ତେଲକୋଇ/ଜଗମୋହନପୁର : ସୋମବାର ଦିନ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ଜଗମୋହନପୁର ଠାରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଭୂମି ପୂଜନ ଉତ୍ସବ ବେଳେ ମାରପିଟ୍ ହୋଇଛି। ଫଳକରେ ମୋହନଙ୍କ ନାମ ନଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା, ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ, ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ନାମ ଉଲ୍ଲେଖ ରହିଥିବା ବେଳେ ସଦର ବିଧାୟକ ମୋହନ ମାଝିଙ୍କ ନାମ ନଥିଲା। ଫଳରେ ଶିଳାନ୍ୟାସ ଫଳକକୁ ଭାଙ୍ଗି ଦିଆଯାଇଛି। ଏନେଇ ବିଜେଡି ଓ ବିଜେପି ସମର୍ଥକଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଉଭୟପକ୍ଷରୁ ତେଲକୋଇ ଥାନାରେ ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2021/11/389bd57b-622f-4760-a6cf-ca7742847ec7.jpg)
କେନ୍ଦ୍ରୀୟ ଅନୁଦାନରେ ଜଗମୋହନପୁର ଠାରେ ହେବାକୁ ଥିବା ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ ଉତ୍ସବ ଥିଲା। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଏହାକୁ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ। ଉତ୍ସବରେ ଅତିଥି ଭାବେ ତେଲକୋଇ ବିଧାୟକ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ, ସଦର ବିଧାୟକ ମୋହନ ମାଝି, ବିଜେପି ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ମାନସ କୁମାର ନାଏକ, ବ୍ଲକ ବିଜେଡି ସଭାପତି ସନ୍ତୋଷ କୁମାର ବିଶ୍ବାଳ, ଜଗମୋହନପୁର ସମିତି ସଭ୍ୟ ପୁଷ୍ପାଞ୍ଜଳି ଆପଟ ଉପସ୍ଥିତ ଥିଲେ। ଉତ୍ସବ ସ୍ଥଳରେ ମନ୍ତ୍ରୀ ଶ୍ରୀ ନାୟକ ପ୍ରଥମେ ପହଞ୍ଚି ଶିଳାନ୍ୟାସ କରିଥିଲେ। ପରେ ପରେ ସଦର ବିଧାୟକ ମୋହନ ମାଝି ପହଞ୍ଚି ଥିଲେ। ପ୍ରୋଜେକ୍ଟର ମାଧ୍ୟମରେ ମୋଦିଙ୍କ ଅଭିଭାଷଣ କାର୍ଯ୍ୟକ୍ରମକୁ ବନ୍ଦ କରି ଅତିଥିଙ୍କ ଅଭିଭାଷଣ ଅନୁଷ୍ଠିତ କରାଗଲା। ପରେ ମନ୍ତ୍ରୀ ମଞ୍ଚରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରୋଜେକ୍ଟର ବନ୍ଦ କରିବା ଓ ଫଳରେ ମୋହନଙ୍କ ନାମ ନ ରହିବାକୁ ବିଜେପି ସମର୍ଥକ ହଜମ କରି ପାରି ନଥିଲେ। ସଂପୃକ୍ତ ଠିକା ସଂସ୍ଥା ଅଧିକାରୀଙ୍କୁ ଫଳକ ଭାଙ୍ଗିବାକୁ ତାଗିଦ୍ କରିଥିଲେ। ଠିକା ସଂସ୍ଥା କର୍ମଚାରୀମାନେ ଫଳକ ଭାଙ୍ଗି ଦେଇଥିଲେ। ଏହି ଖବର ବିଜେଡି ଶିବିରରେ ପହଞ୍ଚିବାରୁ ୧୦/୧୫ ଜଣ ବିଜେଡି ସମର୍ଥକ ପିଛା କରି ଛାମୁଣ୍ଡା ମୁଣ୍ଡାସାହି ନିକଟରେ ତେଲକୋଇ ମଣ୍ଡଳ ବିଜେପି ସଭାପତି, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ମାନସ କୁମାର ନାଏକ ଓ ତାଙ୍କ ୭ଜଣ ସମର୍ଥକଙ୍କୁ ଅଟକାଇ ପାଟିତୁଣ୍ଡ କରିବା ସହିତ ମାରପିଟ୍ କରିଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।
ଆଜିର କାର୍ଯ୍ୟକ୍ରମରେ ମୋହନ ମାଝିଙ୍କୁ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବାକୁ କେନ୍ଦ୍ର ଆଦିବାସୀ କଲ୍ୟାଣ ବ୍ୟାପାର ବିଭାଗ ପକ୍ଷରୁ ପୂର୍ବରୁ ଜିଲ୍ଲାପାଳଙ୍କୁ ଚିଠି ଦ୍ୱାରା ଜଣାଇ ଦିଆଯାଇଥିଲା ବୋଲି ପୂର୍ବତନ ବ୍ଲକ ବିଜେପି ସଭାପତି ପ୍ରମୋଦ କୁମାର ସାହୁ କହିଛନ୍ତି। ମାରପିଟ୍ ନେଇ ବିଜେଡି ସଭାପତି ସନ୍ତୋଷ କୁମାର ବିଶ୍ବାଳଙ୍କୁ ପଚାରିବାରୁ କାର୍ଯ୍ୟକ୍ରମ ଶେଷ ପରେ ମନ୍ତ୍ରୀଙ୍କ ସହିତ ସେ ଫେରିଆସିଥିଲେ। ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସେ ସ୍ୱୀକାର କରିଛନ୍ତି। ଏନେଇ ତେଲକୋଇ ଥାନାରେ ଅଭିଯୋଗ ହୋଇଛି କି ନାହିଁ ଏସଆଇ କିଶୋର ପାତ୍ରଙ୍କୁ ପଚାରିବାରୁ ପରେ କହିବେ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/3f78c034-8ac5-4661-9b7d-5216eefa6370.jpg)