ସବ୍‌ଷ୍ଟେସନ୍‌ ଉଦ୍‌ଘାଟନସ୍ଥଳ ପାଲଟିଲା ରଣକ୍ଷେତ୍ର

ବିଜେଡି-କଂଗ୍ରେସ କର୍ମୀ ଧସ୍ତାଧସ୍ତି, ପଡ଼ିଗଲେ ମନ୍ତ୍ରୀ

କଟକ/ରାଇସୁଙ୍ଗୁଡା/ସାଲେପୁର: ବିଦ୍ୟୁତ୍‌ ସବ୍‌ଷ୍ଟେସନ୍‌ ଉଦ୍‌ଘାଟନ ସ୍ଥଳ ପାଲଟିଛି ରଣକ୍ଷେତ୍ର। କଂଗ୍ରେସ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ଯୋଗୁଁ ଉଭୟ ପକ୍ଷର ୪ଜଣ ଆହତ ହୋଇଥିବା ବେଳେ ଶକ୍ତିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍‌ ତଳେ ପଡ଼ି ଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବିଦ୍ୟୁତ୍‌ ଡ଼ିଭିଜନ ଅଧୀନ ରାଇସୁଙ୍ଗୁଡ଼ା ସେକସନ୍‌ର ମଢ଼ଙ୍ଗା ଠାରେ ଅନୁଷ୍ଠିତ ୩୩/୧୧ କେଭି ସବଷ୍ଟେସନ୍‌ ଉଦଘାଟନ କାର୍ଯ୍ୟକ୍ରମରେ।

ସୂଚନା ଅନୁସାରେ, ସାଲେପୁର ବିଦ୍ୟୁତ୍‌ ଡ଼ିଭିଜନ ଅଧୀନ ରାଇସୁଙ୍ଗୁଡ଼ା ସେକସନ୍‌ର ମଢ଼ଙ୍ଗା ଠାରେ ୩୩/୧୧ କେଭି ସବଷ୍ଟେସନର ନିର୍ମାଣ କାର୍ଯ୍ୟ ଦୀର୍ଘଦିଦ ହେଲା ସରିଥିଲେ ମଧ୍ୟ ରାଜନୈତିକ ଛକାପଞ୍ଝାରେ ଉଦ୍‌ଘାଟନ ହୋଇପାରୁନଥିଲା ପ୍ରକଳ୍ପ । ୪କୋଟି ଟଙ୍କା ଅଟକଳ ମୂଲ୍ୟରେ ଗୁପ୍ତା ପାୱାର ଇମ୍‌ଫା ପାୱାର ଷ୍ଟ୍ରକ୍‌ଚର ଲିମିଟେଡ଼୍‌ କମ୍ପାନୀ ଏହି କାମ କରିଥିଲା। ତେବେ ଆଜି ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଶକ୍ତିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍‌ , ସମ୍ମାନୀତ ଅତିଥି ସାଲେପୁର ବିଧାୟକ (କଂଗ୍ରେସ) ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ସାଂସଦ ବୈଜୟନ୍ତ ପଣ୍ଡା, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ରାଉତ, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା, ସ୍ଥାନୀୟ ସରପଞ୍ଚ ସସ୍ମିତା ସାହୁ, ସମିତିସଭ୍ୟା ସ୍ୱାତୀପ୍ରଭା ମହାପାତ୍ରଙ୍କ ନାମ ସ୍ଥୀରିକୃତ ହୋଇଥିଲା। ବିଧାୟକ ତାଙ୍କ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଉଦ୍‌ଘାଟନସ୍ଥଳରେ ପହଞ୍ଚିଥିଲେ। ଏହା ପରେ ଶକ୍ତିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍‌ ଓ ସ୍ଥାନୀୟ ବିଜେଡ଼ି ନେତା ପ୍ରଶାନ୍ତ ବେହେରା ତାଙ୍କ ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଆସି ପହଞ୍ଚିବା ପରେ ଉଭୟ ପକ୍ଷର କର୍ମୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଧସ୍ତାଧସ୍ତି। ଚେୟାର ଫିଙ୍ଗବା ସହ ଉଭୟପକ୍ଷ ସେଠାରେ ଧସେଇ ପଶିଥିଲେ। ଗଣ୍ଡଗୋଳରେ ଉଭୟ ପକ୍ଷର ୪ ଜଣ ଆହତ ହେବା ସହିତ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍‌ ତଳେ ପଡ଼ିଯାଇଥିଲେ। କେବଳ ନଡ଼ିଆ ବାଡ଼େଇ ଉଦ୍‌ଘାଟନ ପର୍ବ ସାରିଦେଇଥିଲେ। ଆଜିର ଅତିଥି ତାଲିକାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମ ଥିବା ବେଳେ ତାଙ୍କର ଦେଖା ମିଳି ନ ଥିଲା। ଏହି ଗଣ୍ଡୋଗୋଳ ଚାଲିଥିବା ବେଳେ ପୁଲିସ ନିରବଦଷ୍ଟା ସାଜିଥିଲା। ଦୀର୍ଘ ଦିନ ହେବ ଏହି ବିଦ୍ୟୁତ୍‌ ସବ୍‌ଷ୍ଟେସନ ନିର୍ମାଣ ସରିଥିଲେ ମଧ୍ୟ ରାଜନୈତିକ ବିବାଦକୁ କେନ୍ଦ୍ର କରି ଉଦଘାଟନ ହୋଇପାରି ନ ଥିଲା।

ତେବେ ଆଜିର ଏହି ଗଣ୍ଡଗୋଳ ଘଟଣା ସଂପର୍କରେ ଥାନାରେ କୈାଣସି ମମଲା ରୁଜୁ ହୋଇନାହିଁଁ। କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ବେଣୁଧର ପ୍ରଧାନ, ସମ୍ରାଟ କେଶରୀ ଲେଙ୍କା, ଲୋକନାଥ ସାହୁ, ଅଜିତ୍‌ କୁମାର ପଣ୍ଡା, ବିଜୟ କୁମାର ସାହୁ, ମନୋରଂଜନ ମହାପାତ୍ର, ପୂର୍ବତନ ସମିତିସଭ୍ୟ ବିଶ୍ୱରଂଜନ ଦାଶ, ବ୍ଲକ୍‌ ବିଜେଡ଼ି ସଂଖ୍ୟାଲଘୁ ସେଲର ପୂର୍ବତନ ସଭାପତି ମହମ୍ମଦ ଅଲିମ୍‌, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଂଜନ ମହାନ୍ତି , ସେସୁ ମଣ୍ଡଳ ଅଧିକାରୀ ଶ୍ରଦ୍ଧାକର ରାଉତ, ନିର୍ବାହୀ ଯନ୍ତ୍ରୀ ବିରଜା ପ୍ରସାଦ ପାଢ଼ୀ, ସହକାରୀ ଯନ୍ତୀ ସୁଜିତ୍‌ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ମାନସ ସ୍ୱାଇଁ ପ୍ରମୁଖ ଉଭୟ ଦଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ। ଏଭଳି ଗଣ୍ଡଗୋଳ ପରେ ଉଭୟ କଂଗ୍ରେସ ଓ ବିଜେଡି ପରସ୍ପର ଉପରେ ଦୋଷ ଲଦାଲଦି କରିଛନ୍ତି। ଆଜିର ଏହି ଘଟଣାକୁ ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ନିନ୍ଦା କରିବା ସହିତ ଏଥିରେ କଂଗ୍ରେସ ଓ ବିଜେଡିର କୌଣସି ଗଣ୍ଡଗୋଳ ଘଟିନାହିଁ ।ବରଂ ବିଜେଡି କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଛନ୍ତି। କେବଳ ରାଜନୈତିକ ରଙ୍ଗଦିଆଯାଉଛି। ତେବେ ମନ୍ତ୍ରୀ ତଳେ ପଡିବା ଘଟଣାକୁ ସେ ଅସ୍ୱୀକାର କରିଛନ୍ତି। ବିଜେଡି ନେତା ପ୍ରଶାନ୍ତ ବେହେରା କହିଛନ୍ତି ଯେ ଉନ୍ନୟନମୂଳକ କାମରେ କଂଗ୍ରେସ ବାଧା ସୃଷ୍ଟିକରୁଛି। କଂଗ୍ରେସ କର୍ମୀଙ୍କ ପାଇଁ ଏଭଳି ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ପ୍ରଶାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର