ନ୍ୟାୟ ପାଇଁ  ଲଢ଼ିଲେ ମିଥ୍ୟା ମକଦ୍ଦମାରେ ସରକାର ଫସାଉଛନ୍ତି: ନିରାକାର

ଭଞ୍ଜନଗର : ଗଣତାନ୍ତ୍ରିକ ଉପାୟରେ ସମାଜର ଦଳିତ ଆଦିବାସୀ ଓ ଚାଷୀଙ୍କ ସମସ୍ୟା ନେଇ ସ୍ବର ଉଠାଇଲେ ସରକାର ଆକ୍ରୋଶମୂଳକ ଭାବେ ମିଥ୍ୟା ମକଦ୍ଦମାରେ ଫସାଉଛନ୍ତି। ମିଥ୍ୟା ମାମଲାରେ ବାରମ୍ବାର ଗିରଫ କରି ଜେଲ୍ ପଠାଉଛନ୍ତି। ଅଖିଳ ଭାରତ କ୍ଷେତ ମଜଦୂର କିଷାନ୍‌ ସଭା ଓ ଚାଷୀ ମୂଲିଆ ସଂଘର ନେତା ନିରାକାର ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି।
ଭଞ୍ଜନଗର ଢ଼ୁଢୁଆ ଶିବମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିରାକାର ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଦୃଢ଼ ଭାବେ ନିନ୍ଦା କରିଥିଲେ। ସେ କହିଥିଲେ, ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା, ସୋରଡ଼ା, ଦିଗପହଣ୍ଡି ଓ ବେଗୁନିଆପଡ଼ା ଆଦି ବ୍ଲକ୍‌ରେ ଭୂମିହୀନ ମାନଙ୍କୁ ଜମି ଓ ଘରଡିହ ପଟ୍ଟା ଏବଂ ଭାଗଚା‌ଷୀ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ଲାଗି ସେ ଆନ୍ଦୋଳନର ନେତୃତ୍ବ ନେଉଛନ୍ତି। ତାଙ୍କ ସ୍ବରକୁ ଦମନ କରିବା ପାଇଁ ଚକ୍ରାନ୍ତ କରି ପୁରୁଣା ମାମଲାରେ ଗିରଫ କରି ଜେଲ ପଠାଯାଉଛି। ବଡଗଡ଼ ଥାନାରେ ୨୦୧୧ ମସିହାରେ ଏକ ମାଓ କାର୍ଯ୍ୟକଳାପ ମାମଲାରେ ଅଭିଯୁକ୍ତ ଦର୍ଶାଇ ତାଙ୍କୁ ୨୦୧୯ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। କିନ୍ତୁ ଏହା ପୂର୍ବରୁ ୨୦୧୨ରେ ସେ ଗିରଫ ହୋଇ ଜେଲ୍‌ରେ ରହିଥିବା ବେ‌ଳେ ହାଇକୋର୍ଟରୁ  ଜାମିନ୍ ପାଇ ୨୦୧୫ରେ ଜେଲ୍‌ରୁ ଜାମିନ୍‌ରେ ମୁକୁଳିଥିଲେ। ‌ଜାମିନରେ ଆସିବା ପରେ ପ୍ରଶାସନଠୁ ଅନୁମତି ଆଣି ବିଭିନ୍ନ ଆନ୍ଦୋଳନ କରିବା ସହ ଗତ ସାଧାରଣ ନିର୍ବାଚନରେ ସୋରଡ଼ା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଏହି ସମୟରେ ତାଙ୍କୁ ବିରୋଧ କରାଯାଇ ନଥିଲା। ପରେ ସେ ଗୋଚ୍ଛାବାଡ଼ି ଏବଂ ଚୁଡାଖାଇର ଗ୍ରାମବାସୀଙ୍କ ଘରଡିହ ପଟ୍ଟା ଏବଂ ଜଙ୍ଗଲ ଜମି ଅଧିକାର ପାଇଁ ମଧ୍ୟ ଆନ୍ଦୋଳନ କରିଥିଲେ। କିନ୍ତୁ ପୁଲିସ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ୨୦୧୧ ମସିହା ଏକ ମାଓ କାର୍ଯ୍ୟକଳାପରେ ସଂପୃକ୍ତି ଥିବା ଦର୍ଶାଇ ୨୦୧୯ରେ ଗିରଫ କରିଥିଲା। ଆନ୍ଦୋଳନକୁ ଦମନ କରିବାକୁ ତାଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରାଯାଉଥିବା ନିରାକାର କହିଛନ୍ତି। ସରକାର ଆଦିବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିପାରୁ ନଥିବା ବେଳେ, ଯେଉଁ ମାନେ ନ୍ୟାୟ ଦେବାକୁ ଲଢ଼ୁଛନ୍ତି ସେମାନଙ୍କୁ ସରକାରଙ୍କ ଦମନ ନୀତି ନିନ୍ଦନୀୟ। ସରକାର ଏଭଳି ମିଥ୍ୟା ମକଦ୍ଦମା ଲଗାଇ ଗିରଫ କରିବା ବଦଳରେ ଲୋକଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରନ୍ତୁ ବୋଲି ନିରାକାର କହିଛନ୍ତି। ଏଆଇକେଏସ୍‌ଏସ୍‌ର ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ମହାନ୍ତି ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର