ଭୁବନେଶ୍ବର: ପୂରା ରାଜ୍ୟରେ ଡେଙ୍ଗୁର ପ୍ରକୋପ। ବିଶେଷଜ୍ଞ କହୁଛନ୍ତି ଯେ ଆସନ୍ତା ସେପ୍ଟେମ୍ବର ମାସ ଶେଷ ବେଳକୁ ଏହାର ପ୍ରକୋପ କମିପାରେ।। ହେଲେ ଡେଙ୍ଗୁର ପ୍ରକୋପ କମିବା ବେଳକୁ ଅନ୍ୟ ମଶାଙ୍କ ଦାଉ ଆରମ୍ଭ ହେବ। ବିଶେଷକରି ଫାଇଲେରିଆ ରୋଗ ସୃଷ୍ଟିକାରୀ କ୍ୟୁଲେକ୍ସ ମଶାର ପ୍ରକୋପ ଦେଖିବାକୁ ମିଳିବ। ଏଥିପାଇଁ ସବୁପ୍ରକାର କ୍ଷେତ୍ର ପ୍ରସ୍ତୁତ ଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ମୌସୁମୀ ବର୍ଷା ଆରମ୍ଭ ହେବା ପରେ ରାଜଧାନୀରେ ଡେଙ୍ଗୁ ବ୍ୟାପିବା ଆରମ୍ଭ କରିଥିଲା। ଡେଙ୍ଗୁ ରୋଗ ସୃ‌ଷ୍ଟିକାରୀ ଏଡିସ୍‌ ମଶା ଏକ ସହରୀ ମଶା ହୋଇଥିଲେ ହେଁ ରାଜ୍ୟର ଗ୍ରାମାଞ୍ଚଳରେ ମଧ୍ୟ ଏହାର ପ୍ରକୋପ ଦେଖିବାକୁ ମିଳିଲାଣି। ବର୍ତ୍ତମାନସୁଦ୍ଧା କେବଳ ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଗଲାଣି। ଗତକାଲିସୁଦ୍ଧା ରାଜ୍ୟରେ ସମୁଦାୟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩୦୯୬କୁ ବୃଦ୍ଧି ପାଇଛି। ଗତବର୍ଷ ଏହି ସମୟରେ ରାଜ୍ୟରେ ୧୯୭୮ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଆହୁରି ୧ମାସ ଡେଙ୍ଗୁର ପ୍ରକୋପ ରହିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୪୦୯ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ଥିତି ଏତେ ଗମ୍ଭୀର ଯେ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଶଯ୍ୟା ମିଳୁନି। ପୁରୀରେ ୩୨୪, କଟକ ୨୭୮, ବାଲେଶ୍ବର ୨୭୭, ଜଗତସିଂହପୁର ୧୭୩ ଓ ନୟାଗଡ଼ରୁ ୧୧୬ଜଣ ଆକ୍ରାନ୍ତ ବାହାରିଛନ୍ତି।

Advertisment

ବିଶେଷଜ୍ଞଙ୍କ ମତରେ ଏବେ ଅନ୍ୟ ମଶାଙ୍କ ବ୍ରିଡିଂ ବା ପ୍ରଜନନ ଆରମ୍ଭ ହୋଇଛି। ଅକ୍ଟୋବରରୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଏସବୁ ମଶାଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିବ। ଏଡିସ୍‌ ମଶା ସ୍ବଚ୍ଛ ପାଣିରେ ଅଣ୍ଡା ଦେଉଥିବା ବେଳେ ଅନ୍ୟ ମଶାମାନେ ଅପରିଷ୍କାର ପରିବେଶରେ ଅଣ୍ଡା ଦେଇଥାନ୍ତି। ଏଡିସ୍‌ ମଶାର ସାନ୍ଦ୍ରତା କମ୍ ରହିଥାଏ। ହେଲେ କ୍ୟୁଲେକ୍ସ ମଶାର ସାନ୍ଦ୍ରତା ଅଧିକ। ରାଜଧାନୀର ଛାତି ଉପରେ ଅନେକ ଗାଈ ଗୁହାଳ ରହିଥିବା ବେଳେ ତହିଁରୁ ବହୁ ସଂଖ୍ୟାରେ ଗୋବର ଖତ ବାହାରୁଛି। ଏଥିରେ କ୍ୟୁଲେକ୍ସ ମଶା ବାହାରିଥାଏ। ଏହାସହ ଡ୍ରେନ୍‌ ଓ ଅନ୍ୟ ଅବର୍ଜନା ମଧ୍ୟ କ୍ୟୁଲେକ୍ସ ମଶାର ମଧ୍ୟ ଉତ୍ପତ୍ତି ସ୍ଥଳ। ତେଣୁ ମଶାଙ୍କ ଲାର୍ଭା ଖାଉଥିବା ଗାମ୍ବୁସିଆ ମାଛ ଡ୍ରେନ୍‌ରେ ଛଡ଼ାଯିବାର ଆବଶ୍ୟକତା ରହିଛି। ରାଜଧାନୀରେ ବର୍ଷ ବର୍ଷ ଧରି ଏଭଳି ଅବ୍ୟବସ୍ଥା ଲାଗି ରହିଥିବା କାରଣ ପାଇଁ ଖୋର୍ଧା ଜିଲ୍ଲା ବିଶେଷକରି ଭୁବନେଶ୍ବର ଆଜି ପର୍ଯ୍ୟନ୍ତ ଫାଇଲେରିଆରୁ ମୁକ୍ତ ହୋଇପାରିନାହିଁ।

ପ୍ରତିବର୍ଷ ଏଠାରେ ଏମ୍‌ଡିଏ(ଗଣ ଔଷଧ ସେବନ) କାର୍ଯ୍ୟକ୍ରମ କରିବା ଲାଗି ରାଜ୍ୟ ସରକାର ବାଧ୍ୟ ହେଉଛନ୍ତି। ରାଜଧାନୀରେ ମଶା ବଂଶ ନିୟନ୍ତ୍ରଣ କରିବା ନେଇ କ’ଣ ପଦକ୍ଷେପ ନିଆଯାଉଥିବା ସଂପର୍କରେ ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ ଡା.ଦୀପକ ବିଶୋୟୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରିନାହିଁ। ଅପରପକ୍ଷରେ ଆରଏମ୍‌ଆରସିରେ ଡେଙ୍ଗୁ ନମୁନାର ହୋଇଥିବା ସିକ୍ବେନ୍ସିଂରେ ଡି-୨ ଭୂତାଣୁ କାୟା ବିସ୍ତାର କରିଥିବା ନଜରକୁ ଆସିଛି। ଡେଙ୍ଗୁର ମୁଖ୍ୟତଃ ୪ ପ୍ରକାରର ଭୂତାଣୁ ଥିବା ବେଳେ ଡି-୨ ହେଉଛି ସବୁଠାରୁ ଘାତକ। ୭୦% ନମୁନାରେ ଏହା ଦେଖିବାକୁ ମିଳିଥିବା କାରଣରୁ ରାଜ୍ୟରେ ଡେଙ୍ଗୁ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ଆଶଙ୍କା କରାଯାଉଛି। ବେସରକାରୀଭାବେ ରାଜ୍ୟରେ ୧୦ରୁ ଅଧିକ ଡେଙ୍ଗୁ ମୃତ୍ୟୁ ହୋଇଥିଲେ ବି ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ମୃତ୍ୟୁ ଘୋଷଣା କରିନାହାନ୍ତି। କେବଳ ଚଳିତବର୍ଷ ନୁହେଁ ରାଜ୍ୟରେ ଡେଙ୍ଗୁଜନିତ ମୃତ୍ୟୁକୁ ଲୁଚାଇବା ପରମ୍ପରା ବେଶ୍‌ କିଛିବର୍ଷ ହେଲା ଚାଲିଛି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ଡେଙ୍ଗୁରେ ୫ ପ୍ରତିଶତ ଆକ୍ରାନ୍ତ ଗୁରୁତର ହେଉଛନ୍ତି। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରୁ ବୋଝ କମାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶଯ୍ୟା ଓ ଟେଷ୍ଟିଂ ଚାପ କମାଇବା ପାଇଁ ସ୍ବତନ୍ତ୍ର କେନ୍ଦ୍ର ଖୋଲାଯାଇଛି। ଏଥିପାଇଁ ଅଧିକ ମାନବ ସମ୍ବଳ ନିୟୋଜିତ ହୋଇଛନ୍ତି। ଆଜିଠାରୁ ପଟିଆ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଆଇଆରସି ଭିଲେଜ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ଟେଷ୍ଟିଂ ଆରମ୍ଭ ହୋଇଛି। ତେଣୁ ଲୋକମାନେ ଗୋଟିଏ ସ୍ଥାନରେ ଗହଳି ନ କରି ଅନ୍ୟ ସ୍ଥାନକୁ ଯିବା ଲାଗି ଡା.ମିଶ୍ର ଅନୁରୋଧ କରିଛନ୍ତି।