ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ପଣସପୁଟ ବାଗ୍ରାଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ମିଶ୍ରଣ ଓ  ଚିନ୍ତନ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀରାଣୀ ବାହିନୀପତି ସଭାପତିତ୍ବ କରିଥିଲେ। ଆସନ୍ତା ୨୦ତାରିଖ ମଧ୍ୟରେ ପ୍ରତ୍ୟେକ ପଞ୍ଚାୟତ, ବୁଥସ୍ତରୀୟ କର୍ମକର୍ତ୍ତାମାନଙ୍କ ତାଲିକା ପ୍ରସ୍ତୁତ କରି ଦେବାକୁ କୁହାଯାଇଥିଲା। ଏଥିରେ ଜିଲ୍ଲାର ୧୪ଟି ବ୍ଲକ, ୪ଟି ପୌରାଞ୍ଚଳର ସଭାପତି, କର୍ମକର୍ତ୍ତା, ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ, ୱାର୍ଡସଭ୍ୟ, କାଉନସିଲର ଆଦି ଭାଗ ନେଇ ନିଜ ନିଜ ମତ ଦେଇଥିଲେ। କିଭଳି ଗତ ପଂଚାୟତ ଓ ପୌରପାଳିକା ନିର୍ବାଚନ ସମୟରେ ଦଳ ବିଭିନ୍ନ ସ୍ତର ଦେଇ ଗତି କରିବାକୁ ପଢ଼ିଥିଲା ତାହା ଏମାନେ ସବୁ ବଖାଣିଥିଲେ।

Advertisment

ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ଅଳ୍ପ କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନର ସମ୍ଭାବନା ରହିଛି ବୋଲି କହିଥିଲେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଦଳର ତୃଣମୂଳସ୍ତରରୁ ସମସ୍ତ କର୍ମକର୍ତ୍ତା ଶୃଙ୍ଖଳିତ, ସଂଗଠିତ ହୋଇ ଏକଜୁଟ ହେବାକୁ ପଡ଼ିବ ବୋଲି କହିଥିଲେ। ଯେଉଁ ସବୁ ବ୍ଲକରେ ବିଜେଡିର ଅଧ୍ୟକ୍ଷ ଜିତିଛନ୍ତି ସେଠାରେ ବ୍ୟାପକ ଦୁର୍ନୀତି ହୋଇଛି। ସେ ସବୁ ବ୍ଲକରେ ଦୁର୍ନିତୀ ଓ ସ୍ଥାନୀୟ ନିଯୁକ୍ତିକୁ ମୁଖ୍ୟ ପ୍ରସଂଗ କରି ଘେରାଉ କରିବା ବୋଲି ବିଧାୟକ ଆହ୍ବାନ ଦେଇଥିଲେ।

ଗତ କିଛି ଦିନ ହେବ ‌ତାଙ୍କ ଲୋକପ୍ରିୟତାରେ କିଛି ନେତା ସହ୍ୟ କରି ନ ପାରି ତାଙ୍କୁ  ବଦନାମ କରିବା ପାଇଁ  ବିରୋଧରେ ପ୍ରଚାର ଓ ପ୍ରସାର କରୁଛନ୍ତି ବୋଲି ବିଧାୟକ କହିଥିଲେ। ଜିଲ୍ଲାରେ ବ୍ୟାପକ ଭାବେ ଶିକ୍ଷିତ ବେକାରୀ ସଂଖ୍ୟା ବୃଦ୍ଧି ପାଇଛି। ସ୍ଥାନୀୟ ପିଲାଙ୍କୁ ନିଯୁକ୍ତି ମିଳୁନି। ଗାଁ ଗାଁରେ ଦେଶୀ ରନ୍ଧାମଦର କୁଟୀରଶିଳ୍ପ। କଂଗ୍ରେସ ଶୃଙ୍ଖଳିତ ଦଳ, ବିଶୃଙ୍ଖଳାକାରୀ ମାନଙ୍କୁ ସ୍ଥାନ ନାହିଁ ବୋଲି ବିଧାୟକ  କହିଥିଲେ। ନିଜନିଜ ବ୍ଲକର ସମସ୍ୟାକୁ ବାହାର କର ଏହାକୁ ନେଇ ଆମେ ଲଢ଼ିବା ବୋଲି ବିଧାୟକ ଆହ୍ବାନ ଦେଇଥିଲେ। ଏହି ଅବସରରେ ଅନ୍ୟଦଳର କିଛି କର୍ମୀ କଂଗ୍ରେସରେ ଯୋଗ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, କୋଟପାଡ ଏନଏସି ଅଧ୍ୟକ୍ଷ ଏନ୍ .ଶଙ୍କର ରାଓ, ବରିଷ୍ଠ ନେତା ରାମଚନ୍ଦ୍ର ପାଢ଼ୀ, ନିହାର ବିଷୋଇ, ଜିଲ୍ଲା ମହିଳା କଂଗ୍ରେସ ‌ସଭାନେତ୍ରୀ ନଳିନୀ ରଥ, ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ, ବସନ୍ତ ନାୟକ, ଭଗବାନ ବାହିନୀପତି, ଦେବେନ୍ଦ୍ର ବାହିନୀପତି , ପି.ରମେଶ ପାତ୍ର, ଗୌର ପାତ୍ର, ଅଶୋକ ଗନ୍ତାୟତ ପ୍ରମୁଖ ଭାଗ ନେଇଥିଲେ।