ମାଟ୍ରିକ ପରୀକ୍ଷା ପାଇଁ ମିଛ ଫର୍ମ ପୂରଣ! କୋଟିଏରୁ ଅଧିକ ଟଙ୍କାର ବୋଝ ବୋହିଲା ବୋର୍ଡ

ବୋର୍ଡର ଏଥିରେ କୌଣସି ଭୂମିକା ନାହିଁ: ସଭାପତି

କଟକ : ୪୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଲେନି କାହିଁକି? ଏ ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର ଦେବାରେ କର୍ତ୍ତୃପକ୍ଷ ଏବେ ବି ଅକ୍ଷମ। ରିପୋର୍ଟ ତଲବ ହୋଇଛି। ଉତ୍ତର ମିଳିଲେ ତାହାର ତର୍ଜମା ହେବ ବୋଲି କୁହାଯାଉଛି। କିନ୍ତୁ ବିଭିନ୍ନ ସ୍କୁଲକୁ ଯାଇ କାରଣ ଖୋଜିଲା ବେଳକୁ ଏହି ଘଟଣା ପଛରେ ଅନେକ ରହସ୍ୟ ଲୁଚି ରହିଥିବା ଜଣା ପଡ଼ୁଛି। ପ୍ରଥମତଃ ପିଲା ପାଠପଢା ଛାଡ଼ି ଦାଦନ ଖଟୁଥିଲେ ବି ସ୍କୁଲ ରେକର୍ଡରେ ସେମାନଙ୍କ ନାଁ ଗଡ଼ୁଛି। କେବଳ ନାଁ ଗଡୁ ନାହିଁ, ସେମାନଙ୍କ ସଂପୂର୍ଣ୍ଣ ଅଜାଣତରେ ସେମାନଙ୍କ ନାମରେ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ବି କରି ଦିଆଯାଇଛି। ଦ୍ବିତୀୟରେ ସରକାରୀ ସୁବିଧାସୁଯୋଗ ହାତେଇବା ପାଇଁ ସ୍କୁଲ ନିଜର ପିଲା ସଂଖ୍ୟା ଅଧିକ ଦର୍ଶାଇବା ଯୋଜନାରେ ଏଭଳି ମିଛ ରେକର୍ଡ ପ୍ରସ୍ତୁତ କରୁଛନ୍ତି। ତୃତୀୟରେ ସହଜରେ ମାଟ୍ରିକ ପରୀକ୍ଷା ପାସ୍ କରିଯିବା ମସୁଧାରେ ଫର୍ମ ପୂରଣ କରିଥିଲେ ବି ତାହା ସମ୍ଭବ ହେବା ଆଶା ଦେଖା ନଯିବାରୁ ଅନେକ ଛାତ୍ରଛାତ୍ରୀ ଆଉ ପରୀକ୍ଷା କେନ୍ଦ୍ରକୁ ଆସିଲେ ନାହିଁ। କଟକ ଜିଲ୍ଲାର ଗୋଟିଏ ବାଳିକା ବିଦ୍ୟାଳୟରେ ୬୦ ପ୍ରତିଶତରୁ ଅଧିକ ଛାତ୍ରୀ ପରୀକ୍ଷା ଦେବାକୁ ନ ଆସିବା ଘଟଣା ପଛରେ ଏଭଳି ରହସ୍ୟ ଥିବା ଜଣା ପଡ଼ିଛି।

YouTube

କିନ୍ତୁ ଏଭଳି ଘଟଣାରେ ମାଟ୍ରିକ ପରୀକ୍ଷା ପରିଚାଳନା କରୁଥିବା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କୋଟିଏ ଟଙ୍କାରୁ ଅଧିକ ଆର୍ଥିକ ବୋଝ ବୋହିଛି। ଅକାରଣରେ ଏହି ଅର୍ଥ ଖର୍ଚ୍ଚ ହୋଇଛି। ମାଟ୍ରିକ ନିୟମିତ ଛାତ୍ରଛାତ୍ରୀ, ମଧ୍ୟମା ଓ ‌ଓପନ୍ ସ୍କୁଲ ପରୀକ୍ଷାର୍ଥୀଙ୍କୁ ମିଶାଇଲେ ମୋଟ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୫୦ ହଜାର ଟପିବ ବୋଲି ଆକଳନ କରାଯାଉଛି। ଏମାନଙ୍କ ମଧ୍ୟରୁ ଅଳ୍ପ କିଛି ଛାତ୍ରଛାତ୍ରୀ ଶାରୀରିକ ଅସୁସ୍ଥତା ଅଥବା ସେହିଭଳି କିଛି କାରଣରୁ ପରୀକ୍ଷା ଦେଉ ନଥିବା ବେଳେ ଅନ୍ୟମାନେ କିନ୍ତୁ ସ୍କୁଲ ସହ ସଂପର୍କ ରଖି ନାହାନ୍ତି। କିନ୍ତୁ ସେମାନଙ୍କ ନାମରେ ଫର୍ମ ପୂରଣ ହେବା ଫଳରେ ବୋର୍ଡ ସେମାନଙ୍କ ପାଇଁ ଆଡମିଟ୍ କାର୍ଡ ପ୍ରସ୍ତୁତ କରିଛି। ପ୍ରତ୍ୟେକ ଛାତ୍ରଛାତ୍ରୀ ୬ଟି ବିଷୟରେ ପରୀକ୍ଷା ଦେଉଛନ୍ତି। ସେମାନଙ୍କ ପାଇଁ ପ୍ରଶ୍ନପତ୍ର, ଓଏମ୍ଆର୍ ସିଟ୍, ଏବଂ ପ୍ରଶ୍ନଯୁକ୍ତ ପରୀକ୍ଷାଖାତା ଏହି ସବୁ ବିଷୟ ପାଇଁ ପ୍ରସ୍ତୁତ ହୋଇଛି। ଅତିକମ୍‌ରେ ଜଣେ ଛାତ୍ରଛାତ୍ରୀ ପିଛା ୨ଶହ ଟଙ୍କାରୁ କମ୍ ଖର୍ଚ୍ଚ ହେଉ ନାହିଁ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି। ଏହି ହିସାବରେ ବୋର୍ଡ ଅଯଥାରେ ତ କୋଟିଏରୁ ଅଧିକ ଟଙ୍କାର ବୋଝ ବୋହିଛି। ଏହା ବ୍ୟତୀତ ପରିବହନ ତଥା ଅନ୍ୟ ଆନୁସଙ୍ଗିକ ଖର୍ଚ୍ଚ ବି ରହିଛି ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି।

ସଂପୂର୍ଣ୍ଣ ବେପରୱା ଢଙ୍ଗରେ ପରୀକ୍ଷାକୁ ନିଆଯିବା, ଏଭଳି ଭୁଲ୍ ଢଙ୍ଗରେ ଫର୍ମ ପୂରଣ କରାଯିବା ଫଳରେ ରାଜ୍ୟ ରାଜକୋଷ ଉପରେ ପଡ଼ିଥିବା ଏହି ଆର୍ଥିକ ବୋଝ ପାଇଁ କାହାକୁ ଉତ୍ତରଦାୟୀ କରାଯିବ ବୋଲି ଏବେ ପ୍ରଶ୍ନ ଉଠୁଛି। ଏ ସଂପର୍କରେ ବୋର୍ଡ ସଭାପତି ରମାଶିଷ ହାଜରା ଆଜି କହିଛନ୍ତି ଯେ ଏଥିରେ ବୋର୍ଡର କୌଣସି ଭୂମିକା ନାହିଁ। ଯେଉଁ ଅନୁସାରେ ଫର୍ମ ପୂରଣ ସଂଖ୍ୟା ଆସିଲା, ସେହି ଅନୁସାରେ ବୋର୍ଡ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଏ ସଂପର୍କରେ ସ୍କୁଲ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନେ ହିଁ ନିର୍ଦ୍ଦିଷ୍ଟ ଭାବେ ଉତ୍ତର ଦେଇ ପାରିବେ। ନିର୍ଦ୍ଦିଷ୍ଟ ଭାବେ କେତେ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି, ବୋର୍ଡକୁ ପ୍ରଶ୍ନପତ୍ର ଓ ପରୀକ୍ଷା ଖାତା ଫେରିବା ପରେ ସ୍ପଷ୍ଟ ହେବ ବୋଲି ଶ୍ରୀ ହାଜରା କହିଛନ୍ତି। ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ପାଇଁ ଏବେ ବୋର୍ଡ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଉଥିବା ବେଳେ ଗଣଶିକ୍ଷା ବିଭାଗ ସେମାନଙ୍କୁ ଏଥିପାଇଁ ଉତ୍ତରଦାୟୀ କରିବ, ନା ଏ ଦୋଷ ଲୁଚାଇ ଦେବା ପାଇଁ କସରତ ଆରମ୍ଭ କରିଦେବ, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ‌

ମାଟ୍ରିକ ପରୀକ୍ଷା କେଳେଙ୍କାରୀ: ଶିଶୁ ସୁରକ୍ଷା ଆୟୋଗର ଜବାବ ତଲବ

ଭୁବନେଶ୍ବର : ମାଟ୍ରିକ ପରୀକ୍ଷା କେଳେଙ୍କାରୀକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦକୁ ଜବାବ ମାଗିଛନ୍ତି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ‘ସମ୍ବାଦ’ରେ ପ୍ରକାଶିତ ‘କୁଆଡ଼େ ଗଲେ ୪୬ ହଜାର ପିଲା’ ରିପୋର୍ଟକୁ ନେଇ ଶିଶୁ ସୁରକ୍ଷା ଆୟୋଗଙ୍କ ପକ୍ଷରୁ ପରିଷଦକୁ ଚିଠି ଜାରି କରି ଜବାବ ଦେବାକୁ କୁହାଯାଇଛି। ମାଟ୍ରିକ ପରୀକ୍ଷା ଫର୍ମ ପୂରଣ କରି ମଧ୍ୟ ପରୀକ୍ଷା ଦେଇନଥିବା ପିଲାମାନଙ୍କ ସ୍ଥିତି ସମ୍ପର୍କରେ ଜଣାଇବାକୁ ଚିଠିରେ କୁହାଯାଇଛି।

ସମ୍ବନ୍ଧିତ ଖବର