ଭୁବନେଶ୍ୱର: ଯେଉଁ ଜାତିର ପୂର୍ବପୁରୁଷମାନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରି ବିଜୟର ବାନା ଉଡ଼ାଇ ଓଡ଼ିଶାର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରି ରଖିଛନ୍ତି ସେ ଜାତିର ଲୋକମାନେ ଭୀରୁ କାପୁରୁଷ ନହୋଇ ନିଜର ସ୍ୱାଭିମାନ ଓ ଅଧିକାର ପାଇଁ ଲଢ଼େଇ କରନ୍ତୁ। ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ‘ଜାତୀୟ ଓଡ଼ିଶା ସ୍ୱାଭିମାନ ସମ୍ମିଳନୀ’ରେ ଯୋଗଦେଇ ଏଭଳି କହିଛନ୍ତି ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ଏଥିସହିତ ଓଡ଼ିଶାର ସଂସ୍କୃତି, ସାହିତ୍ୟ, ଐତିହ୍ୟ, ପରମ୍ପରା ଆଦି ଅନନ୍ୟ ଓ ଅନ୍ୟତମ ବୋଲି ସେ କହିଥିଲେ। ଓଡ଼ିଶାର ଗଜପତିମାନେ ନିଜକୁ ରାଜ୍ୟର ରାଜା ବୋଲି ସମ୍ବୋଧନ ନକରି ଓଡ଼ିଆର ପ୍ରାଣ ଶ୍ରୀଜଗନ୍ନାଥଙ୍କୁ ସମସ୍ତ ଶ୍ରେୟ ଦେଇ ଓଡ଼ିଆମାନଙ୍କର ରାଜା ବୋଲି ସମ୍ବୋଧନ କରି ନିଜକୁ ସେବକ ପଦରେ ରଖିବାର ଗୁଣ କେବଳ ଓଡ଼ିଶାବାସୀଙ୍କ ପାଖରେ ଦେଖାଯାଏ ବୋଲି କହିଛନ୍ତି। ମା’, ମାଟି ଓ ଦେଶର ଟେକ ରଖି ନିଜକୁ ସୌଭାଗ୍ୟର ଅଧିକାରୀ ବୋଲି ଭାବି ଜାତିକୁ ଗୌରବାନ୍ବିତ କରିବା ପାଇଁ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଉଦବୋଧନ ଦେଇଥିଲେ।
କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ସମାଜର ସଂପାଦକ ପ୍ରମୋଦ ମହାପାତ୍ର, ରବି ବସ୍ତିଆ, ଶିକ୍ଷାବିତ ବଦ୍ରିନାଥ ପଟ୍ଟନାୟକ, ସମାଜସେବୀ ଦିଲ୍ଲୀପ ଶ୍ରୀଚନ୍ଦନ, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ମହାନ୍ତି, ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ସାବତ ପ୍ରମୁଖ ଯୋଗ ଦେଇଥିଲେ।