କୁମ୍ଭୀର ସହ ଲଢ଼ି ଜୀବନ ବଞ୍ଚାଇଲେ

ରାଜକନିକା : କୁମ୍ଭୀର ସହ ଲଢ଼ି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ଭାରିଗଦା ପଞ୍ଚାୟତ ବଡ଼ଜୋରମୁହଁ ଗ୍ରାମର ନିତ୍ୟାନନ୍ଦ ପାତ୍ର (୪୫)ନିଜ ଜୀବନ ବଞ୍ଚାଇ ପାରିଛନ୍ତି। ଗୁରୁତର ଅବସ୍ଥା‌ରେ ସେ କଟକ ବଡ଼ ମେଡିକ‌ାଲ‌ରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁସାରେ, ନିତ୍ୟାନନ୍ଦ ସବୁଦିନ ପରି ଗତକାଲି ରାତି ୧୧ଟା ସମୟରେ ଘର ପାଖରେ ପ୍ରବାହିତ ଖରସ୍ରୋତା ନଦୀକୂଳକୁ ଶୌଚ ହେବାକୁ ଯାଇଥିଲେ। ସେଠାରେ ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ଲଗାଯାଇଥିବା ତାର ଜାଲି ଭାଙ୍ଗି ଯାଇଥିବାରୁ କୁମ୍ଭୀରଟି ନଦୀ ତୁଠ ଉପରକୁ ପଳାଇ ଆସି ଲୁଚି ରହିଥିଲା। ଶୌଚ ବେଳେ କୁମ୍ଭୀରଟି ନିତ୍ୟାନନ୍ଦଙ୍କ ବେକକୁ ମାଡ଼ି ବସି ନଦୀ ଭିତରକୁ ନେଇଯିବାକୁ ଉଦ୍ୟମ କରିଥିଲା। ହେ‌ଲେ, ନିତ୍ୟାନନ୍ଦ ସାହସ ଜୁଟାଇ କୁମ୍ଭୀର ସହ ଲଢେଇ କରିଥିଲେ। ଏହି ସମୟରେ ନଦୀକୂଳରେ ଲାଗିଥିବା ତାର ଜାଲିକୁ ମାଡ଼ିବସି ନିତ୍ୟାନନ୍ଦ କୁମ୍ଭୀରକୁ ଜୋର୍‌ରେ ଧକ୍କା ମାରିଥିଲେ। ଫଳରେ କୁମ୍ଭୀରଟି ତାଙ୍କୁ ଛ‌ାଡ଼ି ପାଣି ଭିତରକୁ ପଳାଇଥିଲା। କୁମ୍ଭୀର ଆକ୍ରମଣରେ ତାଙ୍କ ବେକ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଲୋକେ ଉଦ୍ଧା‌ର କରି ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପଟେ ନଦୀ ତୁଠରେ ଲାଗିଥିବା ଭଙ୍ଗା  ତାର ବାଡ଼କୁ ତୁରନ୍ତ ମରାମତି କରିବା ସହିତ ନୂତନ ତାର ଜାଲି ଲଗାଇବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର