କୋଭିଡ-୧୯ ସହିତ ଲଢ଼ିବାକୁ ବିଏମ୍‌ସି ଲଞ୍ଚ କଲା ‘ସଚେତକ୍‌ ଆପ’‌; ଡାକ୍ତରଙ୍କ ପରାମର୍ଶ ପାଇବେ ଓ ଅସୁବିଧା ସମୟରେ ସାହାଯ୍ୟ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ସହିତ ଲଢ଼ିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସଚେତକ ଆପ୍‌ ନାମକ ଏକ ମୋବାଇଲ୍‌ ଆପ୍ଲିକେସନ୍‌ (ଆପ୍‌)ଲଞ୍ଚ୍‌ କରିଛି। ଏହି ଆପ୍‌ କେବଳ ରାଜଧାନୀର ବୟସ୍କ ନାଗରିକ ଓ ପୂର୍ବରୁ ରୋଗଗ୍ରସ୍ତ ଥିବା ବ୍ୟକ୍ତିଙ୍କ ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ଦ୍ୱାରା ବିକଶିତ କରାଯାଇଛି। କୋଭିଡ-୧୯ ମହାମାରୀ ସମୟରେ ପୂର୍ବରୁ ରୋଗଗ୍ରସ୍ତ ଥିବା ବ୍ୟକ୍ତି ତଥା ବୃଦ୍ଧମାନଙ୍କର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ବ୍ୟକ୍ତିମାନଙ୍କୁ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଛି।

ଯେଉଁମାନେ ଏହି ଆପ୍‌ରେ ପଞ୍ଜିକୃତ ହେବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ଆପ୍‌ ଡାଉନଲୋଡ୍‌ କରିବେ। ଏହପରେ ଉପଭୋକ୍ତା ସେମାନଙ୍କ ମୋବାଇଲ୍‌ ନମ୍ବର ଏବଂ ଏକକାଳୀନ ପାସୱାର୍ଡ (ଓଟିପି) ବ୍ୟବହାର କରି ନାମ ପଞ୍ଜୀକୃତ କରିବେ। ଏହି ଆପ୍‌ରେ ପଞ୍ଜୀକୃତ ହୋଇଗଲେ ଉପଭୋକ୍ତାମାନେ ସେମାନଙ୍କ ବିଷୟରେ ସୂଚନା ଦେବେ।

ପ୍ରଥମେ ଉପଭୋକ୍ତା ବୟସ ପଞ୍ଜିକୃତ କରିବେ। ଏହାପରେ ବୃତ୍ତି ଏବଂ ଭୁବନେଶ୍ୱର କେଉଁ ଓ୍ଵାର୍ଡରେ ବାସବାସ କରୁଛନ୍ତି ତାର ଠିକଣା ଦେବାକୁ ପଡ଼ିବ।

ଏଥିସହିତ ଶରୀରରେ କୌଣସି ସାଂଘାତିକ ରୋଗ ଅଛି କି ନାହିଁ, ପୂର୍ବରୁ କୌଣସି ସର୍ଜରି ହୋଇଛି କି ନାହିଁ ସେ ସମ୍ପର୍କରେ ତଥ୍ୟ ଦେବାକୁ ପଡ଼ିବ। ଏହାପରେ ଆପଣଙ୍କ ଯତ୍ନ ନେଉଥିବା ବ୍ୟକ୍ତି ଓ ଡାକ୍ତରଙ୍କ ସୂଚନା ଦେବେ।

ଏସବୁ ପରେ ବିପଦରେ ଥିବା ଲୋକଙ୍କୁ ଚିହ୍ନଟ କରିବାରରେ ବିଏମ୍‌ସିକୁ ଏହା ସହଜ ହୋଇପାରିବ। ଆପ୍‌ରେ ଦିଆଯାଇଥିବା ତଥ୍ୟ ଅନୁସାରେ ଯେଉଁ ସହର ବା ଜୋନ୍‌ରେ ଅଧିକ ଅସୁରକ୍ଷିତ ଗୋଷ୍ଠୀ ଚିହ୍ନଟ ହେବ ସେହିଠାରେ ଉନ୍ନତ ସ୍ୱାସ୍ଥ୍ୟସେବା ଶିବିରର ଆୟୋଜନ କରାଯିବ।

ଏହି ଆପ୍‌ ଜରିଆରେ ‘କନ୍‌ସଲ୍‌ଟ ଡକ୍ଟର’ ବିକଳ୍ପ ବ୍ୟବହାର କରି ନାଗରିକମାନେ ନିର୍ଦ୍ଦିଷ୍ଟ ରୋଗ ପାଇଁ ପଞ୍ଜୀକୃତ ଡାକ୍ତରଙ୍କଠାରୁ ପରାମର୍ଶ ଲୋଡି ପାରିବେ। ଡାକ୍ତରଙ୍କ ସହ ଆପ୍‌ କିମ୍ବା ଫୋନ୍‌ ମାଧ୍ୟମରେ ଯୋଗାଯୋଗ କରି ପାରିବେ।

କେବଳ ଏତିକି ନୁହେଁ, ମେସେଜିଂ ବିକଳ୍ପ ବ୍ୟବହାର କରି ନାଗରିକମାନେ ଡାକ୍ତରଙ୍କ ପ୍ରଶ୍ନର ଉତ୍ତର ଦେଖିପାରିବେ ଏବଂ ଡାକ୍ତରଙ୍କୁ ଉତ୍ତର ମଧ୍ୟ ଦେଇପାରିବେ। ଭିଡିଓ, ନିର୍ଦ୍ଦେଶାବଳୀ, ନିରାପତ୍ତା ଏବଂ ପ୍ରତିରୋଧ ଟିପ୍ସ ତଥା ଅନ୍ୟାନ୍ୟ ସେବା ବିଷୟରେ ସୂଚନା ପାଇବା ପାଇଁ ନାଗରିକମାନେ ଏହି ଆପ୍‌ ବ୍ୟବହାର ମଧ୍ୟ କରିପାରିବେ ।

ନାଗରିକମାନେ ସଚେତକ ଆପ୍‌ ଜରିଆରେ ସେମାନଙ୍କର ମତାମତ କିମ୍ବା ଅସୁବିଧା ମଧ୍ୟ ଏହି ବିକଳ୍ପ ମାଧ୍ୟମରେ ପଠାଇ ପାରିବେ।

ପ୍ରଦାନ କରାଯାଇଥିବା ‘ରେଫର୍‌’ ବିକଳ୍ପ ବ୍ୟବହାର କରି ଆପ୍‌ ବ୍ୟବହାରକାରୀମାନେ ସେମାନଙ୍କର ସମ୍ପର୍କୀୟ, ପରିବାର କିମ୍ବା ସାଙ୍ଗମାନଙ୍କୁ ମଧ୍ୟ ରେଫର୍‌ କରିପାରିବେ । ଏସବୁ ପରେ ବିଏମସି କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି ଯେ ତଥ୍ୟର ଗୋପନୀୟତା ବଜାୟ ରହିବ । ତେଣୁ ଉପଭୋକ୍ତା ‘ସଚେତକ୍‌ ’ଆପ୍‌ ଜରିଆରେ ବ୍ୟକ୍ତିଗତ ତଥ୍ୟ ସେୟାର କରିବା ନେଇ କୌଣସି ପ୍ରକାର ବିପଦ ନାହିଁ।

ସମ୍ବନ୍ଧିତ ଖବର