ଭାପୁର : ଭାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏଲପଡ଼ା ଗ୍ରାମରେ ବର୍ଷ ବର୍ଷ ଧରି ଜମି ବର୍ଷା ଓ ଅପରି‌‌ଷ୍କାର ପାଣି ଜମି ରହୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗାଁ ଦାଣ୍ଡରେ ମଇଳା ପାଣି ଜମି ରହିବା ସହ ନିଷ୍କାସନ ହୋଇପାରୁ ନ ଥିବାରୁ ତାହା ଏବେ ମଶାମାଛିଙ୍କ ଅନ୍ତୁଡ଼ିଶାଳ ପାଲଟିଛି। ପ୍ରକାଶ ଥାଉକି, ଆଜିକୁ ୮ ବର୍ଷ ହେବ ଏଲପଡ଼ା ଗାଁ ଦାଣ୍ଡରେ ବର୍ଷା ଓ ଘରର ମଇଳା ପାଣି ନିଷ୍କାସନ ନ ହୋଇ ଜମି ରହିଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏପରିକି ମଇଳା ପାଣି ଜମି ରହି ଗାଁ ଦାଣ୍ଡ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ଏହି ରାସ୍ତା ଦେଇ ପାଦରେ ଯିବାଆସିବା କରିବା ବେଳେ ମଇଳା ପାଣି ପାଦରେ ବାଜୁଛି। ଫଳରେ ଗୋଡ଼ କୁଣ୍ତାଇ ହେବା ସହ ଚର୍ମରୋଗ ସୃଷ୍ଟି ହେଉଛି।

Advertisment

publive-imageଭାପୁର ପଞ୍ଚାୟତ ଏଲପଡ଼ା ଗ୍ରାମରେ ପାଖାପାଖି ୧୫ ଶହରୁ ଊର୍ଦ୍ଧ୍ବ ଲୋକ ବସବାସ କରିଥାନ୍ତି। କିନ୍ତୁ ଆଜିକୁ ପ୍ରାୟ ୮ ବର୍ଷ ହେବ ଗାଁ ଦାଣ୍ତରେ ଘରଗୁଡ଼ିକରୁ ଆସୁଥିବା ଅପରିଷ୍କାର ପାଣି, ବର୍ଷା ଜଳ ଓ ନଳକୂଅର ପାଣି ନିଷ୍କାସିତ ହୋଇ ପାରୁନଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ପୂର୍ବରୁ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ପୂର୍ବତନ ତହସିଲ୍‌ଦାର ତୃପ୍ତି ମହାନ୍ତି ଓ ଫତେଗଡ଼ ପୁଲିସ ସହାୟତାରେ ଜେସିବି ମେସିନ୍ ମାଧ୍ୟମରେ ରାସ୍ତାର ଦୁଇ ପାର୍ଶ୍ବରୁ ମାଟି ତାଡ଼ି ମଇଳା ପାଣିକୁ ନିଷ୍କାସିତ କରାଯାଇଥିଲା। କିନ୍ତୁ ଏହି ଘଟଣା ଘଟିବା ପରଠାରୁ ଆଜି ପର୍ଯ୍ୟନ୍ତ ମଇଳା ପାଣି ନିଷ୍କାସନ ହେଉନାହିଁ। ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ। ଏପରିକି ଏହି ରାସ୍ତା ଦେଇ ବ୍ଲକ୍ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯିବାଆସିବା କରୁଥିଲେ ମଧ୍ୟ ଅଭିଯୋଗ ପ୍ରତି କର୍ଣ୍ଣପାତ କରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ଏ ପଟେ ସ୍ବାସ୍ଥ୍ୟ ବିଭାଗ ଡେଙ୍ଗୁ, ମ୍ୟାଲେରିଆ ନିରାକରର ଦିଗରେ ଜନସଚେତନତା ସୃଷ୍ଟି କରୁଥିବା ବେଳେ ଏହି ଘଟଣା ପ୍ରତି ସ୍ବାସ୍ଥ୍ୟ ବିଭାଗ କେତେ ସଚେତନ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।