ଭୁବନେଶ୍ବର: ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବ ମଧ୍ୟରୁ ୧୨୦ଟି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରାଯାଇପାରିବ ନାହିଁ। କେନ୍ଦ୍ର ସରକାର ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ଜଣାପଡ଼ିଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଅବଶିଷ୍ଟ ୪୯ ସମ୍ପ୍ରଦାୟକୁ ନିୟମ ଅନୁସାରେ ସାମିଲ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅମାନ୍ତିଆ, ଭୀମା, ବୋଭିଲି ସାଓରା, ଭୂମିଜା, ଚେରେଂଗା, କୋହ୍ଲ ଆଦି ୭୧ଟି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ ପାଇଁ ରାଜ୍ୟ ସରକାର୧୯୮୧ ଓ ୧୯୮୯ ମସିହାରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶା ସରକାର ୨୦୧୪ ମସିହାରେ ଏସବୁ ପ୍ରସ୍ତାବ କେନ୍ଦ୍ର ଟାସ୍କ ଫୋର୍ସ ନିକଟରେ ପୁନଃ ଉପସ୍ଥାପିତ କରିଥିଲେ। କୌତୂହଳ ବିଷୟ ହେଲା, ୧୯୮୦ ଦଶକରେ ହୋଇଥିବା ଆବେଦନ ସମ୍ପର୍କିତ କୌଣସି ଦସ୍ତାବିଜ୍ ଆଜି ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଉପଲବ୍ଧ ନାହିଁ। ଏପଟେ ୧୦ବର୍ଷ ତଳେ ଯେଉଁ ଆବେଦନ ସରକାର କରିଥିଲେ, ସେଥିରେ ମଧ୍ୟ ଜାତିଗତ ଅଧ୍ୟୟନ ସମ୍ପର୍କିତ ରିପୋର୍ଟ ସଂଲଗ୍ନ କରିନାହାନ୍ତି।
ନିୟମ ଅନୁସାରେ, ଭାରତର ମହାନିବନ୍ଧକ ତଥା ଜନସୁମାରି ଆୟୁକ୍ତ କୌଣସି ସମ୍ପ୍ରଦାୟକୁ ଅନୁମୋଦନ ଦେବା ବେଳେ ଏହି ରିପୋର୍ଟ ଆବଶ୍ୟକ କରିଥାନ୍ତି। ଏହି କାରଣରୁ ଅନ୍ୟୂନ ୩୮ ଟି ପ୍ରସ୍ତାବକୁ କେନ୍ଦ୍ର ସରକାର ସିଧାସଳଖ ନାକଚ କରିଦେଇଥିବା ଜଣାପଡ଼ିଛି। ଏହାର କାରଣରେ କୁହାଯାଇଛି ଯେ ଜାତିଗତ ଅଧ୍ୟୟନ ରିପୋର୍ଟ ରାଜ୍ୟ ଠାରୁ ମିଳିନାହିଁ। ସେହିଭଳି ୪ଟି ପ୍ରସ୍ତାବ ଉପରେ ଭାରତର ମହାନିବନ୍ଧକ ଅନେକ ସମୟ ଧରି ଅନୁଧ୍ୟାନ କରିବା ପରେ ଏସବୁକୁ ସାମିଲ କରାଯିବା ସପକ୍ଷରେ କୌଣସି ଅଧିକ ତଥ୍ୟ ହାସଲ କରିପାରିନଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଯଦି ଓଡ଼ିଶା ସରକାର ଏହିସବୁ ସମ୍ପ୍ରଦାୟକୁ ସାମିଲ କରିବାକୁ ଚାହୁଁଛନ୍ତି, ତେବେ ଅତିରିକ୍ତ ନୂଆ ତଥ୍ୟ ଦେବା ଦରକାର। ଏଯାଏ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ।
ଗୁରୁତ୍ବପୂର୍ଣ୍ଣ କଥା ହେଲା, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ସଚିବ ଓ ବିଭାଗୀୟ ନିର୍ଦ୍ଦେଶକଙ୍କ ନେତୃତ୍ବରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ୨୦୨୨ ମସିହା ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ମାସରେ ଏବଂ ୨୦୨୩ ମସିହା ଜାନୁଆରି ମାସରେ ମୋଟ୍ ୪ଟି ବୈଠକ ବସିଥିଲା। ଓଡିଶାର ୧୬୯ ଟି ସମ୍ପ୍ରଦାୟକୁ ଅନୂସୁଚିତ ଜନଜାତି ବର୍ଗରେ ସାମିଲ କରାଯିବାକୁ ନେଇ ଏଥିରେ ଆଲୋଚନା ହୋଇଥିଲା।
ଜନଜାତି ବର୍ଗ ମାନ୍ୟତା ମିଳିପାରୁନି
ତାଲିକାରୁ ବାଦ୍ ପଡ଼ିପାରନ୍ତି ୧୨୦ ସମ୍ପ୍ରଦାୟ
ରାଜ୍ୟକୁ ଦୋଷ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ଟୁଡୁ
କେନ୍ଦ୍ର ଅସହଯୋଗ କରୁଛି: ଜଗନ୍ନାଥ ସାରକା
ଏନେଇ ଥିବା ପ୍ରତିବନ୍ଧକ ଗୁଡିକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ତଥାପି ସମାଧାନର ରାସ୍ତା ବାହାରିପାରିଲା ନାହିଁ। ଅନ୍ୟପକ୍ଷରେ ସମ୍ବିଧାନ ସଂଶୋଧନ ଜରିଆରେ ୨୦୧୬ ମସିହାରେ ପୁଡ଼ୁଚେରିର ଗୋଟିଏ, ୨୦୨୦ରେ କର୍ଣ୍ଣାଟକର ୪ଟି, ୨୦୨୧ରେ ଅରୁଣାଚଳ ପ୍ରଦେଶର ୧୩ ଟି, ୨୦୨୨ ମସିହାରେ ଝାଡ଼ଖଣ୍ଡର ୧୦ ଟି, ତ୍ରିପୁରାର ଗୋଟିଏ, ଉତ୍ତର ପ୍ରଦେଶର ୭ଟି, ୨୦୨୩ରେ ତାମିଲନାଡୁର ୨ଟି, କର୍ଣ୍ଣାଟକର ଗୋଟିଏ, ହିମାଚଳର ଗୋଟିଏ, ଜମ୍ମୁ ଓ କାଶ୍ମୀରର ୪ ଟି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରାଯାଇଛି। ଏଠାରେ ଉଲ୍ଲେଖଥାଉକି, ଆଦିବାସୀ ସମ୍ପ୍ରଦାୟକୁ ସାମାଜିକ ଓ ଆର୍ଥିକସ୍ତରରେ ଅଧିକ ସଶକ୍ତ କରିବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୯୯୯ ମସିହାରେ କେନ୍ଦ୍ରରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ବିଭାଜନ କରି ନୂତନ ଭାବେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଗଠନ କରିଥିଲେ। ତତ୍କାଳୀନ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ ଏହି ମନ୍ତ୍ରଣାଳୟର ଦାୟିତ୍ବ ଦିଆଯାଇଥିଲା। ସେହିଭଳି ୨୦୨୧ ମସିହା ଜୁଲାଇ ମାସରୁ କେନ୍ଦ୍ରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ ଭାବେ ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ ଦାୟିତ୍ବ ନିର୍ବାହ କରୁଛନ୍ତି। ହେଲେ ଶ୍ରୀ ଟୁଡ଼ୁ କିନ୍ତୁ ସବୁ ଦୋଷ ରାଜ୍ୟ ସରକାରଙ୍କ ଉପରେ ଲଦି ଦେବାକୁ ଚେଷ୍ଟା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ସରକାର ଅସମ୍ପୂର୍ଣ୍ଣ ତଥ୍ୟ ଦେଉଥିବା କାରଣରୁ ସମସ୍ୟା ଉପୁଜୁଛି। ଏ ନେଇ ବାରମ୍ବାର କୁହାଯିବା ପରେ ମଧ୍ୟ ବିଭାଗ ଆବଶ୍ୟକ ପଦକ୍ଷେପ ନେଉନାହିଁ। ରାଜ୍ୟ ଯେତେ ଶୀଘ୍ର ଦସ୍ତାବେଜ ପଠାଇବ, ସେତେ ଶୀଘ୍ର ପଦକ୍ଷେପ ନିଆଯିବ। ରାଜ୍ୟ ଅନୁସୂଚିତ ଜାତି ଏବଂ ଜନଜାତି ବିକାଶ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, କେନ୍ଦ୍ରର ଅସହଯୋଗ ଯୋଗୁଁ ଆଜି ଏ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ଓଡିଶାରେ ୬୨ଟି ସମ୍ପ୍ରଦାୟ ଅନୁସୂଚିତ ଜନଜାତି ବର୍ଗରେ ଅନ୍ତର୍ଭୁକ୍ତ ଅଛନ୍ତି।