କବାଡ଼ି ଖେଳରୁ ଖଣ୍ଡଯୁଦ୍ଧ: ରେଫରି ନିଷ୍ପତ୍ତିକୁ ନେଇ ରାଜସ୍ଥାନ-ପୁରୀ ଦଳ ପିଟାପିଟି

ଅଧ୍ୟାପକ, ଛାତ୍ରଛାତ୍ରୀ ବାଦ୍ ପଡ଼ିଲେନି

ପୁରୀ: ପୁରୀ ସଦାଶିବ କ୍ୟାମ୍ପସ୍‌ରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ପକ୍ଷରୁ ଚାଲିଥିବା ଚାରିଦିନିଆ ଯୁବ ମହୋତ୍ସବରେ ଆଜି ଗଣ୍ଡଗୋଳ ଘଟିଛି। କବାଡ଼ି ଖେଳକୁ କେନ୍ଦ୍ର କରି ରାଜସ୍ଥାନ ଜୟପୁର ଦଳ ଓ ପୁରୀ ଦଳ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ବହୁ ଛାତ୍ର ଆହତ ହୋଇଛନ୍ତି। ପୁରୀ ଦଳର ଆହତ ଛାତ୍ର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା ପରେ କ୍ୟାମ୍ପସ୍‌କୁ ଫେରିଥିବାବେଳେ ଆହତ ରାଜସ୍ଥାନ ଛାତ୍ରଙ୍କ କୌଣସି ଖୋଜଖବର ମିଳିନି। ପୁରୀର ଆହତ ଛାତ୍ର ମଧ୍ୟରୁ ଦୁଇଜଣଙ୍କ ପରିଚୟ ମିଳିଥିବାବେଳେ ଅନ୍ୟ କାହାରି ପରିଚୟ ମିଳିପାରିନି। ଦୁଇ ଆହତ ଛାତ୍ର ହେଲେ ସଦାଶିବ କ୍ୟାମ୍ପସ ପରିସର ଶାସ୍ତ୍ରୀ ପ୍ରଥମ ବର୍ଷର ଛାତ୍ର ଶୁଭମ୍‌ ମଣ୍ଡଳ(୨୨) ଓ ଦେବାଶିଷ ପଟ୍ଟନାୟକ(୨୨)। ସେପଟେ କିଛି ଅଧ୍ୟାପକ ବି ଏହି ଗଣ୍ଡଗୋଳରେ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ପକ୍ଷରୁ ସଦାଶିବ କ୍ୟାମ୍ପସ୍‌ରେ ୧୧ତମ ଇଣ୍ଟର କ୍ୟାମ୍ପସ୍‌ ଯୁବ ମ‌ହୋତ୍ସବ ଚାଲିଛି। ଚାରିଦିନ ଧରି ଆୟୋଜିତ ହେଉଥିବା ଏହି ମହୋତ୍ସବରେ ୧୧ଟି ରାଜ୍ୟର ଛାତ୍ରଛାତ୍ରୀ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଛନ୍ତି। ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ କ୍ରୀଡ଼ା, ସାଂସ୍କୃତିକ ଓ ଶୈକ୍ଷିକ ପ୍ରତିଯୋଗିତା ଚାଲିଛି। ଆଜି ପ୍ରତିଯୋଗୀମାନଙ୍କୁ ନେଇ କବାଡ଼ି, ସଟ୍‌ପୁଟ୍‌, ଲମ୍ବ ଡିଆଁ, ଉଚ୍ଚ ଡିଆଁ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯେହେତୁ ବର୍ଷା ଯୋଗୁଁ ଦିନରେ ଖେଳ କିଛିଟା ବାଧାପ୍ରାପ୍ତ ହୋଇଥିଲା, ସେହି ଦୃଷ୍ଟିରୁ ରାତିରେ ବି ବିଭିନ୍ନ ପ୍ରତିଯୋଗିତା ଚାଲିଥିଲା। ସଦାଶିବ ପରିସରରେ ଆଜି ରାତି ପ୍ରାୟ ସାଢ଼େ ୧୦ଟାରେ କବାଡ଼ି ଖେଳ ଚାଲିଥିବାବେଳେ ରେଫରିଙ୍କ ପକ୍ଷପାତିତାକୁ ଦାୟୀ କରି ଜୟପୁରର ଖେଳାଳିମାନେ ଗଣ୍ଡଗୋଳ କରିଥିଲେ। ଯାହାକୁ କେନ୍ଦ୍ର କରି ପୁରୀ ଦଳ ଓ ଜୟପୁର ଦଳ ଖେଳାଳିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ଉଭୟଙ୍କୁ ଆକ୍ରମଣ ପ୍ରତିଆକ୍ରମଣ କରିଥିଲେ। ଏହି ସମୟରେ ଅଧ୍ୟାପକମାନେ ଅଟକାଇବାକୁ ଚେଷ୍ଟା କରିବାରୁ ସେମାନଙ୍କୁ ବି ମାଡ଼ ଖାଇବାକୁ ପଡ଼ିଥିଲା। କିଛି ସମୟ ପାଇଁ ସଦାଶିବ ପରିସରରେ ଏକପ୍ରକାର ରଣକ୍ଷେତ୍ର ପାଲଟିଯାଇଥିଲା। କାହାର ମୁହଁ ତ କାହାର ନାକ ଫାଟିଥିଲା। କେତେକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗି ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର