ ନେଇ ଆଲୋଚନା ଚାଲିଥିବାବେଳେ ସମସ୍ତ କୃଷି ସାମଗ୍ରୀ ଉପରୁ ଜିଏସ୍‌ଟି ଉଠାଇବାକୁ ଆନ୍ନା ଦାବି କରିଛନ୍ତି। ଚାଷୀ ପାଇଁ ଯେଉଁ ସରକାରର ଦରଦ ନାହିଁ ସେ ଚାଷୀଠୁ ଟିକସ ନେଇପାରିବନି ବୋଲି ଆନ୍ନା କହିଛନ୍ତି।

ସେହିପରି ବିଜେପି ସରକାର ବିରୋଧରେ ୩ବର୍ଷ ନିରବ ରହିବା ପରେ ଏବେ ମୁହଁ ଖୋଲିବା ନେଇ ଆନ୍ନା କହିଛନ୍ତି ଯେ, ମୁଁ କୌଣସି ସରକାରକୁ ବିରୋଧ କରେ ନାହିଁ। ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ କହେ। ଲୋକପାଳ ଆଇନ ଲାଗୁ କରିବା ପାଇଁ ମୁଁ କଂଗ୍ରେସ ସରକାରକୁ ୧୭ଥର ଚିଠି ଲେଖିବା ପରେ କିଛି ଉତ୍ତର ନ ପାଇବାରୁ ୨୦୧୧ରେ ଆନ୍ଦୋଳନ ଆରମ୍ଭ କରିଥିଲି। କିନ୍ତୁ କଂଗ୍ରେସ ଏହାକୁ ଦୁର୍ବଳ କରିଦେଲା। ଏହାପରେ ବିଜେପି ସରକାରକୁ ଲୋକପାଳ ଆଇନକୁ ସୁଦୃଢ଼ କରିବା ପାଇଁ ୮ଥର ଚିଠି ଲେଖିଛି। କିନ୍ତୁ ଥରଟିଏ ବି ଉତ୍ତର ପାଇନି। ବରଂ ଏହାକୁ ଆହୁରି ଦୁର୍ବଳ କରି ଦିଆଗଲା। ଚାଷୀଙ୍କ ପାଇଁ ୨୨ଥର ଚିଠି ଲେଖିଛି, କିଛି ଉତ୍ତର ପାଇନି।

ଏଥିରୁ ଜାଣିପାରୁଥିବେ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାର ହଟାଇବାକୁ, କୃଷକକୁ ତାର ହକ୍‌ ଦେବାକୁ କେତେ ତତ୍ପର। ବିଜେପି ସରକାର ତିନି ବର୍ଷ ଭିତରେ ବି ଆଚ୍ଛେଦିନ୍‌ ଆଣିପାରିଲାନି। ଲୋକପାଳ ଆଇନ୍‌କୁ ଜନ ଲୋକପାଳ ଚିଠା ଭଳି ଲାଗୁ କରିବା ଏବଂ କୃଷକକୁ ହକ୍‌ ଦେବା ପାଇଁ ଫେବ୍ରୁଆରି ୧୨ତାରିଖ ସୁଦ୍ଧା ୨୦ରୁ ୨୨ଟି ରାଜ୍ୟ ବୁଲିବି। ଯୁବପିଢ଼ିଙ୍କୁ ଜାଗ୍ରତ କରିବି। ଏହି ଅଭିଯାନ ଜଗତସିଂହପୁରରୁ ଆରମ୍ଭ ହୋଇଛି। ଏହାପରେ ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ପଞ୍ଜାବ, ହରିୟାଣା, ମହାରାଷ୍ଟ୍ର ଭଳି ରାଜ୍ୟରେ ଶୋଭାଯାତ୍ରା ହେବ ବୋଲି ଆନ୍ନା କହିଛନ୍ତି।

ଆଜିର ସାମ୍ବାଦିକ ସମ୍ମିଳନୀରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର