ଆଜି ସୁଦ୍ଧା ୫ଟି ଲୋକସଭା ଓ ୨୬ଟି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ‌େଲାକସଭା ଆସନ ପାଇଁ ଆଜି ୩ଜଣ ଓ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ପ୍ରଥମ ପର୍ଯ୍ୟାୟ ବିଧାନସଭା ଆସନ ପାଇଁ ଆଜି ୧୪ଜଣ, ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଆସନ ପାଇଁ ୪ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ପର୍ଯ୍ୟନ୍ତ ଲୋକସଭା ପାଇଁ ମୋଟ୍‌ ୫ଟି ଓ ବିଧାନସଭା ପାଇଁ ମୋଟ୍‌ ୨୬ଟି ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି।

ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ୩୩୫୫ଟି ଜାମିନବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି। ଲାଇସେନ୍ସ ପ୍ରାପ୍ତ ୨୯୧୬ଟିୁ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନ ନିକଟରେ ଜିମା ଦିଆଯାଇଛି। ଲାଇସେନ୍ସ ନଥିବା ୫୯ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା ୪ଟି କାରଖାନା ଉପରେ ଚଢ଼ଉ କରାଯାଇଛି। ଆଜି ସୁଦ୍ଧା‌ ରାଜ୍ୟରେ ଫ୍ଲାଇଂ ସ୍କ୍ବାଡ୍‌ ଦ୍ବାରା ୮ଲକ୍ଷ ୩୩ହଜାର ୧୧୦ ଟଙ୍କା ଜବତ କରାଯାଇଥିବା ବେଳେ ପୁଲିସ ଦ୍ବାରା ୨ଲକ୍ଷ ୨୦ହଜାର ଟଙ୍କା ଜବତ ହୋଇଛି। ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ ଥିବା ୧ଲକ୍ଷ ୬୫ହଜାର ୪୩୩ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଯାଇଛି। ସେହିପରି ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା ୧୪ହଜାର ୧୮୧ଟି ହୋର୍ଡିଂ, ପୋଷ୍ଟରକୁ ମଧ୍ୟ ବାହାର କରାଯାଇଛି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଯାନବାହନର ଅପବ୍ୟବହାର ହେଉଥିବାରୁ ବିଭିନ୍ନ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ୨୦୭ଟି ମାମଲା ରୁଜୁ କରାଯାଇଛି।

ସେହିପରି ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍‌କୁ ବର୍ତ୍ତମାନ ସୁଦ୍ଧା ୧୨୧ଟି କଲ୍‌ କରି ନିର୍ବାଚନ ସମ୍ପର୍କିତ ଅଭିଯୋଗ ଓ ସୂଚନା ପ୍ରଦାନ କରାଯାଇଛି। ସି-ଭିଜିଲ୍ ଆପ୍‌ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୨୫୯ଟି ଅଭିଯୋଗ ଗ୍ରହଣ କରାଯାଇ ସେଥିରୁ ୨୩୧ଟିର ସମାଧାନ କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି।

ସମ୍ବନ୍ଧିତ ଖବର