ଆଉ କେତେ ବର୍ଷ ନେଲେ ନିୟନ୍ତ୍ରଣ ହେବ? ମଶା ବଂଶ ବୃଦ୍ଧି ରୋକାଯାଇପାରୁନି, କମୁନି ଫାଇଲେରିଆ

ସନ୍ଦେହ ବଢ଼ାଇଛି ଫାଇଲେରିଆ ଇନ୍ସପେକ୍ଟରଙ୍କ କାର୍ଯ୍ୟ

ଭୁବନେଶ୍ବର : ବର୍ଷେ କି ଦୁଇବର୍ଷ ନୁହେଁ। ୧୯୫୫ ମସିହାରୁ ରାଜ୍ୟରେ ଜାତୀୟ ଫାଇଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନ୍‌ଏଫ୍‌ସିପି) ଆରମ୍ଭ ହେଲାଣି। ଏହି ୬୭ବର୍ଷ ଭିତରେ ରାଜ୍ୟର ମାତ୍ର ୬ଟି ଜିଲ୍ଲା ଫାଇଲେରିଆ ମୁକ୍ତ ହୋଇପାରିଛି। ସବୁଠୁ ବଡ଼ କଥା ହେଲା, ଖୋର୍ଧା ଜିଲ୍ଲା ଏବେ ବି ଫାଇଲେରିଆ କବଳରେ ରହିଛି। ଅର୍ଥାତ୍ ଯେଉଁଠି ଫାଇଲେରିଆ ନିରାକରଣର ଫର୍ମୁଲା ପ୍ରସ୍ତୁତ କରୁଛନ୍ତି ସରକାର, ସେଠାରେ ଏହାକୁ ନିୟନ୍ତ୍ରଣ କରାଯାଇପାରିନାହିଁ। ମିଳିଥିବା ତଥ୍ୟ ଅନୁସାରେ, ଫାଇଲେରିଆ ନିରାକରଣ ପାଇଁ ରାଜ୍ୟର ୩ଟି ଜିଲ୍ଲାରେ ସର୍ବେକ୍ଷଣ ବାକି ରହିଛି ଏବଂ ୨୧ଟି ଜିଲ୍ଲାରେ ସମୂହ ଔଷଧ ସେବନ (ଏମ୍‌ଡିଏ) କାର୍ଯ୍ୟକ୍ରମ କରାଯିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। କୌତୂହଳର କଥା ହେଉଛି, ୬୭ବର୍ଷ ଭିତରେ ଏକ ତୃତୀୟାଂଶ ଜିଲ୍ଲାରୁ ଫାଇଲେରିଆ ମୁକ୍ତ କରିପାରିନଥିବା ସ୍ବାସ୍ଥ୍ୟ ବିଭାଗ ୨୦୩୦ ସୁଦ୍ଧା ଓଡ଼ିଶାକୁ ଫାଇଲେରିଆ ମୁକ୍ତ କରିବା ଲାଗି ଅଣ୍ଟାଭିଡ଼ିଛନ୍ତି। ରାଜ୍ୟ ସରକାରଙ୍କ ସାମ୍ନାରେ କେନ୍ଦ୍ର ଏଭଳି ଗୋଟିଏ ଟାର୍ଗେଟ ରଖିଛି, ଯାହାର ସଫଳତା ନେଇ ବିଭିନ୍ନ ମହଲ ଆଶଙ୍କା ପ୍ରକାଶ କରିବାରେ କୌଣସି ଅସ୍ବାଭାବିକତା ନାହିଁ।

speciality.medicaldialogues.in

ଜାତୀୟ କୀଟ ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନ୍‌ଭିବିଡିସିପି) ଅନୁଯାୟୀ, ଦେଶର ୨୫୭ଟି ଜିଲ୍ଲା ଫାଇଲେରିଆପ୍ରବଣ(ଏଲ୍‌ଏଫ) ରହିଛି। ଏଥିରେ ଓଡ଼ିଶାର ୨୦ଟି ଜିଲ୍ଲା ରହିଛି। ଉତ୍ତର ପ୍ରଦେଶର ସର୍ବାଧିକ ୫୧ଟି ଜିଲ୍ଲା ଥିବା ବେଳେ ବିହାର ୩୮, ତାମିଲନାଡ଼ୁର ବି ୨୦ଟି ଜିଲ୍ଲା ରହିଛି। ଦେଶର ୭% ଫାଇଲେରିଆ ପ୍ରବଣ ଜିଲ୍ଲା ଓଡ଼ିଶାରେ ରହିଛି। ଏକଦା ରାଜ୍ୟରେ ଫାଇଲେରିଆର ପ୍ରମୁଖ ସ୍ଥାନ ରହିଥିଲା ପୁରୀ ଜିଲ୍ଲା। ପରବର୍ତୀ ସମୟରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାକୁ ଏହା ମାଡ଼ିଥିଲା। ସହରୀକରଣ ସହିତ ନାଳ ନର୍ଦ୍ଦମା ସଂଖ୍ୟା ବୃଦ୍ଧି ପାଇବା କାରଣରୁ ଫାଇଲେରିଆ ସୃଷ୍ଟି କରୁଥିବା ମଶା(କ୍ୟୁଲେକ୍ସ)ବଂଶ ବଢ଼ିଥିଲା। ଫାଇଲେରିଆ ନିରାକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାରେ ଏଫ୍‌ଏଫସିସି ଆରମ୍ଭ ହୋଇଥିଲା। ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ରହିଥିଲା ମଶା ବଂଶକୁ ରୋକିବା ଓ ଯେଉଁମାନେ ଆକ୍ରାନ୍ତ ଅଛନ୍ତି ସେମାନଙ୍କର ଚିକିତ୍ସା କରିବା। ହେଲେ ମଶା ନିୟନ୍ତ୍ରଣରେ ନ ଆସିବା କାରଣରୁ ରାଜ୍ୟରେ ଫାଇଲେରିଆ ନିରାକରଣ ସମ୍ଭବ ହେଉନାହିଁ। ମଶା ସର୍ଭେ ସହିତ ନିୟମିତ ବ୍ୟବଧାନରେ ମଶା ତେଲ ପକାଯାଉ ନ ଥିବାରୁ ସେମାନଙ୍କ ସଂଖ୍ୟା ବଢ଼ୁଛି। ଜିଲ୍ଲାସ୍ତରରେ ମଶାଙ୍କ ସାନ୍ଦ୍ରତା କେତେ ରହିଛି ତାହାକୁ ମପା ଯାଉନାହିଁ। ଆଗକୁ ମଶା ବଂଶ ବୃଦ୍ଧି ବିସ୍ଫୋରକ ରୂପ ନେଇପାରେ ବୋଲି ବିଶେଷଜ୍ଞମାନେ ଦାବି କରୁଛନ୍ତି।

ଆସନ୍ତାବର୍ଷ ଫେବ୍ରୁଆରି, ଅଗଷ୍ଟରେ ହେବ ଏମ୍‌ଡିଏ
୮୫% ଲୋକ ଏମ୍‌ଡିଏରେ ଭାଗ ନେଲେ ଫାଇଲେରିଆ କମିବ

ସଂପ୍ରତି ରାଜ୍ୟର ୧୫ଟି ଜିଲ୍ଲାରେ ୩୬ଟି ଫାଇଲେରିଆ ଇନ୍ସପେକ୍ଟର ପଦବି ରହିଛି। ମାତ୍ର ଏଥିରେ ୧୮ଜଣ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦୀର୍ଘବର୍ଷ ଧରି ବିନା ବଦଳିରେ ଗୋଟିଏ ସ୍ଥାନରେ ରହି ମଶା ସର୍ବେକ୍ଷଣ କାର୍ଯ୍ୟ କରୁଛନ୍ତି। ଫାଇଲେରିଆ ଇନ୍ସପେକ୍ଟରଙ୍କ ସହିତ ସୁପରଭାଇଜର ଓ ୱାର୍କର ମଧ୍ୟ ରହିଛନ୍ତି। ରାଜ୍ୟରେ ମଶା ନିୟନ୍ତ୍ରଣ ହୋଇପାରୁନାହିଁ କାହିଁକି? ଉପରଠାଉରିଆ ଭାବେ କାଁ ଭାଁ ମଶା ଧୂଆଁ ଦିଆଯାଉଛି। ବିଶେଷଜ୍ଞଙ୍କ ମତରେ ନାଳ ନର୍ଦ୍ଦମା ପାଣିରେ ହିଁ କ୍ୟୁଲେକ୍ସ ମଶା ବଢ଼ିଥାଏ। ତେଣୁ ମଶା ଧୂଆଁ ଅପେକ୍ଷା ମଶା ତେଲ ପକାଇଲେ ଏହା ଅଧିକ ସୁଫଳ ମିଳିବ। କିନ୍ତୁ ଭୁବନେଶ୍ବର ସମେତ ରାଜ୍ୟର ଅଧିକାଂଶ ସହରାଞ୍ଚଳରେ ନିୟମିତ ବ୍ୟବଧାନରେ ମଶା ତେଲ ପକାଯାଉନାହିଁ।

ଅପରପକ୍ଷରେ ଫାଇଲେରିଆ ନିରାକରଣ ପାଇଁ ରାଜ୍ୟର ୨୧ଟି ଜିଲ୍ଲାରେ ସମୂହ ଔଷଧ ସେବନ କାର୍ଯ୍ୟକ୍ରମ ବା ଏମ୍‌ଡିଏ ଜାରି ରହିଛି। ୨୦୦୪ ମସିହାରେ ଏହା ଆରମ୍ଭ ହୋଇଥିଲା। ଆସନ୍ତାବର୍ଷ ଫେବ୍ରୁଆରି ଓ ଅଗଷ୍ଟ ମାସରେ ଏମ୍‌ଡିଏ କରାଯିବ। ଫେବ୍ରୁଆରି ମାସରେ ୧୦ଟି ଜିଲ୍ଲା ଓ ଅଗଷ୍ଟ ମାସରେ ୧୧ଟି ଜିଲ୍ଲାରେ କାର୍ଯ୍ୟକ୍ରମ ଅନୁଯାୟୀ ଲୋକମାନଙ୍କୁ ଡିଇସି ଓ ଆଲବେଣ୍ଡାଜୋଲ ବଟିକା ବାଣ୍ଟିବେ ସରକାର। ଯାହାଫଳରେ ଯେଉଁମାନଙ୍କଠାରେ ଫାଇଲେରିଆ ଜୀବାଣୁ ରହିଛି ତାହା ନଷ୍ଟ ହୋଇଯିବେ। ଗତ ୧୪ବର୍ଷ ଧରି ଓଡ଼ିଶାରେ ଏମ୍‌ଡିଏ ଆୟୋଜିତ ହେଉଥିଲେ ବି ଏହାର ବିଶେଷ ସଫଳତା ମିଳୁନାହିଁ।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଏମ୍‌ଡିଏରେ ସଫଳତା ମିଳିବାକୁ ହେଲେ ୮୫% ଲୋକ ଔଷଧ ଖାଇବା ଜରୁରୀ। ଲୋକମାନଙ୍କୁ ଔଷଧ ବଣ୍ଟାଯାଉଥିଲେ ବି ଅନେକ ଏହାକୁ ଖାଉନାହାନ୍ତି। ଏଣୁ ଫାଇଲେରିଆ ନିରାକରଣ ବିଳମ୍ବ ହେଉଛି। ଆସନ୍ତାବର୍ଷ ଏଥିପାଇଁ ବ୍ଲକ୍‌ସ୍ତରରେ ଏମ୍‌ଡିଏ କରିବା ଲାଗି ନିଷ୍ପତ୍ତି ହୋଇଛି। ନାଇଟ୍‌ ବ୍ଲଡ୍ ସର୍ଭେ ହେବା ପରେ ଯେଉଁ ବ୍ଲକ୍‌ରେ ୧ରୁ ଅଧିକ ଫାଇଲେରିଆ ପାରାସାଇଟ୍‌ ଚିହ୍ନଟ ହେବ ସେଠାରେ ହିଁ ଏମ୍‌ଡିଏ ଆୟୋଜିତ ହେବ। ଯାହାଫଳରେ ନିର୍ଦ୍ଦିଷ୍ଟଭାବେ ସଂପୃକ୍ତ ବ୍ଲକ୍ ଉପରେ ଗୁରୁତ୍ବ ଦିଆଯାଇପାରିବ।

କ୍ୟୁଲେକ୍ସ ମଶା କାମୁଡ଼ିବା ଦ୍ବାରା ମୁଖ୍ୟତଃ ହାଇଡୋସିଲ୍‌ ଓ ଗୋଦର ‌ରୋଗ ହୋଇଥାଏ। ରାଜ୍ୟରେ ବର୍ତମାନ ୩୨ହଜାରରୁ ଅଧିକ ହାଇଡ୍ରୋସିଲ୍ ରୋଗୀ ରହିଛନ୍ତି। ଆସନ୍ତା ୩ବର୍ଷ ଭିତରେ ୧୦ହଜାରରୁ ଅଧିକ ହାଇଡ୍ରୋସିଲ୍ ରୋଗୀଙ୍କୁ ଅସ୍ତ୍ରୋପଚାର କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଲକ୍ଷ୍ୟ ରହିଛି। ଏବେ ସୁଦ୍ଧା ୨ହଜାରରୁ ଅଧିକ ଲୋକଙ୍କ ଅସ୍ତ୍ରୋପଚାର କରାଯାଇଛି। ହାଇଡ୍ରୋସିଲ୍‌ ରୋଗୀଙ୍କୁ ହସ୍ପିଟାଲକୁ ଆଣି ଅସ୍ତ୍ରୋପଚାରରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି। ତେଣୁ ଏହାସହ ରାଜ୍ୟରେ ୬୭ ହଜାରରୁ ଅଧିକ ଗୋଦର ରୋଗୀ ରହିଥିବା ବେଳେ ସେମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ କିଟ୍‌ ଯୋଗାଇ ଦିଆଯାଇଛି।

ସମ୍ବନ୍ଧିତ ଖବର