ରାଉରକେଲା/କୋଇଡା: ଖଣି ଅଞ୍ଚଳ କୋଇଡା ଓ ଟେନ୍ସାରେ ଖଣିଜ ପଦାର୍ଥ ଲୋଡିଂ ଓ ଡେଲିଭରି ଚାଲାଣକୁ ନେଇ ଲାଗି ରହିଛି ବିବାଦ। କେତେବେଳେ ଗାଡି ମାଲିକ ଓ ମଧ୍ୟସ୍ଥିଙ୍କ ମଧ୍ୟରେ ତ ପୁଣି ଅନ୍ୟ କେତେବେଳେ ଦୁଇ ଗାଡିମାଲିକଙ୍କ ମଧ୍ୟରେ ମାଡପିଟ୍ ହେଉଛି। ଉଭୟ ଗୋଷ୍ଠୀ ଅନେକ ଆହତ ହେଉଛନ୍ତି। କିଛି ଗାଡ଼ି ମାଲିକଙ୍କ ପୁଲିସ ଗିରଫ କରି କୋର୍ଟ ଚାଲାଣ କରୁଛନ୍ତି। ତଥାପି ଖଣି ଅଞ୍ଚଳରେ ଏହି ସମସ୍ୟା ଥମିବାର ନା ନେଉନି। ଗତକାଲି ଲହୁଣିପଡା ଥାନାରେ ମାମଲା ହେବା ପରେ ଖଣିଜ ପଦାର୍ଥ ପରିବହନ ଗୋଲକଧନ୍ଧା ସାମ୍ନାକୁ ଆସିଛି। ଟେନ୍ସାସ୍ଥ ଏକ ଖଣିରେ କୋଇଡା ଓ ଟେନ୍ସା ଟିପ୍ପର ମାଲିକ ସଂଘ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଉଭୟ ସଂଘର ୭ ଗାଡି ମାଲିକ ଆହତ ହୋଇଥିଲେ। ୬ ମାଲିକ ଟେନ୍ସା ସମେତ ଅନ୍ୟାନ୍ୟ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଡିସ୍ଚାର୍ଜ ହୋଇଥିବା ଜଣାପଡିଛି। ଅନ୍ୟ ଜଣେ ଗୁରୁତର ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଉଭୟ ଗୋଷ୍ଠୀର ଲିଖିତ ଅଭିଯୋଗ ଆଧାରରେ ଲହୁଣିପଡା ପୁଲିସ ମୋଟ ୯ ଗାଡି ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଏମାନଙ୍କ ମଧ୍ୟରେ ଗୋଟିଏ ଗୋଷ୍ଠୀର ୫ ଜଣ ଓ ଅନ୍ୟ ଗୋଷ୍ଠୀର ୪ ଜଣ ଅଛନ୍ତି। ଆହୁରି କିଛି ଗାଡି ମାଲିକଙ୍କୁ ପୁଲିସ ଗିରଫ କରିବ ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଗତ ଦୁଇ ଦିନ ତଳେ ଟେନ୍ସାସ୍ଥ ଏକ ଖଣିରେ ଖଣିଜ ପଦାର୍ଥ ଲୋଡିଂ ଓ ଡେଲିଭରି ଚାଲାଣକୁ ନେଇ କୋଇଡା ଓ ଟେନସା ଗାଡି ମାଲିକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଯୁକ୍ତି ବଢ଼ିବାରୁ ଘଟଣାସ୍ଥଳରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ପରିବହନରେ ମଧ୍ୟସ୍ଥି ସାଜିଥିବା କିଛି ରାଜନୈତିକ ଦଳର ନେତା ପହଞ୍ଚି ପ୍ରତିବାଦ କରିବାରୁ ଦୁଇ ସଂଘର ଗାଡି ମାଲିକଙ୍କ ମଧ୍ୟରେ ମାଡପିଟ୍ ହୋଇଥିଲା। ସୂଚନା ପାଇ ଲହୁଣିପଡା ପୁଲିସ ପହଞ୍ଚି ଦୁଇ ସଂଘର ମାଲିକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
କେବଳ ଏ ଗୋଟିଏ ଘଟଣା ନୁହେଁ ପୂର୍ବରୁ ଅନେକ ଖଣିରେ ଏମିତି ଅନେକ ଘଟଣା ଘଟିଛି। କିଛି ଖଣିରେ ମାଲପରିବହନ ପାଇଁ ଗାଡି ମାଲିକ ଓ ଖଣି ମାଲିକଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିଛନ୍ତି କିଛି ସ୍ଥାନୀୟ ନେତା। ଯେଉଁମାନେ ଟନ୍ ପିଛା ୧୦ରୁ ୧୫ ଟଙ୍କା ଗାଡି ମାଲିକଙ୍କ ଠାରୁ କମିସନ୍ ନେଉଛନ୍ତି। ଯେଉଁମାନେ କମିସନ ଦେଉଛନ୍ତି ସେମାନଙ୍କ ଅଗ୍ରାଧିକାର ଭିତିରେ ମାଲପରିବହନ ସୁଯୋଗ ଦେଉଛନ୍ତି। ଅନ୍ୟ ଗାଡିମାଲିକଙ୍କୁ ବିଭିନ୍ନ ଆଳ ଦେଖାଇ ମନା କରି ଦେଉଛନ୍ତି। ଯେଉଁ ଗାଡିମାଲିକମାନେ ମନା କରୁଛନ୍ତି ସେମାନଙ୍କୁ ନେତାମାନେ ଧମକଚମକ ଦେଉଛନ୍ତି। ଖଣି ଅଞ୍ଚଳରେ ଏଭଳି ବେଆଇନ କାମକୁ ତୁରନ୍ତ ବନ୍ଦ କରିବା। ପ୍ରତ୍ୟେକ ଖଣିରେ ମାଲ ପରିବହନ କ୍ଷେତ୍ରରେ ସମସ୍ତ ଗାଡିକୁ ସମାନ ସୁଯୋଗ ଦେବାକୁ ଦାବି କରିଛନ୍ତି। ନ ହେଲେ ଆଗାମୀ ଦିନରେ ଲୋଡିଂ ଓ ଡେଲିଭରି ଚାଲାଣକୁ ନେଇ ଚାଲିଥିବା ବିବାଦ ଉଗ୍ରରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିପ୍ରତି ଡିଡିଏମ୍ ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।