ଭୁବନେଶ୍ୱର : ୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ୮ମ ଟେଲି ପୁରସ୍କାର ଉତ୍ସବ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇ ଦରଖାସ୍ତ ଗ୍ରହଣ କରାଯାଉଛି। ଆବେଦନର ଶେଷ ତାରିଖ ଫେବ୍ରୁଆରି ୨୦ ରଖାଯାଇଛି। କୋଭିଡ୍-୧୯ ଯୋଗୁଁ ଗତବର୍ଷ ଏହି କାର୍ଯ୍ୟକ୍ରମ କରାଯାଇପାରି ନ ଥିଲା। ପ୍ରତିଥର ପରି ଏଥର ମଧ୍ୟ ଚଳଚ୍ଚିତ୍ରରେ ୨୭ଟି ଓ ଟେଲି ପୁରସ୍କାର ପାଇଁ ୨୦ଟି ବିଭାଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଚଳିତବର୍ଷ ଏହି ଉତ୍ସବକୁ ଆୟୋଜନ ପାଇଁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମକୁ ଦାୟିତ୍ୱ ଦିଆଯାଇଛି। ତେବେ ଜୁରୀ ଚୟନ ଓ ପୁରସ୍କାର ଚୂଡାନ୍ତ କାର୍ଯ୍ୟ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି କରିବ।
ଏହି ଉତ୍ସବର ପ୍ରଚାର ପ୍ରସାର ଲାଗି ଏଥର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। କୋଭିଡ-୧୯ ଅନୁସରଣ କରି ବିଶିଷ୍ଟ ଅତିଥିଙ୍କ ଦ୍ୱାରା କାର୍ଯ୍ୟକ୍ରମର ଉଦ୍ଘାଟନ କରିବା, ନାମକରା କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ପୁରସ୍କାର ରାଶିକୁ ବୃଦ୍ଧି କରିବା ଆଦି ବିଷୟରେ ବୈଠକରେ ଆଲୋଚନା ହୋଇଛି। ଏହି ବୈଠକରେ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ସଂସ୍କୃତି ସଚିବ ବିଷ୍ଣୁପଦ ସେଠୀ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ସଚିବ ନିତିନ ଭାନୁଦାସ ଜଓ୍ୱାଲେ, ପର୍ଯ୍ୟଟଠନ ବିଭାଗ ଯୁଗ୍ମ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/film-596519_1280.jpg)