ବାଲିଆପାଳ: ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରତିନିଧିଙ୍କୁ ନେଇ ବାଲିଆପାଳ ପଞ୍ଚାୟତ ସମିତି ସଭାଗୃହ ରଣକ୍ଷେତ୍ର ପାଲଟିଛି। ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ମୁଥ ମରାମରି ସହିତ ଚେୟାର୍ ମାଡ଼ ବି କରାଯାଇଛି। ଏଥିରେ ଜଣେ ସରପଞ୍ଚଙ୍କ ମୁଣ୍ଡ ଫାଟିଥିବା ବେଳେ ଏହି ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟ ସରକାରଙ୍କ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ଚଳିତମାସ ୧୪ ତାରିଖ ଦିନ ବିଭିନ୍ନ ପଞ୍ଚାୟତ ପାଇଁ ପ୍ରକଳ୍ପ ମଞ୍ଜୁର ହୋଇଥିଲା। ଉକ୍ତ ପ୍ରକଳ୍ପଗୁଡ଼ିକର ଅନୁମୋଦନ ପାଇଁ ଆଜି ବାଲିଆପାଳ ବ୍ଲକ୍ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତିର ଏକ ସ୍ବତନ୍ତ୍ର ବୈଠକ ବସିଥିଲା। ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାଂସଦଙ୍କ ପ୍ରତିନିଧି ଭାବେ ବିଜେପି ନେତା ରବୀନ୍ଦ୍ରନାଥ ଅଣ୍ଡିଆ ଉପସ୍ଥିତ ଥିଲେ। ତେବେ, ବିଜୁ ଜନତା ଦଳ ସମର୍ଥିତ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଓ ସମିତି ସଦସ୍ୟମାନେ ଶ୍ରୀ ଅଣ୍ଡିଆଙ୍କୁ ବିରୋଧ କରିଥିଲେ। ସାଂସଦଙ୍କ ନିଯୁକ୍ତି ବାବଦ ଚିଠି ଦେଖାଇବାକୁ କହିଥିଲେ। ଅତିରିକ୍ତ ବିଡିଓ ଶରତ କୁମାର ମୁଦୁଲି ସାଂସଦ ଶ୍ରୀ ଅଣ୍ଡିଆ ତାଙ୍କର ପ୍ରତିନିଧି ବୋଲି ଏକ ମୋବାଇଲ୍ ମେସେଜ୍ ଦେଖାଇଥିଲେ ବି ବିଜେଡି ସମର୍ଥିତ ପଞ୍ଚାୟତ ସମିତି ସଦସ୍ୟଙ୍କ ସହ ୨୨ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠୀ ଓ ୨୩ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ବେଣୁଧର ଜେନା ମିଳିତ ଭାବେ ଶ୍ରୀ ଅଣ୍ଡିଆଙ୍କୁ ବିରୋଧ କରିଥିଲେ। ଏଥିସହିତ ସାଂସଦଙ୍କ ଚିଠି ନ ଦେଖାଇଲେ ସେ ବୈଠକରେ ବସିପାରିବେନି ବୋଲି କହି ହଟ୍ଟଗୋଳ କରିଥିଲେ।
ଏହି ହଟ୍ଟଗୋଳ ଭିତରେ ଜଗତୀପୁର ସମିତି ସଦସ୍ୟ ଶାନ୍ତନୁ ମହାପାତ୍ର ଚୌକିରୁ ଉଠିଆସି ଅତିରିକ୍ତ ବିଡିଓ ଶ୍ରୀ ମୁଦୁଲି ଓ ଅଧ୍ୟକ୍ଷା ଶ୍ରୀମତୀ ନାୟକଙ୍କୁ ବୈଠକ ଚାଲିବ ନା ଚାଲିବନି ବୋଲି ପ୍ରଶ୍ନ କରିଥିଲେ। ଏହି ସମୟରେ ୨୨ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠୀ ଦୌଡ଼ିଆସି ସମିତି ସଦସ୍ୟ ଶ୍ରୀ ମହାପାତ୍ରଙ୍କୁ ଧକ୍କା ଦେବା ସହ ମୁଥ ମାରିଥିଲେ। ଫଳରେ ସଭାଗୃହରେ ଉପସ୍ଥିତ ଦେଉଳା ସରପଞ୍ଚ ସରୋଜ ପିଳା ଓ ଅନ୍ୟ ପିଆର୍ଆଇ ସଦସ୍ୟମାନେ ହୋ’ହାଲ୍ଲା କରିଥିଲେ। କେହି ଜଣେ ପଞ୍ଚାୟତ ସମିତି ସଦସ୍ୟ ଭିଡ଼ ଭିତରକୁ ଏକ ଚେୟାର୍ ଫୋପାଡ଼ିଥିଲେ। ସେହି ଚେୟାର୍ ଡଗରା ସରପଞ୍ଚ ସତ୍ୟାନନ୍ଦ ମହାନ୍ତିଙ୍କଠାରେ ବାଜିବାରୁ ତାଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେହିପରି ବିଜେପି ଓ ବିଜେଡି କର୍ମୀମାନେ ପରସ୍ପର ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ। ଫଳରେ ବ୍ଲକ୍ ପରିସର ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା। ଖବର ପାଇ ବାଲିଆପାଳ ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ ଏବଂ ବାଲିଆପାଳ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ଉତ୍ତେଜନା ଦେଖି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ନାୟକଙ୍କ ସହ ଅତିରିକ୍ତ ବିଡିଓ ଶ୍ରୀ ମୁଦୁଲି ବୈଠକକୁ ବାତିଲ କରିଦେଇଥିଲେ।
ଅନ୍ୟପଟେ ଡଗରା ସରପଞ୍ଚ ଶ୍ରୀ ମହାନ୍ତିଙ୍କୁ ବାଲିଆପାଳ ଡାକ୍ତରଖାନା ଏବଂ ସେଠାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଉଭୟ ପକ୍ଷ ବାଲିଆପାଳ ଥାନାରେ ଏତଲା ଦେଇଛନ୍ତି। ବସ୍ତା ଏସ୍ଡିପିଓ ମାନସ କୁମାର ଦେଓ ସ୍ଥିତି ଉପରେ ନଜର ରଖିଛନ୍ତି। ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଡ.ମଧୁସ୍ମିତା ସାମନ୍ତରାୟ ମଧ୍ୟ ବାଲିଆପାଳ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ଏ ନେଇ ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି, ଶ୍ରୀ ଅଣ୍ଡିଆ ମୋର ପ୍ରତିନିଧି ଭାବେ ନିଯୁକ୍ତି ପାଇଛନ୍ତି। ଏ ନେଇ ବ୍ଲକ୍ ପ୍ରଶାସନ ପାଖରେ ଖବର ଅଛି। କାହାକୁ ପ୍ରତିନିଧି ଭାବେ ନିଯୁକ୍ତି ଦିଆଯିବ, ଦିଆ ନଯିବ; ସାଂସଦଙ୍କ କାର୍ଯ୍ୟାଳୟ ନିଷ୍ପତ୍ତି ନିଏ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/01/ZWYNp3faKiTU2CRMGi54.jpg)