ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍: ଦଳମାନଙ୍କ ପାଇଁ ଭୁବନେଶ୍ବର-ରାଉରକେଲା ଚାର୍ଟର ବିମାନ

ବିଦ୍ୟାଳୟସ୍ତରରେ ଆୟୋଜିତ ହେବ କ୍ରୀଡ଼ା କାର୍ଣ୍ଣିଭାଲ

ଭୁବନେଶ୍ବର : ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍ ୨୦୨୨-୨୩। ଏହି ମେଗା ଇଭେଣ୍ଟ ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ଡିସେମ୍ବର ମାସରୁ ରାଉରକେଲାକୁ ବିମାନ ଚଳାଚଳ କରିବାର ଯୋଜନା ରହିଛି। ତେବେ ବିଶ୍ବକପ୍‌ରେ ଭାଗ ନେଉଥିବା ଦଳମାନଙ୍କ ପାଇଁ ଭୁବନେଶ୍ବର ଓ ରାଉରକେଲା ମଧ୍ୟରେ ଚାର୍ଟର ବିମାନ ଚଳାଚଳ କରିବା ଲାଗି ନିଷ୍ପତ୍ତି ହୋଇଛି। ଏହାସହ କ୍ରୀଡ଼ାବିତ୍, ଅଧିକାରୀ ଓ ଦର୍ଶକମାନଙ୍କ ପାଇଁ ସ୍ବତନ୍ତ୍ର ବସ୍ ଚଳାଚଳ କରିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରୁ ସୂଚନା ମିଳିଛି।

ହକି ବିଶ୍ବକପ୍ ପାଇଁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ସମୀକ୍ଷା କରିଥିଲେ। ପିଲାମାନଙ୍କ ମଧ୍ୟରେ ହକିର ପ୍ରୋତ୍ସାହନ କରିବା ପାଇଁ ସ୍କୁଲସ୍ତରରେ କ୍ରୀଡ଼ା କାର୍ଣ୍ଣିଭାଲ ଓ ପ୍ରତିଯୋଗିତା କରିବା ଲାଗି ନିଷ୍ପତ୍ତି ହୋଇଛି। ଏହାସହ ବିଶ୍ବକପ୍‌ରେ ଟେକ୍‌ନୋଲୋଜି, ସୁରକ୍ଷା, ପ୍ରଦୂଷଣ, ସୌନ୍ଦର୍ଯ୍ୟକରଣ, ପ୍ରୋତ୍ସାହନ ଓ ସହରଭିତ୍ତିକ ମହୋତ୍ସବ ଉପରେ ଆଲୋଚନା କରାଯାଇଥିଲା। ହକି ବିଶ୍ବକପ୍‌କୁ ନିଆରା ଢଙ୍ଗରେ ପାଳନ କରିବା ଲାଗି ଭୁବନେଶ୍ବର ଓ ରାଉରକେଲା ସମେତ ଜିଲ୍ଲାସ୍ତରରେ ମଧ୍ୟ ମହୋତ୍ସବର ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି।

କ୍ରୀଡ଼ା ସଚିବ ଆର.ଭିନିଲ କ୍ରୀଷ୍ଣା କହିଥିଲେ, ଓଡ଼ିଶା ୨୦୧୮ ମସିହାରେ ପୁରୁଷ ହକି ବିଶ୍ବକପ୍ ଆୟୋଜନ କରିଥିବା ବେଳେ ଚଳିତ ବିଶ୍ବକପ୍‌କୁ ସଫଳତାର ସହ ଆୟୋଜନ କରିବାକୁ ହେଲେ ସବୁ ବିଭାଗମାନଙ୍କ ସହଯୋଗ ଜରୁରୀ। ଏହି ବୈଠକରେ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର