ପାଣି ପାଇଁ ଓଡ଼ିଶା ଭିତରେ କଳି : ଲୁଣାଜଳ ପାଇଁ ଭଦ୍ରକ ଜିଲ୍ଲାବାସୀ ଛଟପଟ
‘ଖରସ୍ରୋତା’କୁ ଆଶ୍ରା କଲାବେଳକୁ ମୁଣ୍ଡ ଟେକିଲାଣି ଆନ୍ଦୋଳନ
୯୦୦ କୋଟିର ଜଳପ୍ରକଳ୍ପକୁ ନେଇ ଅଡୁଆରେ ରାଜ୍ୟ ସରକାର
Sambad is now on WhatsApp
Join and get latest news updates delivered to you via WhatsApp
ଭଦ୍ରକ : ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ଦୁଇ ପ୍ରମୁଖ ନଦୀ ମନ୍ତେଇ ଓ ବୈତରଣୀର ପାଣି ଲୋକଙ୍କ ଶୋଷ ମେଣ୍ଟାଇ ପାରୁନାହିଁ। ଯଦିଓ ଏହି ଦୁଇ ନଦୀରେ ପ୍ରଚୁର ଜଳରାଶି ଅଛି, କିନ୍ତୁ ଲବଣାକ୍ତ ଓ କ୍ଷାରଯୁକ୍ତ କାରଣରୁ ଏହା ପିଇବା ଅନୁପଯୋଗୀ। ଯେଉଁଥିପାଇଁ ଏହି ଦୁଇ ନଦୀ ଉପରେ କୌଣସି ପାନୀୟ ଜଳପ୍ରକଳ୍ପ ନିର୍ମାଣ କରାଯାଇ ପାରୁନାହିଁ। ଏପରିସ୍ଥଳେ ସାଳନ୍ଦୀ ନଦୀ ପାଣି ମଧୁର ଓ ପିଇବା ଉପଯୋଗୀ। କିନ୍ତୁ ଉପରମୁଣ୍ଡ କେନ୍ଦୁଝର ଜିଲ୍ଲା ହଦଗଡଠାରେ ଡ୍ୟାମ୍ ନିର୍ମାଣ ହୋଇଥିବାରୁ ତଳମୁଣ୍ଡ ଭଦ୍ରକ ଅଞ୍ଚଳରେ ଆବଶ୍ୟକ ପରିମାଣରେ ଜଳ ପ୍ରବାହିତ ହେଉନାହିଁ। ସାଳନ୍ଦୀର ଜଳରାଶି କେନ୍ଦୁଝର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ କିଛି ଅଞ୍ଚଳ ଚାଷଜମିକୁ ଜଳସେଚନ କରିବାରେ ସହାୟକ ହୋଇଛି। ଅଧିକାଂଶ ସମୟ ସାଳନ୍ଦୀର ତଳମୁଣ୍ଡ ବିଶେଷ କରି ଖରାଦିନେ ଶୁଷ୍କ ହୋଇଯାଏ। ଜଳରାଶି ମଧୁର ହୋଇଥିଲେ ବି ଜଳପ୍ରବାହ କମ୍ କାରଣରୁ ଏହି ନଦୀରେ ବୃହତ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ସମ୍ଭବ ନୁହେଁ। ଯାହାଫଳରେ ଭଦ୍ରକ ଜିଲ୍ଲାରେ ପାନୀୟ ଜଳପ୍ରକଳ୍ପ ପ୍ରତିଷ୍ଠା ପାଇଁ ପଡୋଶୀ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି। ଯାଜପୁର ଜିଲ୍ଲା ଦେଇ ବୈତରଣୀ ନଦୀ ପ୍ରବାହିତ ହେଉଥିବା ବେଳେ କେନ୍ଦ୍ରାପଡୀ ଦେଇ ଖରସ୍ରୋତା ନଦୀ ପ୍ରବାହିତ ହେଉଛି। ତେଣୁ ଭଦ୍ରକ ଜିଲ୍ଲାକୁ ପାନୀୟ ଜଳଯୋଗାଣ କରିବା ଲାଗି ରାଜ୍ୟ ସରକାର କେନ୍ଦ୍ରାପଡା ଜିଲ୍ଲା ଖରସ୍ରୋତା ନଦୀକୁ ଭରସା କରି ବସୁଧା ଯୋଜନାରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲିଠାରେ ଏକ ମେଗା ପାନୀୟ ଜଳପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ତେବେ ଆରମ୍ଭରୁ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଖରସ୍ରୋତା ଜଳ କାହିଁକି ଭଦ୍ରକକୁ ଯିବ, ସେ ନେଇ କେନ୍ଦ୍ରାପଡାର କିଛି ସଂଗଠନ ଆନ୍ଦୋଳନକୁ ଓହ୍ଲାଇବା ପରେ ନଦୀଜଳକୁ କେନ୍ଦ୍ର କରି ଜିଲ୍ଲା ଜିଲ୍ଲା ମଧ୍ୟରେ ବିବାଦ ଦେଖାଦେଇଛି।
ପ୍ରକାଶଥାଉକି, ଭଦ୍ରକ ଜିଲ୍ଲାରେ ବର୍ଷ ବର୍ଷ ଧରି ୪ଟି ବ୍ଲକ ଚାନ୍ଦବାଲି, ତିହିଡି, ଧାମନଗର ଓ ବାସୁଦେବପୁର ବ୍ଲକର ପାଖାପାଖି ୭୦୦ ଗାଁ ଲୋକ ଲବଣାକ୍ତ ଜଳ ପିଉଛନ୍ତି। ସମୁଦ୍ର ଉପକୂଳ ଅଞ୍ଚଳ ହୋଇଥିବାରୁ ଏଠାରେ କୂଅ ଓ ନଳକୂପରୁ ମଧୁର ଜଳ ପରିବର୍ତ୍ତେ ଲୁଣାଜଳ ବାହାରୁଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ ମଧୁର ଜଳଯୋଗାଣ ଲାଗି ‘ବସୁଧା’ ଯୋଜନାର ପରିକଳ୍ପନା କରିଥିଲେ ରାଜ୍ୟ ସରକାର। ଏହି ଯୋଜନାରେ ଚାନ୍ଦବାଲି, ତିହିଡି, ଧାମନଗର, ବାସୁଦେବପୁର ବ୍ଲକ ପାଇଁ ନଅ ଶହ କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି। ତିନି ବର୍ଷ ମଧ୍ୟରେ ଏହି ମେଗା ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇ ୨୦୧୯ ଜାନୁଆରିରେ କାମ ଆରମ୍ଭ କରାଯାଇଥିଲା। ହାଇଦ୍ରାବାଦର ‘ମେଘା କମ୍ପାନି’ ଏହାର ଟେଣ୍ଡର ନେଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପର ବ୍ୟୟବରାଦ ୭୭୫ କୋଟି ଥିଲା। ପରବର୍ତ୍ତୀ ସମୟରେ ଏହା ବଢି ୮୮୪ କୋଟି, ୮୯୨ କୋଟି ଓ ୯୦୦ କୋଟିରେ ପହଞ୍ଚିଛି। ଏହି ମେଗା ପ୍ରକଳ୍ପ ପାଇଁ ବୈତରଣୀ ପରିବର୍ତ୍ତେ ଖରସ୍ରୋତା ନଦୀରୁ ଜଳଯୋଗାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଖରସ୍ରୋତା ନଦୀରେ ୪ଟି ବିଶାଳ ପାଣିଟାଙ୍କି ନିର୍ମାଣ କରାଯିବାର ଯୋଜନା ରହିଛି। ଏଠାରୁ ପାଇପ ଯୋଗେ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଦେଇ ଚାନ୍ଦବାଲିର ନୟାହାଟକୁ ଜଳ ଅଣାଯିବ। ଯେଉଁଠି ୮ଏକର ଜମିରେ ଏକ ଜଳ ବିଶୋଧନାଗାର ପ୍ରତିଷ୍ଠା କରାଯାଇଛି।
ନଦୀଜଳ ବିଶୋଧନ ପରେ ଚାନ୍ଦବାଲି ବ୍ଲକର ୩୩ ପଞ୍ଚାୟତର ୨୬୬ ଗାଁ, ତିହିଡି ବ୍ଲକର ୨୦ ଟି ପଞ୍ଚାୟତର ୧୦୯ ଗାଁ, ଧାମନଗର ବ୍ଲକର ୧୦ ପଞ୍ଚାୟତର ୩୩ ଗାଁ ଓ ବାସୁଦେବପୁର ବ୍ଲକର ୨୧ଟି ପଞ୍ଚାୟତର ୧୧୮ଟି ଗାଁକୁ ଜଳଯୋଗାଣ କରାଯିବ ବୋଲି ସରକାରୀସ୍ତରରେ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ୫୨୬ଟି ଗାଁର ୭ ଲକ୍ଷ ୧୫ ହଜାର ଲୋକ ଏହାଦ୍ବାରା ଉପକୃତ ହେବେ। ୨୦୨୨ ମସିହା ସୁଦ୍ଧା ଏହି ପ୍ରକଳ୍ପ କାମ ଶେଷ କରିବାକୁ ବିଭାଗୀୟ ନିର୍ଦ୍ଦେଶ ରହିଥିବା ବେଳେ ଏବେ ଖରସ୍ରୋତାରୁ ଜଳଯୋଗାଣ ନେଇ ବିବାଦ ଆରମ୍ଭ ହୋଇଗଲାଣି। ସେଠାକାର କିଛି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏଭଳି ପରିସ୍ଥିତିରେ ଭଦ୍ରକ ଜିଲ୍ଲାବାସୀଙ୍କୁ ବସୁଧା ଯୋଜନା ମାଧ୍ୟମରେ ଜଳଯୋଗାଣ ନେଇ ସରକାର ବି ଅଡୁଆରେ ପଡିଛନ୍ତି।