ରାଜ୍ୟର ୧୦ ଜିଲ୍ଲାରେ ଫାଇଲେରିଆ ସ୍ଥିତି ଗମ୍ଭୀର

ଖୋର୍ଧା ଜିଲ୍ଲାକୁ ପୁଣି ଫେରିଛି ଫାଇଲେରିଆ

୨୦୨୦ ସୁଦ୍ଧା ସଂପୂର୍ଣ୍ଣ ନିରାକରଣ ନେଇ ସନ୍ଦେହ

ଭୁବନେଶ୍ୱର : ରାଜ୍ୟରେ ୧୦ ଜିଲ୍ଲାରେ ଫାଇଲେରିଆ ସ୍ଥିତି ଏବେ ବି ଗମ୍ଭୀର ରହିଛି। ଟ୍ରାନ୍‌ସମିସନ ଆସେସମେଣ୍ଟ ସର୍ଭେ ବା ଟିଏଏସ୍‌ରେ ଖୋର୍ଧା ଜିଲ୍ଲା ଫେଲ୍‌ ମାରିଛି। ଭୁବନେଶ୍ୱର ସମେତ ଖୋର୍ଧା ଜିଲ୍ଲାରେ ଫାଇଲେରିଆ ଆକ୍ରାନ୍ତ ରହିଥିବା ସୂଚନା ମିଳିଛି। ୨୦୧୩ ମସିହାରୁ ଭୁବନେଶ୍ୱରରେ କୌଣସି ଫାଇଲେରିଆ ରୋଗୀ ଚିହ୍ନଟ ହୋଇ ନ ଥିଲେ। ମାତ୍ର ଡବ୍ଲ୍ୟୁଏଚ୍‌ଓର ନୂତନ କାର୍ଯ୍ୟକ୍ରମରେ ଖୋର୍ଧା ଜିଲ୍ଲାରେ ଫାଇଲେରିଆ ଆକ୍ରାନ୍ତଙ୍କ ସଂପର୍କରେ ସୂଚନା ମିଳିଛି। ଫଳରେ ୨୦୨୦ ମସିହା ସୁଦ୍ଧା ରାଜ୍ୟରୁ ଫାଇଲେରିଆ ସଂପୂର୍ଣ୍ଣ ନିରାକରଣ ନେଇ ସନ୍ଦେହ ଦେଖା ଦେଇଛି।

୨୦୦୨ ମସିହାରେ ମାସ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେସନ୍‌ ବା ଏମ୍‌ଡିଏ ପାଇଁ ରାଜ୍ୟର ୪ଟି ଜିଲ୍ଲାରେ ପାଇଲଟ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଖୋର୍ଧା, ପୁରୀ, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା ହୋଇଥିଲା। ଏହାସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଏକ ସର୍ବେକ୍ଷଣ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ୨୦ଟି ଜିଲ୍ଲାରେ ଫାଇଲେରିଆ ସ୍ଥିତି ଗମ୍ଭୀର ଥିବା ଜଣାପଡ଼ିଥିଲା। ଅନୁଗୁଳ, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଦେବଗଡ଼, ଗଞ୍ଜାମ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଖୋର୍ଧା, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ନୂଆପଡ଼ା, ନୟାଗଡ଼ ଓ ପୁରୀରେ ଫାଇଲେରିଆ ସଂକ୍ରମିତ ହେଉଥିବା ସୂଚନା ମିଳିଥିଲା।

ତେଣୁ ୨୦୦୪ ମସିହାରେ ୨ବର୍ଷରୁ କମ୍‌, ଗର୍ଭବତୀ ମହିଳା ଓ ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଡିଇସି ଓ ଆଲବେଣ୍ଡାଜୋଲ ଟାବଲେଟ୍‌ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଉଚ୍ଚ ନ୍ୟାୟାଳୟରେ ଆଲବେଣ୍ଡାଜୋଲ ଟାବଲେଟ ପ୍ରଦାନକୁ ନେଇ ମାମଲା ଚାଲିଥିବାରୁ ଏହା ଦିଆଯାଇ ନ ଥିଲା। ମାତ୍ର ୨୦୦୮ ମସିହାରେ ଏହି ମାମଲା ପ୍ରତ୍ୟାହୃତ ହୋଇଥିଲା। ପରେ ୨୦୧୦ ମସିହାରେ ଡିଇଏସ୍‌ ଓ ଆଲବେଣ୍ଡାଜୋଲ ପ୍ରଦାନ କରାଯାଇଥିଲା। ପୂର୍ବରୁ ଫାଇଲେରିଆ ପାଇଁ ନାଇଟ ବ୍ଲଡ୍‌ ସର୍ଭେ ହେଉଥିବା ବେଳେ ଭୁବନେଶ୍ୱର ଓ ଖୋର୍ଧା ଜିଲ୍ଲାରେ କୌଣସି ଫାଇଲେରିଆ ଆକ୍ରାନ୍ତ ଦେଖିବାକୁ ମିଳି ନ ଥିଲେ। ତେଣୁ ଫାଇଲେରିଆ ନିରାକରଣ ଦୃଷ୍ଟିକୋଣରୁ ଭୁବନେଶ୍ୱରକୁ ଏଥିରୁ ବାଦ ଦିଆଯାଇଥିଲା। ତେବେ ୨୦୧୪ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍‌ଓର ନିର୍ଦେଶକ୍ରମେ ଟିଏଏସ୍‌ ବା ଟ୍ରାନ୍ସମିସନ ଆସେସମେଣ୍ଟ ସର୍ଭେ ଆରମ୍ଭ ହୋଇଥିଲା। ଏଥିରେ ଭୁବନେଶ୍ୱର ସମେତ ଖୋର୍ଧା ଜିଲ୍ଲାରେ ଫାଇଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୨୦୧୪ ମସିହାରେ ଟିଏଏସ୍‌ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ୧୦ଟି ଜିଲ୍ଲା ଫାଇଲେରିଆକୁ ସଂପୂର୍ଣ୍ଣ ନିରାକରଣ କରିବା ଦିଗରେ ସଫଳ ହୋଇଛନ୍ତି। କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ନୂଆପଡ଼ା, ଗଜପତି, କେନ୍ଦ୍ରାପଡ଼ା, ବାଲେଶ୍ୱର, ପୁରୀ, ଯାଜପୁର ଓ ବୌଦ୍ଧ ଜିଲ୍ଲାରେ ନୂତନ ଫାଇଲେରିଆ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଇ ନାହାନ୍ତି। ଫାଇଲେରିଆସିସ୍‌ ଟେଷ୍ଟିଂ ଷ୍ଟ୍ରିକ୍ଟ ବା ଏଫ୍‌ଟିଏସ୍‌ ଜରିଆରେ ହେଉଥିବା ସର୍ବେକ୍ଷଣରେ ନିକଟରେ ବୌଦ୍ଧ ଜିଲ୍ଲା ପ୍ରଥମ ପର୍ଯ୍ୟାୟ ଟିଏଏସ୍‌ ପାସ କରିଛି। କେନ୍ଦ୍ରାପଡ଼ା ଓ କୋରାପୁଟ ଦ୍ୱିତୀୟ ଟିଏଏସ୍‌ରେ ସଫଳ ହୋଇଥିବା ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବା ଏନ୍‌ଭିବିଡିସିପି କାର୍ଯ୍ୟାଳୟରୁ ସୂଚନା ମିଳିଛି।

ଯେଉଁ ଜିଲ୍ଲାଗୁଡ଼ିକ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟିଏଏସ୍‌ କାର୍ଯ୍ୟକ୍ରମରେ ସଫଳ ହେବେ ପରବର୍ତୀ ସମୟରେ ସେମାନଙ୍କୁ ତୃତୀୟ ପର୍ଯ୍ୟାୟ ଟିଏଏସ୍‌ ଦେଇ ଗତି କରିବାକୁ ପଡ଼ିବ। ଯଦି ଏଥିରେ ଏହି ଜିଲ୍ଲାଗୁଡ଼ିକ ସଫଳ ହୁଅନ୍ତି ତେବେ ସେମାନଙ୍କୁ ମ୍ୟାଲେରିଆମୁକ୍ତ ବୋଲି ଘୋଷଣା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଥିପାଇଁ ଚଳିତବର୍ଷ ମାର୍ଚ ମାସରେ କଟକ, ଢେଙ୍କାନାଳ ଓ ଖୋର୍ଧା ଜିଲ୍ଲାରେ ଏମ୍‌ଡିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିବର୍ଷ ଶେଷ ସୁଦ୍ଧା ଗଞ୍ଜାମ, ନୟାଗଡ଼, ଜଗତସିଂହପୁର, ଝାରସୁଗୁଡ଼ା, ଅନୁଗୁଳ ଓ ଦେବଗଡ଼ରେ ଏମ୍‌ଡିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

କେନ୍ଦ୍ର ସରକାର ଆସନ୍ତା ୨୦୨୦ ମସିହା ସୁଦ୍ଧା ଦେଶରୁ ଫାଇଲେରିଆକୁ ସଂପୂର୍ଣ୍ଣ ନିରାକରଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶାରୁ ସଂପୂର୍ଣ୍ଣ ଫାଇଲେରିଆ ନିରାକରଣ ନେଇ ସନ୍ଦେହ ଦେଖା ଦେଇଛି। ରାଜ୍ୟର ୧୦ଟି ଜିଲ୍ଲାରେ ଏବେ ବି ଫାଇଲେରିଆ ସଂକ୍ରମିତ ରହିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବାନୁଯାୟୀ, ଦେଶର ଅନେକ ରାଜ୍ୟ ଫାଇଲେରିଆ ନିୟନ୍ତ୍ରଣରେ ଫେଲ ମାରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଜୋରଦାର ଉଦ୍ୟମ କରାଯାଉଛି। ୨୦୧୩ ମସିହା ପରେ ଭୁବନେଶ୍ୱରରେ କୌଣସି ଫାଇଲେରିଆ ବ୍ୟକ୍ତି ଚିହ୍ନଟ ହୋଇ ନ ଥିଲେ। ତେବେ ୨୦୧୬ ମସିହାରେ ପୁଣିଥରେ ଫାଇଲେରିଆ ସଂକ୍ରମିତ ବ୍ୟକ୍ତିଙ୍କୁ ଭୁବନେଶ୍ୱର ସହିତ ଖୋର୍ଧା ଜିଲ୍ଲାରେ ଚିହ୍ନଟ କରାଯାଇଛି। ଏଥିପାଇଁ ଦେଶାନ୍ତର ଓ ଅନ୍ୟ କେତେକ କାରଣ ଦାୟୀ। ତେଣୁ ୨୦୨୦ ମସିହା ସୁଦ୍ଧା ରାଜ୍ୟକୁ ସଂପୂର୍ଣ୍ଣ ଫାଇଲେରିଆ ମୁକ୍ତ ଏକ କଷ୍ଟକର କାର୍ଯ୍ୟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର