ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ଗଣ୍ଡଗୋଳ: ଜୟ-ଗିରୀଶ ସମର୍ଥକ ମୁହଁାମୁହିଁ

ଉପସ୍ଥିତ ଥିଲେ ୨ ପର୍ଯ୍ୟବେକ୍ଷକ, ହୋ’ହଲ୍ଲା ଭିତରେ ବୈଠକ ଶେଷ

ସମ୍ବଲପୁର: ଆଜି ବିଳମ୍ବିତ ସନ୍ଧ୍ୟାରେ ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଦୁଇ ରାଜ୍ୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଗଣ୍ଡଗୋଳ ହୋଇଛି। ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପ୍ରାର୍ଥିତ୍ବକୁ ବିରୋଧ ହେବାରୁ ଏଭଳି ଘଟଣା ଘଟିଛି। ଆସନ୍ତା ନିର୍ବାଚନରେ ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ବିଧାନସଭା ଏବଂ ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ଦୁଇ ପର୍ଯ୍ୟବେକ୍ଷକ ଗୋଲକ ମହାପାତ୍ର ଓ ସୁରେଶ୍ବର ଶତପଥୀ ପର୍ଯ୍ୟାୟକ୍ରମେ ଦଳୀୟ ପଦାଧିକାରୀମାନଙ୍କଠାରୁ ପ୍ରସ୍ତାବ ଗ୍ରହଣ କରିଥିଲେ। ଅପରାହ୍ନରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ରାତି ପର୍ଯ୍ୟନ୍ତ ଚାଲିଥିଲା। ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାମ ସର୍ବସମ୍ମତ ପ୍ରସ୍ତାବ ଆସିଥିଲା। ସେହିପରି ପର୍ଯ୍ୟାୟକ୍ରମେ ସବୁ ବିଧାନସଭା କ୍ଷେତ୍ରରେ କାର୍ଯ୍ୟକର୍ତ୍ତାମାନଙ୍କୁ ଜଣ ଜଣ କରି ଡାକି ଗୋପନ ପ୍ରସ୍ତାବ ଆହ୍ବାନ କରାଯାଇଥିଲା। ତେବେ, ସମ୍ବଲପୁର ବିଧାନସଭା କ୍ଷେତ୍ର ପାଳି ଆସିବାପରେ ଖୋଲା ଆଲୋଚନା ପାଇଁ କେତେକ ପୂର୍ବତନ କାଉନ୍‌ସିଲର ଦାବି କରିଥିଲେ। ସେମାନଙ୍କ ଦାବି ମୁତବାକ ଖୋଲା ଆଲୋଚନା ହୋଇଥିଲା।

ଜୟ ନାରାୟଣ ମିଶ୍ରଙ୍କ ସମର୍ଥକମାନେ ସର୍ବସମ୍ମତ ଭାବେ ଜୟନାରାୟଣଙ୍କ ନାମ ପ୍ରସ୍ତାବ ଦେବାକୁ କହିବାରୁ ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲ ଓ ତାଙ୍କ ସମର୍ଥକମାନେ ଏହାର ଦୃଢ଼ ବିରୋଧ କରିଥିଲେ। ଅନ୍ୟ କେତେକ ନେତା ମଧ୍ୟ ଏହି ପଦ ପାଇଁ ଆଶାୟୀ ରହିଥିବା କହିଥିଲେ। ଏହାକୁ ନେଇ ଜୟ ନାରାୟଣ ସମର୍ଥକ ଓ ଗିରୀଶଙ୍କ ସମର୍ଥକ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। କଥା ଠେଲାପେଲା ପର୍ଯ୍ୟନ୍ତ ଯାଇଥିଲା। ଦୁଇ ପର୍ଯ୍ୟବେକ୍ଷକଙ୍କ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ତେବେ, ଏଭଳି ହୋ’ହାଲ୍ଲା ଭିତରେ ବୈଠକ ଶେଷ ହୋଇଥିଲା। ଅପରପକ୍ଷରେ, କୁଚିଣ୍ଡା ପାଇଁ ରବି ନାୟକ, ଆଠମଲ୍ଲିକ ପାଇଁ ସଂଜୀବ ସାହୁ, ଛେଣ୍ଡିପଦା ପାଇଁ ଅଗସ୍ତି ବେହେରା, ଦେବଗଡ଼ ପାଇଁ ସୁବାସ ପାଣିଗ୍ରାହୀ, ରେଂଗାଲି ପାଇଁ ନାଉରୀ ନାୟକ ଏବଂ ରେଢ଼ାଖୋଲ ନିମନ୍ତେ ଦେବେନ୍ଦ୍ର ମହାପାତ୍ରଙ୍କ ନାମ ବହୁ କାର୍ଯ୍ୟକର୍ତ୍ତା ପ୍ରସ୍ତାବ ଦେଇଥିବା ବେଳେ କେତେକ ବିଧାନସଭା କ୍ଷେତ୍ର ପାଇଁ ଏକାଧିକ ଆଶାୟୀଙ୍କ ନାମ ବି ପ୍ରସ୍ତାବ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର