ନାଏବ ସରପଞ୍ଚ ନିର୍ବାଚନକୁ ନେଇ ମାରପିଟ୍‌

କଳାବାଡ଼ିଆ/ଉଦଳା: ନାଏବ ସରପଞ୍ଚ ନିର୍ବାଚନକୁ ନେଇ ଆଜି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଓ ଉଦଳା ବ୍ଲକ୍‌ର ଦୁଇଟି ପଞ୍ଚାୟତରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଙ୍ଗିରିପୋଷିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ବେଳେ କିଛି ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଉଦଳାରେ ଭୋଟ୍‌ କେନ୍ଦ୍ର ଭିତରେ ପଶି ୱାର୍ଡସଭ୍ୟମାନଙ୍କୁ ବାହାର କରି ଦେଇଥିଲେ ଶତାଧିକ ମହିଳା। ଏହାକୁ ନେଇ ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଫୋର୍ସ ଆସି ସ୍ଥିତି ନିୟନ୍ତ୍ରଣ କରିଥିଲେ।

ବାଙ୍ଗିରିପୋଷି ପଞ୍ଚାୟତରେ ନାଏବ ସରପଞ୍ଚ ପଦ ପାଇଁ ମିଲନି ମଲ୍ଲିକ ଓ ବବିତା ସିଂ ପ୍ରାର୍ଥୀ ହୋଇଥିଲେ। ଭୋଟ୍‌ ଦେବା ପାଇଁ ୧୬ ଜଣ ଓ୍ବାର୍ଡସଭ୍ୟ ନିର୍ଦ୍ଧାରିତ ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତେବେ ବବିତା ସିଂଙ୍କ ସମର୍ଥକମାନେ କୌଣସି କାରଣରୁ ୫ ଜଣ ୱାର୍ଡସଭ୍ୟଙ୍କୁ ଅଟକ ରଖିବା ସହ ଭୋଟ୍‌ ଦେବାକୁ ନଛାଡ଼ିବାରୁ ବବିତା ଓ ମିଲନିଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗଣ୍ଡଗୋଳ ବେଳେ ମଝିଗାଁ ଓ୍ବାର୍ଡସଭ୍ୟ ଲିପିପ୍ରଭା ମହାନ୍ତି ଓ ସିକଡଭଙ୍ଗାର ଓ୍ବାର୍ଡସଭ୍ୟ ନୂଆ ନାଏକ ଆକ୍ରମଣର ଶିକାର ହୋଇଥିଲେ। ଖବର ସଂଗ୍ରହ ପାଇଁ ଯାଇଥିବା ସ୍ଥାନୀୟ ସାମ୍ବାଦିକ ପ୍ରଶାନ୍ତ କୁମାର ଦାସ ପଟ୍ଟନାୟକ ଓ କୈଳାସ କରଙ୍କୁ ଗୋଟିଏ ଗୋଷ୍ଠୀର ସମର୍ଥକ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଖବର ପାଇ ବାରିପଦା ଏସ୍‌ଡିପିଓ କେକେ ହରିପ୍ରସାଦଙ୍କ ସହିତ ୧ ପ୍ଲାଟୁନ୍‌ ଫୋର୍ସ ସେଠାରେ ପହଞ୍ଚିଥିଲେ।

ସାମ୍ବାଦିକଙ୍କୁ ଆକ୍ରମଣ, ୧ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଫାଟକ ଡେଇଁ ଭୋଟ୍‌କେନ୍ଦ୍ରରେ ପଶିଲେ ମହିଳା

ଗ୍ରାମବାସୀଙ୍କ ଭୟରେ ‌ଭୋଟ୍‌ ଦେଲେନି ୱାର୍ଡସଭ୍ୟ

ତହସିଲଦାର ସତ୍ୟବାନ ନାୟକ, ଅତିରିକ୍ତ ତହସିଲଦାର ସାହେବ ରାମ ବାସ୍କେ, ଥାନା ଅଧିକାରୀ ସଞ୍ଜୟ ପରିଡ଼ାଙ୍କ ଉପସ୍ଥିତିରେ ପୁଲିସ ଫୋର୍ସ ଉକ୍ତ ୫ ୱାର୍ଡସଭ୍ୟଙ୍କୁ ଉଦ୍ଧାର କରି ଭୋଟ କେନ୍ଦ୍ରକୁ ନେଇଥିଲା ଓ ସମସ୍ତେ ଭୋଟ୍‌ ଦେଇଥିଲେ। ବବିତା ସିଂ ୮ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ମିଲନି ମଲ୍ଲିକ ୯ ଜଣ ୱାର୍ଡସଭ୍ୟଙ୍କ ସମର୍ଥନ ପାଇ ବିଜୟୀ ହୋଇଥିଲେ। ସାମ୍ବାଦିକଙ୍କୁ ଆକ୍ରମଣ ଘଟଣ‌ାରେ ବାଙ୍ଗିରିପୋଷି ବ୍ଲକ୍‌ ସାମ୍ବାଦିକ ସଂଘ ଓ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଥାନାରେ ପୃଥକ ଏତଲା ଦିଆଯାଇଛି। ଆକ୍ରମଣର ଶିକାର ଶ୍ରୀ ପଟ୍ଟନାୟକ ୩ ଜଣଙ୍କ ବିରୋଧରେ ଏତଲା ଦେଇଥିବାବେଳେ ୱାର୍ଡସଭ୍ୟା ଲିପିପ୍ରଭା ମହାନ୍ତି ମଧ୍ୟ ତାଙ୍କୁ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଜଣକୁ ଅଟକ ରଖି ତଦନ୍ତ ଚଳାଇଥିବା ବେଳେ ଏହାକୁ ନେଇ ଆଜି ଦିନତମାମ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଉତ୍ତେଜନା ଲାଗିରହିଥିଲା।

ସେହିପରି ନାଏବ ସରପଞ୍ଚ ନିର୍ବାଚନକୁ ନେଇ ଉଦଳା ବ୍ଲକ୍‌ ନୂଆଗାଁ ପଞ୍ଚାୟତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଦିନ ୧୦ଟା ସମୟରେ ଗୋଟିଏ ଗୋଷ୍ଠୀ ୬ ଜଣ ୱାର୍ଡସଭ୍ୟଙ୍କୁ ନେଇ ପଞ୍ଚାୟତ ଅଫିସରେ ପହଞ୍ଚିଥିଲେ। ତେବେ ଉକ୍ତ ଗୋଷ୍ଠୀ ଓ୍ବାର୍ଡ ସଭ୍ୟମାନଙ୍କୁ ବଳପୂର୍ବକ ଅଜ୍ଞାତବାସରେ ରଖିଥିବା ଅଭିଯୋଗ କରି ସେମାନଙ୍କ ୱାର୍ଡର ଲୋକେ ପହଞ୍ଚି ଏହାର ବିରୋଧ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ଲୋକଙ୍କୁ ବୁଝାସୁଝା କରି ସେମାନଙ୍କୁ ଭୋଟ୍‌ଦାନ କେନ୍ଦ୍ର ଭିତରକୁ ନେଇଥିଲା। ତେବେ ଉକ୍ତ ୱାର୍ଡସଭ୍ୟମାନେ ଭିତରକୁ ଯାଇଥିଲେ ବି ଗ୍ରାମବାସୀଙ୍କ ଭୟରେ ନିର୍ବାଚନ ଅଧିକାରୀଙ୍କ ପାଖରେ ଉପସ୍ଥିତ ହୋଇନଥିଲେ।

ଦିନ ପ୍ରାୟ ୧୨ଟା ସମୟରେ ହଠାତ୍‌ ଶତାଧିକ ମହିଳା ଗେଟ୍ ଡେଇଁ ପଞ୍ଚାୟତ ଅଫିସ ଭିତରୁ ୫ ଜଣ ୱାର୍ଡସଭ୍ୟଙ୍କୁ ଧରି ପଳାଇ ଆସିଥିଲେ। ଘଟଣାସ୍ଥଳରେ ମହିଳା ପୁଲିସ ନଥିବାରୁ ସେମାନଙ୍କୁ ଅଟକାଇବା ପୁଲିସ ପକ୍ଷରେ ସମ୍ଭବ ହୋଇନଥିଲା। ପରିସ୍ଥିତି ଅଣାୟତ୍ତ ହେବା ଦେଖି ପ୍ରଶାସନ ପକ୍ଷରୁ ସେଠାରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏ ନେଇ ଦୁଇ ଗୋଷ୍ଠୀ ପକ୍ଷରୁ ଥାନାରେ ପୃଥକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର