ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ରିପୋର୍ଟ ପ୍ରଦାନ ଦାବିରେ ନଭେମ୍ବର ୧୦ ତାରିଖ ଦିନ କଟକସ୍ଥିତ ଓଡ଼ିଶା ହାଇକୋର୍ଟ ସମ୍ମୁଖରେ ହେବାକୁ ଥିବା ଗଣଧାରଣାକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସଙ୍ଗଠନ ସମର୍ଥନ କରିଛନ୍ତି। ଏ ନେଇ ସଚେତନତା ସୃଷ୍ଟି ପାଇଁ ପଶ୍ଚିମ ଓଡ଼ିଶା କ୍ରିୟାନୁଷ୍ଠାନ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିର ପ୍ରତିଲିପି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟକୁ ପଠାଇବା ପାଇଁ ପଶ୍ଚିମ ଓଡ଼ିଶାର ପଞ୍ଚାୟତଗୁଡ଼ିକୁ ଅନୁରୋଧ କରାଯାଇଛି।
୨୮ ତାରିଖରେ ସମ୍ବଲପୁରରେ ବାଇକ୍ ରାଲି, ୩୧ ତାରିଖରେ ଗଣଧାରଣା ଏବଂ ନଭେମ୍ବର ୫ ତାରିଖରେ ରାଲି କରାଯିବ। ଓଡ଼ିଶା ସାଂସ୍କୃତିକ ସମାଜ ଠାରେ ଭାଗବତ ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ତଥା ପ୍ରଫୁଲ୍ଲ ହୋତାଙ୍କ ପରିଚାଳନାରେ କ୍ରିୟାନୁଷ୍ଠାନ କମିଟି ବୈଠକ ହୋଇଥିଲା। ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସଙ୍ଗଠନର ସଦସ୍ୟମାନେ ନିଜ ଅଞ୍ଚଳରେ ଦେଖାଦେଇଥିବା ଆଗ୍ରହ ସମ୍ପର୍କରେ କହିଥିଲେ। ବହୁ ବର୍ଷର ଏହି ଆନ୍ଦୋଳନକୁ ନିର୍ଣ୍ଣାୟକ ସ୍ତରରେ ପହଞ୍ଚାଇବା ପାଇଁ ଚାଷୀ, ଶ୍ରମିକ, ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଓକିଲ, ରାଜନେତା, ମହିଳା ତଥା ସମାଜର ସମସ୍ତ ବର୍ଗର ଲୋକେ ସାମିଲ ହେବାକୁ କମିଟି ସଦସ୍ୟମାନେ ଆହ୍ଵାନ ଜଣାଇଛନ୍ତି। ୧୦ ତାରିଖରେ ଆନ୍ଦୋଳନକାରୀମାନେ ସମ୍ବଲପୁର-ଭୁବନେଶ୍ୱର ଇଣ୍ଟରସିଟିରେ ଯାତ୍ରାକରି ମାର୍ଥାପୁର ଷ୍ଟେସନରେ ଓହ୍ଲାଇ ବସ୍ ଯୋଗେ ହାଇକୋର୍ଟ ସାମ୍ନା ରିଙ୍ଗରୋଡ଼ରେ ଯାଇ ପହଞ୍ଚିବା ପରେ ମଧ୍ୟାହ୍ନ ୧୨ଟାରୁ ଧାରଣା କାର୍ଯ୍ୟକ୍ରମ ଆରମ୍ଭ ହେବ। ଅନ୍ୟାନ୍ୟ ଟ୍ରେନ୍ରେ ମଧ୍ୟ ଲୋକେ ଯିବେ।
ତେବେ କେବଳ ଟ୍ରେନ୍ ଉପରେ ନିର୍ଭର ନ କରି ଲୋକେ ନିଜସ୍ୱ ଉଦ୍ୟମରେ ଗାଡ଼ି ଯୋଗେ ମଧ୍ୟ ଧାରଣା ସ୍ଥଳରେ ପହଞ୍ଚିବାକୁ ଆହ୍ଵାନ ଦିଆଯାଇଛି। ସମସ୍ତେ ପୂର୍ବରୁ ନିଜର ଯାତ୍ରା ସମ୍ପର୍କରେ କାର୍ଯ୍ୟକାରୀ କମିଟିକୁ ଆଗତୁରା ଜଣାଇବାକୁ ଅନୁରୋଧ କରାଯାଇଛି। ଏ ନେଇ ଏକ ଫର୍ମ ମଧ୍ୟ ଜାରି କରାଯାଇଛି। ଏହି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ ପଞ୍ଚାୟତସ୍ତରୀୟ ନିର୍ବାଚିତ ପ୍ରତିନଧିମାନେ ନେତୃତ୍ୱ ନେବାକୁ ଆଗେଇ ଆସିବା ସକାଶେ ଆହ୍ଵାନ ଦିଆଯାଇଛି। ସମସ୍ତ ଦଳ ନିଜ ନିଜ ଅଞ୍ଚଳର ବ୍ୟାନର ନେଇ ଯିବାକୁ ମଧ୍ୟ କୁହାଯାଇଛି। ବିଭିନ୍ନ ସ୍ଥାନର ନାଗରିକ କମିଟିମାନେ ସ୍ଥାନୀୟ ଓକିଲ ସଂଘଗୁଡ଼ିକୁ ଏହି କାର୍ଯ୍ୟକ୍ରମରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସକାଶେ ଅନୁରୋଧ ଜଣାଇବେ ବୋଲି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି।
କଟକ-ଭୁବନେଶ୍ୱରରେ ବସବାସ କରୁଥିବା ପଶ୍ଚିମ ଓଡ଼ିଶାର ଜନସାଧାରଣ ତଥା ଏ ଅଞ୍ଚଳର ନିର୍ବାଚିତ ଜନପ୍ରତିନିଧିମାନେ ଧାରଣାରେ ଯୋଗ ଦେବାକୁ ଅନୁରୋଧ କରାଯାଇଛି। ନଭେମ୍ବର ୧୦ ତାରିଖରେ କଟକ ଧାରଣା ସହିତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଧାରଣା ପାଇଁ ସାମାଜିକ-ସାଂସ୍କୃତିକ ତଥା ଯୁବ ଓ ଛାତ୍ର ସଂଗଠନଗୁଡ଼ିକ ତତ୍ପର ହେବାକୁ ଡାକରା ଦିଆଯାଇଛି।
ବୈଠକରେ ସରୋଜ ଦାଶ, ଦୀପକ ପଣ୍ଡା, ଅଶୋକ ମିଶ୍ର, ଶ୍ରୀକୃଷ୍ଣ ପ୍ରସାଦ ପ୍ରଧାନ, ସୁରେଶ୍ୱର ଶତପଥୀ, ପ୍ରମୁଖ ବହୁ ନେତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/sambalpur-1.jpg)