ସ୍ବାମୀନାଥନ୍‌ ରିପୋର୍ଟ ଲାଗୁ ହେବା ଯାଏ ଲଢ଼େଇ ଚାଲିବ: ନବୀନ

କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା
ଭୂମିହୀନ ଚାଷୀ ପାଇଲେ ୩୮୬ କୋଟିର ସହାୟତା

ଭୁବନେଶ୍ବର : କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାରଙ୍କୁ ୩୮୬ କୋଟି ଟଙ୍କାର କୋଭିଡ୍‌ ସହାୟତା ପ୍ରଦାନ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ରାଶି ପ୍ରଦାନ କରିବା ଅବସରରେ କେନ୍ଦ୍ର ସରକାରଙ୍କୁ ତେର୍‌ଛା ବାଣ ମାରିଛନ୍ତି। କହିଛନ୍ତି ଯେ ଚାଷୀଙ୍କ ସ୍ବାର୍ଥର ସୁରକ୍ଷା ନିମନ୍ତେ ସ୍ବାମୀନାଥନ୍‌ କମିଟିର ସୁପାରିସ୍‌କୁ କାର୍ଯ୍ୟକାରୀ କରିବା ପାଇଁ ସବୁବେଳେ ଦାବି କରିଆସିଛନ୍ତି। ଏହା ପୂରଣ ହେଲା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ସେ ଚେତାଇ ଦେଇଛନ୍ତି। ସ୍ବାମୀନାଥନ୍‌ କମିଟି ସୁପାରିସ୍‌ ଆଧାରରେ ଚାଷୀଙ୍କ ଫସଲର ଏମ୍‌ଏସ୍‌ପି ନିର୍ଧାରଣ କରିବାକୁ ଓଡ଼ିଶା ସରକାର ବହୁ ଦିନରୁ ଦାବି କରିଆସୁଛନ୍ତି।

କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାର ଏହି କୋଭିଡ୍‌ ସହାୟତା ପାଇଛନ୍ତି। ଏଥିରେ ପ୍ରତ୍ୟେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ୧୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ମଧ୍ୟ ଅନ୍ତର୍ଭୁକ୍ତ। ଏହି ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯାଇଛି। ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରି ସେ ବହୁତ ଖୁସି। ଚାଷୀ, ଶ୍ରମିକ ଓ ମଜଦୁର ମାନଙ୍କ ପରି ଖଟିଖିଆ ବର୍ଗ ହେଉଛନ୍ତି ଆମ ଅର୍ଥନୀତି ନାଭିକେନ୍ଦ୍ର। ଏ ସମସ୍ତଙ୍କ ତ୍ୟାଗ ହିଁ ଆମ ଅର୍ଥନୀତିକୁ ସମୃଦ୍ଧ କରିଥାଏ। କୃଷି କ୍ଷେତ୍ରର ସବୁ ସଫଳତା ପଛରେ ଭୂମିହୀନ ଚାଷୀର ତ୍ୟାଗ ଓ ପରିଶ୍ରମ ରହିଛି। ଆମେ ତା’ର ତ୍ୟାଗକୁ ସମ୍ମାନ କରୁ। ଚାଷୀ ହେଉଛନ୍ତି ଆମର ଗର୍ବ ଓ ଗୌରବ। ତେଣୁ ଚାଷୀ ସ୍ବାର୍ଥର ସୁରକ୍ଷା ସବୁବେଳେ ତାଙ୍କର ପ୍ରାଥମିକତା ହୋଇ ରହି ଆସିଛି। କାଳିଆ ଯୋଜନା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ପରିବାର ମୁହଁରେ ହସ ଆଣିଛି ଓ ମନରେ ଭରସା ଦେଇଛି। ଏଥିପାଇଁ କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବର୍ତ୍ତମାନ କୋଭିଡ୍‌ ଯୋଗୁଁ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡ଼ିଛି। ପ୍ରଥମ ଲହରରେ କୃଷି ହିଁ ଆମ ଅର୍ଥନୀତିକୁ ବଞ୍ଚାଇଥିଲା। ଦ୍ବିିତୀୟ ଲହରରେ ଲକ୍‌ଡାଉନ, ସଟ୍‌ଡାଉନ ଯୋଗୁଁ ଲୋକଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପଡ଼ିଛି। ସେଥିପାଇଁ ରାଜ୍ୟ ସରକାର ଚାଷୀ, ଶ୍ରମିକ, ଉଠା ଦୋକାନୀ, ଦୁଗ୍ଧ ଚାଷୀ ଆଦି ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କୋଭିଡ ପ୍ୟାକେଜ ଘୋଷଣା କରିଛନ୍ତି। କୋଭିଡ ବିରୋଧରେ ଲଢ଼େଇ କେବଳ ସରକାର ବା ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀଙ୍କର ନୁହେଁ, ଏହା ଆମ ସମସ୍ତଙ୍କର ଲଢ଼େଇ। ତେଣୁ ଏହି ଲଢ଼େଇରେ ବିଜୟ ପାଇଁ ଚାଷୀ ଭାଇମାନେ ସମସ୍ତେ ଟିକା ନେବା ସହିତ କୋଭିଡ ନିୟମ ପାଳନ କରିବାକୁ ସେ ନିବେଦନ କରିଥିଲେ।

କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଅରୁଣ ସାହୁ କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । କୃଷକ ମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ଼ ନେତୃତ୍ବର ଉଚ୍ଚ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ କାଳିଆ ଯୋଜନା ଓ ଭୂମିହୀନ ଚାଷୀଙ୍କ ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶନ କରଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ସୁଫଳ ବିଷୟରେ ୩ ଜଣ ଭୂମିହୀନ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ନିଜ ସଫଳତା ସମ୍ପର୍କରେ ବର୍ଣ୍ଣନା କରି ମାଳତି ମେଲେକା କହିଥିଲେ ଯେ କାଳିଆ ଯୋଜନାରେ ପାଇଥିବା ସହାୟତାକୁ ସେ ଛତୁ ଚାଷରେ ବିନିଯୋଗ କରି ଲାଭବାନ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ର ସୁରଥ ମାଝୀ କାଳିଆ ଯୋଜନା ସହାୟତାରେ ଜାଲ କିଣି ମାଛ ଧରିବା ସହ ଚାଷ କରି ସେ କିପରି ଉପକୃତ ହୋଇଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ। ଭଦ୍ରକର ଗଣେଶ ଦାସ କାଳିଆ ଯୋଜନା ସହାୟତାରେ ମାଛ ଓ ଶୁଖୁଆ ବେପାର କରି ପରିବାର ଭଲରେ ଚଳାଉଛନ୍ତି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। କୃଷି ବିଭାଗ ସଚିବ ଏସ. କେ. ବଶିଷ୍ଠ ସ୍ବାଗତ ଭାଷଣ ଦେଇଥିଲେ ଏବଂ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିସନର୍ ଓ ୩୦ ଟି ଜିଲ୍ଲାର ବହୁ ଭୂମିହୀନ ଚାଷୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର