ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ବନ୍ଧବାହାଲ ପଞ୍ଚାୟତ ବିଜାଗଡ଼ ସ୍କୁଲପଡ଼ା ପୋଖରୀରେ ୩ଟି ଯୋଜନାରେ ବିଲ୍ କରି ୧୨ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗ ହୋଇଥିଲା। ପଞ୍ଚାୟତସମିତି ଉପାଧ୍ୟକ୍ଷ ପୀତାମ୍ବର ଶେଖର ଦେଓ ଓ ସରପଞ୍ଚ ଶୋଭାସିନୀ ଦଣ୍ଡସେନା ସୁନ୍ଦରଗଡ଼ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଏହା ପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲ୍ଲା ପରିଷଦ ୪ ଜଣିଆ କମିଟି ଗଠନ କରି ଅଭିଯୋଗର ତଦନ୍ତ ଆରମ୍ଭ କରିଥିଲା। ଏ ସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସୁନ୍ଦରଗଡ଼ ଭିଜିଲାନ୍ସ ସମସ୍ତ ଯୋଜନାର ଫାଇଲ ଜବତ କରି ତଦନ୍ତ ଆରମ୍ଭ କରିଛି। ସେପଟେ ସରଜମିନ ତଦନ୍ତରେ ଯାଇଥିବା ଜିଲ୍ଲା ପରିଷଦ କମିଟିକୁ କନିଷ୍ଠ ଯନ୍ତ୍ରୀ କେବଳ ମନରେଗା ଫାଇଲ ବ୍ୟତୀତ ଅନ୍ୟ ଫାଇଲ ନଦେବା ଓ ତଦନ୍ତରେ ସହଯୋଗ କରି ନଥିବା ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
ଶୁକ୍ରବାର କମିଟି ଏ ସମ୍ପର୍କିତ ରିପୋର୍ଟ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦେବା ପରେ ତାଙ୍କ ନିର୍ଦେଶରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଅଧିକାରୀ କହିଛନ୍ତି। ଅଭିଯୋଗ ଅନୁସାରେ, ବନ୍ଧବାହାଲ ପଞ୍ଚାୟତର ବିଜାଗଡ଼ ସ୍କୁଲପଡ଼ା ପୋଖରୀର ଉନ୍ନତି ଓ ସଂରକ୍ଷଣ ପାଇଁ ପ୍ରଥମେ ୨୦୨୧-୨୩ ଆର୍ଥିକ ବର୍ଷରେ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗରୁ ୬.୬୩ ଲକ୍ଷ ଯୋଗାଇ ଦିଆଯାଇଥିଲା। ଏହା ପରେ ୨୦୨୨-୨୩ ବର୍ଷରେ ମହାତ୍ମଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିମ କର୍ମ ନିଯୁକ୍ତି ଆଇନ (ମନରେଗା)ରୁ ୯.୯୦ ଲକ୍ଷ ଅନୁଦାନ ଦିଆଯାଇଥିଲା। ପୁଣି ସେହି ଆର୍ଥିକ ବର୍ଷରେ ଅମୃତ ମହୋତ୍ସବ ଯୋଜନାରେ ୯.୯୦ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। ୩ଟି ଯୋଜନାରେ ମୋଟ୍ ୨୬.୪୩ ଲକ୍ଷ ମିଳିଥିବା ବେଳେ ନାମକୁ ମାତ୍ର କିଛି ମାଟି କାମ ଓ ୧୩୫ ମିଟର ଗାର୍ଡୱାଲ ତିଆରି ହୋଇଛି। ଏଥିରୁ ପ୍ରାୟ ୧୨ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପୀତାମ୍ବର ଶେଖର ଦେଓ ଅଭିଯୋଗ କରିଛନ୍ତି।
ବଡ଼ କଥା ହେଲା, ଏହା ମଧ୍ୟରେ କନିଷ୍ଠ ଯନ୍ତ୍ରୀ ବିଜାଗଡ଼ ସ୍କୁଲପଡ଼ା ପୋଖରୀ ନାଲା-୨ ନାମରେ ଏକ ମିଛ ଫାଇଲ୍ ଖୋଲି ସାମଗ୍ରୀ ବାବଦକୁ ୫ ଲକ୍ଷ ୭୫ ହଜାର ଓ ୨୯୨ ଶ୍ରମ ଦିବସ ପ୍ରସ୍ତୁତ କରି ୬୪୮୨୪ ଟଙ୍କା ବିଲ୍ କରି ନେଇଛନ୍ତି। କିନ୍ତୁ ଉଭୟ ଲୋକପ୍ରତିନିଧି ସହ ଗାଁ ଲୋକେ ବିଜାଗଡ଼ ସ୍କୁଲପଡ଼ା ପୋଖରୀ ନାଲା-୨ର କୌଣସି କାମ ହୋଇ ନଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଜିଲ୍ଲା ପରିଷଦର ମନରେଗା ଅମ୍ବୁସମ୍ୟାନ ଅରୁଣ କୁମାର ପଟେଲ, ବାଲିଶଙ୍କରା ବିଡିଓ ଜ୍ୟୋତିର୍ମୟୀ ପ୍ରଧାନ, ଜିଲ୍ଲା ପରିଷଦ ସହକାରୀ ନିର୍ବାହୀ ଯନ୍ତ୍ରୀ ବିମଳା ମାରାଣ୍ଡି ଓ ଜିଲ୍ଲା ସାମାଜିକ ସମୀକ୍ଷକ ସଂଜୀବ କୁମାର ପ୍ରଧାନଙ୍କୁ ନେଇ ଗଠିତ କମିଟି ୨୧ ତାରିଖ ସୋମବାର ବାଲିଶଙ୍କରା ପଞ୍ଚାୟତସମିତି ଅଧ୍ୟକ୍ଷ କୁଞ୍ଜଲତା ଭିତିରିଆ, ଉପାଧ୍ୟକ୍ଷ ଶ୍ରୀ ଦେଓ, ସରପଞ୍ଚ ଶ୍ରୀମତୀ ଦଣ୍ଡସେନା ଓ ଗାଁ ଲୋକଙ୍କ ଉପସ୍ଥିତିରେ ସରଜମିନ ତଦନ୍ତ କରିଥିଲେ। କିନ୍ତୁ କମିଟି କାମର ଫାଇଲ୍ (କେସ୍ ରେକର୍ଡ) ମାଗିଥିଲେ ମଧ୍ୟ କନିଷ୍ଠ ଯନ୍ତ୍ରୀ କେବଳ ମନରେଗା କାମର ଫାଇଲ ଦେଇଥିଲେ। ଅନ୍ୟ ସବୁ ଫାଇଲ୍ ପାଖରେ ନଥିବା କହିଥିବା ଅଭିଯୋଗ ହୋଇଛି। ତେବେ ତଦନ୍ତ ସମୟରେ ବିଜାଗଡ଼ ସ୍କୁଲପଡ଼ା ପୋଖରୀ ନାଲା-୨ରେ କୌଣସି କାମ ହୋଇ ନଥିବା କମିଟି ଜାଣିବାକୁ ପାଇଥିବା ପ୍ରକାଶ ପାଇଛି।