ଘୁଷୁରି ଚୋରିକୁ କେନ୍ଦ୍ର କରି ଘମାଘୋଟ ସଂଘର୍ଷ: ଉଭୟ ଗୋଷ୍ଠୀରୁ ୫ ଗୁରୁତର, ୩ ଗିରଫ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ ଗୋଲିଆ ଗ୍ରାମ ବ୍ରିଜ୍ ନିକଟରେ ଘୁଷୁରି ଚୋରିକୁ କେନ୍ଦ୍ର କରି ଘମାଘୋଟ ସଂଘର୍ଷ ଘଟିଛି। ଠେଙ୍ଗା, ଟାଙ୍ଗିଆ ଓ କାତି ଆକ୍ରମଣରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଛନ୍ତି। ଏଥିରେ ୫ ଜଣ ଗୁରୁତର ହୋଇଥିବା ବେଳେ ପୁଲିସ ୨ଟି ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ୨ଟି ଟାଙ୍ଗିଆ, ୩ କାତି ଓ ୨ଟି ଠେଙ୍ଗା ଜବତ ହୋଇଛି।

ସୂଚନାନୁସାରେ, ଷୋଳମାଇଲି ଗ୍ରାମର ଜି.ଭିକାରି ପାତ୍ରଙ୍କ ୩ ମାସ ତଳେ ପ୍ରାୟ ୩୫ଟି ଘୁଷୁରି ପାଙ୍ଗିଡ଼ି ମଶାଣି ପାଖରୁ ଚୋରି ହୋଇଯାଇଥିଲା। ସେ ଖୋଜାଖୋଜି କରିବା ପରେ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ତେବେ ଗୋଲିଆ ବ୍ରିଜ୍‌ ନିକଟ ରାଜୀବଗାନ୍ଧୀ ସେବାକେନ୍ଦ୍ର ପଛପଟେ ରହୁଥିବା ଜି.ରଞ୍ଜନ ପାତ୍ରଙ୍କ ନାମରେ ପୂର୍ବରୁ ଘୁଷୁରି ଚୋରି ଅଭିଯୋଗ ଥିଲା। ଫଳରେ ରଞ୍ଜନ ହିଁ ଘୁଷୁରି ଚୋରି କରିଥିବା ସନ୍ଦେହ କରି ଭିକାରିଙ୍କ ପରିବାରଲୋକେ ଗତ ରାତିରେ ତାଙ୍କୁ ପଚରାଉଚରା କରିଥିଲେ। ଉଭୟଙ୍କ ମଧ୍ୟରେ ବଚସା ହିଂସାତ୍ମକ ରୂପ ନେଇଥିଲା। ଉଭୟ  ଗୋଷ୍ଠୀ ପରସ୍ପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ଷୋଳମାଇଲିର ହାଡ଼ିଆ ପାତ୍ର, ଭିକାରି ପାତ୍ର ଓ ଦଣ୍ଡପାଣି ପାତ୍ର ଏବଂ ଗୋଲିଆର ରଞ୍ଜନ ପାତ୍ର ଓ ଟୁକୁନା ପାତ୍ର ଗୁରୁତର ହୋଇଥିଲେ। ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି।

ଗୋଲିଆର ଜି.ଦଣ୍ଡପାଣି ପାତ୍ରଙ୍କ ଅଭିଯୋଗ କ୍ରମେ କେସ୍ ନମ୍ବର ୨୧୬ /୨୨ ଅନୁସାରେ ଜି.ହାଡ଼ିଆ ପାତ୍ର, ଜି.ଭିକାରି ପାତ୍ର, ଜି.ଭାସ୍କର ପାତ୍ର , ଜି.କସ୍ତୁରୀ ପାତ୍ର ଓ ଜି.ଅଲେଖ ପାତ୍ରଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ କସ୍ତୁରୀ ପାତ୍ରକୁ ପୁଲିସ ଅଟକ ରଖିଛି l ସେହିପରି ଷୋଳମାଇଲିର  ଜି.ପାଣ୍ଡା ପାତ୍ରଙ୍କ ଅଭିଯୋଗ କ୍ରମେ କେସ୍ ନମ୍ବର ୨୧୫ /୨୨ରେ ମାମଲା ରୁଜୁ ସହ ଜି.ଦଣ୍ଡପାଣି ପାତ୍ର ଓ ତାଙ୍କର ୨ ପୁଅ ରଂଜନ, ଟୁକୁନା ଏବଂ ଝିଅ ଛବିତାକୁ ଗିରଫ କରାଯାଇଛି। ମେଡିକାଲରୁ ସୁସ୍ଥ ହୋଇ ଆସିବା ପରେ ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ଚିତ୍ତରଞ୍ଜନ ବେହେରା କହିଛନ୍ତି l

ସମ୍ବନ୍ଧିତ ଖବର