ଆରମ୍ଭ ହେଲା ଫାଇଲେରିଆ ନିରାକରଣ ଅଭିଯାନ

ଭୁବନେଶ୍ବର : ଫାଇଲେରିଆ ଓ ଗୋଦର ରୋଗର ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜିଠାରୁ ସାମୂହିକ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମ‌ାର ମେହେର୍ଦା ଆଜି ଏହାର ଶୁଭାରମ୍ଭ କରିଛନ୍ତି। ୨୦୦୪ ମସିହାରୁ ରାଜ୍ୟର ୨୦ଟି ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ଜାରି ରହିଛି। ଚଳିତବର୍ଷ ଫେବ୍ରୁଆରିରେ ୪ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ‌ ଶେଷ ହୋଇଥିବା ବେଳେ ଆଜିଠାରୁ କଟକ, ବାଲେଶ୍ବର, ଢେଙ୍କାନାଳ, ଖୋର୍ଧା ଓ ନୂଆପଡ଼ାରେ ଏହି ଅଭିଯାନ ଆରମ୍ଭ ହୋଇଛି। ‌ଗର୍ଭବତୀ ମହିଳା, ୨ବର୍ଷରୁ କମ୍ ଶିଶୁ ଓ ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତି ଏହି ଔଷଧ ଖାଇବେ ନାହିଁ। ଖାଦ୍ୟ ଖାଇବା ପରେ ଜଣେ ଏହି ଔଷଧ ଖାଇପାରିବ। ଫାଇଲେରିଆ ଓ ଗୋଦର ରୋଗର ପାଇଁ ଡିଇସି ଓ ଆଲବେଣ୍ଡାଜୋଲ ବଟିକା ଖାଇବା ଦ୍ବାରା ଏହାର ପ୍ରତିକାର ହୋଇପାରିବ। ଏହି ବଟିକା ସେବନ ଦ୍ବାରା କୌଣସି ସାମୟିକ ପାର୍ଶ୍ବ ପ୍ରତିକ୍ରିୟା ଦେଖାଗଲେ ଏଥିରେ ଭୟଭୀତ ନ ହୋଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ପରାମର୍ଶ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର