ନିର୍ବାଚନ ପ୍ରଚାର ବେଳେ ଗଣ୍ଡଗୋଳ: ଚିଲିକା ବିଧାୟକ-ବିଜେପି ନେତା ମୁହାଁମୁହିଁ, ପରିସ୍ଥିତିକୁ ନିୟନ୍ତ୍ରଣ କଲା ପୁଲିସ

ବାଣପୁର: ପଞ୍ଚାୟତ ନିର୍ବାଚନ ପ୍ରଚାର ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ବିଜେପି ନେତା ମୁହଁାମୁହିଁ ହେଇଛନ୍ତି। ବାଣପୁର ଗମ୍ଭାରୀମୁଣ୍ତାରେ ଏକ ସାଂସ୍କୃତିକ ଅନୁଷ୍ଠାନରେ ବିଜେପିର କର୍ମକର୍ତ୍ତାଙ୍କ ବୈଠକ ଚାଲୁଥିବା ବେଳେ ଏହାକୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବି‌େରାଧ କରିଥିଲେ। ଫଳରେ, ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ଘଟିଥିବା ଜଣାପଡ଼ିଛି।

ସୂଚନାନୁସାରେ, ଆଜି ଅପରାହ୍ଣରେ ଗମ୍ଭାରୀମୁଣ୍ତା ପଞ୍ଚାୟତର ପଲ୍ଲୀ ସାଂସ୍କୃତିକ କଳା ପରିଷଦର ଗୃହରେ ବିଜେପିର ସ୍ଥାନୀୟ କର୍ମକର୍ତ୍ତା ଓ କର୍ମୀମାନେ ବୈଠକ କରୁଥିଲେ। ଏହି ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜର ସମର୍ଥକଙ୍କ ସହ ପହଞ୍ଚି ସଭାକୁ ବନ୍ଦ କରିବାକୁ କହିଥିଲେ। ଏହାକୁ ବିଜେପିର କର୍ମକତ୍ତାମାନେ ବିରୋଧ କରିଥିଲେ। ଏହି ସମୟରେ ଅନୁଷ୍ଠାନର ସଭାପତି ତଥା ଯୁବ ବିଜେପିର ଜିଲ୍ଲା ସଭାପତି ଦୁଷ୍ମନ୍ତ ହରିଚନ୍ଦନ ନିଜର ସମର୍ଥକଙ୍କ ସହ ସେଠାରେ ପହଞ୍ଚି, ଏହାଦ୍ବାରା କୌଣସି ନିର୍ବାଚନ ନିୟମର ଭଙ୍ଗ ହେଉନାହିଁ, ଏଣୁ ବନ୍ଦ କରାଯିବନାହିଁ ବୋଲି ଅଡ଼ି ରହିଥିଲେ। ଫଳରେ ଚିଲିକା ବିଧାୟକ ଓ ହରିଚନ୍ଦନଙ୍କ ମଧ୍ୟରେ କଥା କଟାକଟି ଓ ପରେ ହାତାହାତି ଯାଏଁ କଥା ବଢ଼ିଥିଲା।

ସୂଚନା ପାଇ ବାଣପୁର ତହସିଲଦାର, ବାଲୁଗାଁ ଉପଖଣ୍ତ ଆରକ୍ଷୀ ଅଧିକାରୀ, ବାଣପୁର ଥାନା ଅଧିକାରୀ ସଦଳବ‌େଳ ସେଠାରେ ପହଞ୍ଚି ଉଭୟ ପକ୍ଷକୁ ବୁଝାଶୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ତେବେ ଏହା ପଞ୍ଜୀକୃତ ସାଂସ୍କୃତିକ ଅନୁଷ୍ଠାନ ହୋଇଥିବାରୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଅନୁଷ୍ଠାନ ଗୃହରେ କୌଣସି ରାଜନୈତିକ ସଭାସମିତି କରିବାକୁ ତହସିଲଦାର ବାରଣ କରିଥିଲେ। ଘଟଣାକୁ ନେଇ ସେଠାରେ ଦୁଇ ରାଜନୈତିକ ଦଳ ମଧ୍ୟରେ ଚାପା ଉତ୍ତେଜନା ଲାଗିରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ପୁଲିସ ମୁତୟନ କରାଯାଇଛି। ଏନେଇ ଉପଖଣ୍ତ ଆରକ୍ଷୀ ଅଧିକାରୀ ମାନସ ରଂଜନ ବାରିକ କହିଛନ୍ତି ଯେ ବିବାଦ ସୃଷ୍ଟି ହୋଇଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁଲିସ ଘଟଣାର ସମାଧାନ କରିଛି। ତେବେ ଏନେଇ ଉଭୟ ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ଦିଆଯାଇନାହିଁ।

ସମ୍ବନ୍ଧିତ ଖବର