ପାଣି ପାଇଁ ଓଡ଼ିଶା ଭିତରେ କଳି

ଭଦ୍ରକକୁ ପାଣି ଦେବା ପ୍ରସଙ୍ଗରେ କେନ୍ଦ୍ରାପଡ଼ାରେ ଆନ୍ଦୋଳନ
ଖରସ୍ରୋତାରୁ ପାଣି ଦେବାକୁ ବିରୋଧ କରୁଛନ୍ତି ଗୋଟିଏ ପକ୍ଷ
ମହିଳାଙ୍କୁ ଢାଲ କରି ସପକ୍ଷରେ ଯୁକ୍ତି ବାଢୁଛି ଶାସକ ଦଳ
ପାଣି ବିବାଦକୁ ନେଇ ପଡ଼ୋଶୀଙ୍କ ସହିତ ଲଢ଼େଇ କରୁଛି ଓଡ଼ିଶା

ଭୁବନେଶ୍ୱର/କେନ୍ଦ୍ରାପଡ଼ା : କୁହାଯାଉଛି ଯେ ଦିନ ଆସିବ ପାଣି ପାଇଁ ବିଶ୍ବଯୁଦ୍ଧ ହେବ। ଏହା ସତ ହୋଇପାରେ। କାରଣ ପାଣିକୁ ନେଇ କେବଳ ଦୁଇ ଦେଶ ନୁହେଁ, ରାଜ୍ୟ-ରାଜ୍ୟ ମଧ୍ୟରେ ବିବାଦ ଚାଲିଛି। ଏବେ ନୂଆ କଥା ଦେଖିବାକୁ ମିଳିଲାଣି। ‌ତାହାହେଲା ରାଜ୍ୟ ଭିତରେ ଜିଲ୍ଲା-ଜିଲ୍ଲା ମଧ୍ୟରେ ପାଣି ବିବାଦ। ପାଣି ପାଇଁ ଓଡ଼ିଶା ଏହାର ପଡ଼ୋଶୀ ରାଜ୍ୟ ସହିତ ମାମଲାରେ ଛନ୍ଦି ହୋଇ ରହିଛି। ପୋଲାଭରମ୍ ପ୍ରକଳ୍ପ ପାଇଁ ଆନ୍ଧ୍ରପ୍ରଦେଶ ସହିତ ଏବଂ ମହାନଦୀ ପାଣିକୁ ନେଇ ଛତିଶଗଡ ସହିତ ବିବାଦ ଚାଲିଛି। ଏସବୁ ମାମଲା ଟ୍ରିବ୍ୟୁନାଲରେ ବିଚାରାଧୀନ। ଏମିତି ଗୋଟିଏ ସମୟରେ ଆହୁରି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ତାହାହେଲା ଓଡ଼ିଶା ଭିତରେ ଜିଲ୍ଲା ଜିଲ୍ଲା ମଧ୍ୟରେ ପାଣି କଳି ଆରମ୍ଭ ହୋଇଗଲାଣି। ସଂପ୍ରତି ଭଦ୍ରକ ଜିଲ୍ଲାକୁ ପାଣି ନ ଦେବା ଲାଗି କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଲାଣି। ଏମିତି ଯେ ସ୍ଥାନୀୟ ଅଞ୍ଚଳରେ ଲୋକେ ରାଜରାସ୍ତାକୁ ଓହ୍ଲାଇଲେଣି। ଆଜି ଖରସ୍ରୋତା ନଦୀ ପୋଲଠୁ ଅଚ୍ୟୁତପୁର ଯାଏ ମାନବ ଶୃଙ୍ଖଳ କରାଯାଇଛି। ଏହି ଖବର ଆଲୋଡ଼ନ ସୃଷ୍ଟି କରିଛି।

Syllad

ମିଳିଥିବା ଖବର ଅନୁସାରେ, ବସୁଧା ଯୋଜନାରେ ପାଇପ୍‌ ପାଣି ପ୍ରତ୍ୟେକଙ୍କ ଘରକୁ ଦେବା ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକାକୁ ପାଣି ଯୋଗାଣ ପାଇଁ ସରକାର ୨୬୮ କୋଟି ୧୧ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ଘୋଷଣା କରିଛନ୍ତି। ଖରସ୍ରୋତା ନଦୀରୁ ପାଣି ନେଇ ତାହାକୁ ବିଶୋଧନ କରାଯିବ। ଆଳିର ସାନମଙ୍ଗ ଓ ରାଜକନିକାର କଇଥାପାଳ ନିକଟରେ ଏହି ପ୍ରକଳ୍ପ ହେବ। ଯାହାଦ୍ବାରା ଆଳିର ୩୨ଟି ଓ ରାଜକନିକାର ୨୯ଟି ପଞ୍ଚାୟତର ଲୋକେ ପିଇବା ପାଣି ପାଇପାରିବେ।

ସେହିଭଳି ଭଦ୍ରକ ଜିଲ୍ଲା ପାଇଁ ବି ଏହି ଯୋଜନାରେ ୮୯୨ କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ହାତକୁ ନିଆଯାଇଛି। ରାଜ୍ୟ ସରକାର ଯୋଜନା କରିଛନ୍ତି ଯେ ରାଜକନିକାର ଭାରିଗଦାରୁ ପାଣି ନେଇ ଏହି ପ୍ରକଳ୍ପ କରିବେ। ଭଦ୍ରକ ଅଞ୍ଚଳବାସୀଙ୍କୁ ପାଣି ଯୋଗାଇ ଦେବେ। ଏହି ଖବର ଜଣାପଡ଼ିବା ପରେ ଆଳି ଓ ରାଜକନିକା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଖରସ୍ରୋତା ବଞ୍ଚାଅ ସମିତି ଓ ଖରସ୍ରୋତା ସୁରକ୍ଷା ମଞ୍ଚ ପ୍ରସ୍ତାବିତ ଏହି ଯୋଜନାକୁ କଡ଼ା ବିରୋଧ କରିଛନ୍ତି। ସମିତିର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଓ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ଆନ୍ଦୋଳନର ଆଗରେ ଅଛନ୍ତି। ଏମାନଙ୍କର ଯୁକ୍ତି ହେଉଛି, କେନ୍ଦ୍ରାପଡ଼ା ଜିଲ୍ଲାରେ ଭୂତଳଜଳ ସଙ୍କଟ ଜନକ ସ୍ଥିତିରେ ରହିଛି। ଭଦ୍ରକଠାରୁ ବି କେନ୍ଦ୍ରାପଡ଼ାର ସ୍ଥିତି ଆହୁରି ଖରାପ ଅବସ୍ଥାରେ। ଏପରି ଅବସ୍ଥାରେ ଯଦି ଖରସ୍ରୋତାରୁ ମଧୁର ପାଣି ନିଆଯାଏ, ତେବେ ସମୁଦ୍ରରୁ ଲୁଣା ପାଣି ଭୂତଳରେ ଢେର୍ କିଲୋମିଟର ଯାଏ ମାଡ଼ିଆସିବ। ଯେହେତୁ ରାଜକନିକା ଏକ ସମ୍ବେଦନଶୀଳ ଲୁଣା ଅଞ୍ଚଳ, ଏଣୁ ଆଉ ଅଧିକ ଲବଣାକ୍ତ ଜଳ ମାଡ଼ିଲେ କୃଷି ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେବ। ମତ୍ସ୍ୟଜୀବୀ, ଚାଷୀ, ପନିପରିବା କରି ବଞ୍ଚୁଥିବା ଲୋକଙ୍କ ଜୀବନ ଦୁର୍ବିସହ ହୋଇଯିବ। କେବଳ ସେତିକି ନୁହେଁ, ଭିତରକନିକାର ଜୈବ ବିବିଧତା ଉପରେ ଏହାର ଜବରଦସ୍ତ ପ୍ରଭାବ ପଡ଼ିବ ଏବଂ ଖରାଦିନେ ଜଳସଙ୍କଟ ଉତ୍କଟ ସ୍ଥିତିରେ ପହଞ୍ଚିବା ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। ତେଣୁ ସାନମଙ୍ଗ ଓ କଇଥାପାଳରେ କେବଳ ପ୍ରକଳ୍ପ ହେଉ। ସ୍ଥାନୀୟ ଅଞ୍ଚଳର ସମସ୍ତ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଯିବାକୁ ଆନ୍ଦୋଳନକାରୀମାନେ ଦାବି କରୁଛନ୍ତି। ସମାନ୍ତରାଳ ଭାବେ ଭଦ୍ରକ ଜିଲ୍ଲାକୁ ପାଣି ଦିଆଯିବାକୁ ବିରୋଧ କରି ସଂଗ୍ରାମ ସମିତି ପକ୍ଷରୁ ଗତ ୧୫ ଦିନ ହେବ, ଭାରିଗଦା ପଡ଼ିଆରେ ଧାରଣା ଚାଲୁ ରହିଛି। ଆନ୍ଦୋଳନକାରୀମାନେ ଗାଁ ଗାଁ ବୁଲି ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି।

firstpost.com

ଅନ୍ୟପକ୍ଷରେ ଏହି ପ୍ରକଳ୍ପ ସପକ୍ଷରେ ମଧ୍ୟ ଏକ ମତ ପ୍ରକାଶ ପାଇଛି। ସପକ୍ଷବାଦୀଙ୍କ ପକ୍ଷରୁ ଆଳି ବିଧାୟକ ପ୍ରତାପକେଶରୀ ଦେବ ଏହାର ନେତୃତ୍ବ ନେଉଛନ୍ତି। ଏମାନଙ୍କର ଯୁକ୍ତି ହେଉଛି ଯେ ପାଣି ସମସ୍ତଙ୍କର, ଏଥିରେ ଜାତି, ଧର୍ମ ନ ଥାଏ। ମୁଖ୍ୟମନ୍ତ୍ରୀଙ୍କର ଏହା ସ୍ବପ୍ନର ପ୍ରକଳ୍ପ ହୋଇଥିବା ପରିପ୍ରେକ୍ଷୀରେ କୌଣସି ପରିସ୍ଥିତିରେ ଏହା ବନ୍ଦ ହେବ ନାହିଁ। ବରଂ ଏକାସହିତ ତିନିଟି ପ୍ରକଳ୍ପ ଆରମ୍ଭ ହେବ। ଏଥିରେ ଚାଷ ଜମି ଜଳସେଚନ ପାଇଁ ଯୋଜନା ହୋଇଛି। ଏହି କ୍ରମରେ ଗତ ୧୧ତାରିଖରେ ବିଧାୟକଙ୍କ ଉପସ୍ଥିତିରେ ଖରସ୍ରୋତା ନଦୀପଠା ଭାରିଗଦା ପଡ଼ିଆରେ ମହିଳା ସମାବେଶ ହୋଇଥିଲା। ସେହିଭଳି ମହିଳାଙ୍କୁ ନେଇ ରାଜକନିକା ଥାନା ପଡ଼ିଆରେ ବିଜେଡି ମହିଳା ମୋର୍ଚ୍ଚା ସାମ୍ବାଦିକ ସମ୍ମିଳନୀ କରିଥିଲା।

ସମ୍ବନ୍ଧିତ ଖବର