ମଦ ଚୋରିକୁ ନେଇ ନିର୍ଦ୍ଧୁମ୍‌ ପିଟିଲେ

ପୁରୀ: ଗତ ବୁଧବାର ଅପରାହ୍ଣ ସାଢ଼େ ୪ଟା ସମୟରେ ଭିଆଇପି ରୋଡ୍‌ସ୍ଥିତ ଏକ ମଦ ଦୋକାନକୁ ଏକ ଚାରିଚକିଆ ଗାଡ଼ିରୁ ମଦ ପେଟି ଖାଲି କରାଯାଉଥିଲା। ଏହି ସମୟରେ ହଠାତ୍‌ ଏଠାରେ ଏକ ପଲସର ବାଇକ୍‌ସେଠାରେ ପହଞ୍ଚିଥିଲେ। ବାଇକ୍‌ ପଛପଟେ ବସିଥିବା ଯୁବକ ଜଣକ ଗାଡ଼ିରୁ ଓହ୍ଲାଇ ଏହି ଚାରିଚକିଆ ଗାଡ଼ିରୁ ଏକ ମଦ ପେଟି ଟେକିଆଣି ବାଇକ୍‌ ଉପରେ ରଖି ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ମାତ୍ର ଏହା ଦେଖି ମଦ ଦୋକାନର କର୍ମଚାରୀମାନେ ତାକୁ ଧରିବା ପାଇଁ ଗୋଡ଼ାଇବାରୁ ଯୁବକଜଣକ ଘଟଣାସ୍ଥଳରୁ ଦୌଡ଼ିଥିଲା। ତାକୁ କର୍ମଚାରୀମାନେ ପିଛା କରି ଜିଲ୍ଲା ସ୍କୁଲ ନିକଟରେ ଅଟକାଇ ଗୋଡ଼େଇ ଗୋଡ଼େଇ ନିସ୍ତୁକ ଛେଚି ଚେତାଶୂନ୍ୟ କରିଦେଇଥିଲେ।

ଅନ୍ୟପଟେ ବିଚରା ବାଇକ୍‌ଚାଳକ ଘଟଣାସ୍ଥଳରୁ ଖସିନପାରିବାରୁ ବିଧାଗୋଇଠା ଖାଇଥିଲା। କର୍ମଚାରୀମାନେ ତାକୁ ଅଟକ ରଖି ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେଇଥିଲେ। ଖବର ପାଇ ପିସିଆର୍‌ ଭ୍ୟାନ୍‌(ଓଡି ୧୩ ଆର୍‌ ୨୫୧୧)ରେ ପୁଲିସମାନେ ପହଞ୍ଚିଥିଲେ। ପୁଲିସ ସମ୍ମୁଖରେ ମଧ୍ୟ ଉଭୟ କର୍ମଚାରୀ ଓ ବାଇକ୍‌ ଚାଳକ ମଧ୍ୟରେ କଥା କଟାକଟି ହୋଇଥିବା ବେଳେ ପୁଲିସ ଦର୍ଶକ ସାଜିଥିଲା। ତେବେ କିଛି ସମୟ ପରେ ଅତି ରହସ୍ୟଜନକ ଭାବେ ଲୁଟ ଅଭିଯୁକ୍ତ, ମଦ ଦୋକାନୀ ଓ ତାଙ୍କ କର୍ମଚାରୀ ମଧ୍ୟ ଚୁପ୍‌ ହୋଇଗଲେ। ଏନେଇ କେହି ହେଲେ ବି ଥାନାରେ ଅଭିଯୋଗ କରିନଥିଲେ।

ପୁଲିସକୁ ଏଠାରେ ଗୋଳିଆପାଣି ସୁହାଇବା ଭଳି ପିସିଆର୍‌ ଭ୍ୟାନ୍‌ରେ ଯାଇଥିବା ପୁଲିସ ଥାନାକୁ ଏନେଇ କୌଣସି ଖବର ଦେଇନଥିଲା। ଫଳରେ ଏହି ଘଟଣା ସମ୍ପର୍କରେ କୁମ୍ଭାରପଡ଼ା ଥାନାରେ କୌଣସି ଖବର ନଥିବା ପୁଲିସ କହିଛି। ଏଇଥିରୁ ହିଁ ଜଣାପଡ଼ିଛି ଯେ ପୁରୀ ପୁଲିସର ଅନୁଶାସନକୁ ପିସିଆର୍‌ ପୁଲିସ ଭ୍ରୁକ୍ଷେପ କରୁନାହିଁ।

ସମ୍ବନ୍ଧିତ ଖବର