ବୁଡ଼ିଲାଣି ସିନେମା ଶିଳ୍ପ

ସବୁ ବଡ଼ ଅଭିନେତା ଶାସକ ଦଳରେ, ହେଲେ, କାହାର ନଜର ନାହିଁ

ଭୁବନେଶ୍ୱର : ପ୍ରଶାନ୍ତ ନନ୍ଦ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସନାୟକ, ମୁନା ଖାନ୍‌। ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ଏମାନେ ନିଶ୍ଚିତ ଭାବେ ଆଗ ଧାଡ଼ିରେ। ଆଉ ସମସ୍ତେ ଏବେ ଶାସକ ବିଜେଡିରେ। କିଏ ମୁଖପାତ୍ର ତ କିଏ ସାଂସଦ, ବିଧାୟକ, ପୁଣି ନିଗମ ଅଧ୍ୟକ୍ଷ। ତାଲିକା ଆହୁରି ଲମ୍ବିଛି। ଉତ୍ତମ ମହାନ୍ତିଙ୍କ ପରି ବରିଷ୍ଠ ଅଭିନେତା ଓ ଅରିନ୍ଦମଙ୍କ ପରି ଏବେକାର ଅଭିନେତା ବି ବିଜେଡିରେ। ଏମାନେ ଆରମ୍ଭରୁ ରାଜନେତା ନୁହଁନ୍ତି। ଅଭିନୟ କରି ଲୋକପ୍ରିୟତା ସାଉଁଟିଛନ୍ତି। ସେହି ଲୋକପ୍ରିୟତାକୁ ଆଧାର କରି ରାଜନୀତିକୁ ଆସିଛନ୍ତି ଓ ସଫଳ ବି ହୋଇଛନ୍ତି।

କିନ୍ତୁ ଏହି ଅଭିନେତାମାନଙ୍କ ଦଳ ବିଜୁ ଜନତା ଦଳ ଶାସନରେ ହିଁ ଓଡ଼ିଆ ସିନେମା ଶିଳ୍ପ ତଳିତଳାନ୍ତ ହେବାକୁ ବସିଲାଣି। ଶିଳ୍ପାୟନ ପଛରେ ରାଜ୍ୟ ସରକାର ଧାଉଁଥିଲେ ବି ଓଡ଼ିଆ ସିନେମା ଯେ ଏକ ଶିଳ୍ପ ତାହା ସରକାର ଭୁଲି ଗଲେଣି। ଅଭିନେତାମାନଙ୍କ ଲୋକପ୍ରିୟତାକୁ ବେଶ୍‌ ଭଲ ଭାବେ ବ୍ୟବହାର କରୁଛି ଶାସକ ଦଳ। ଗ୍ରାମାଞ୍ଚଳରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏମାନେ ଏବେ ବିଜେଡିର ଅସ୍ତ୍ର ସାଜିଛନ୍ତି। କିନ୍ତୁ ଏମାନଙ୍କ ମୂଳ ଦୁନିଆକୁ ସଜାଡ଼ିବାକୁ ସରକାର ସାମାନ୍ୟ ଆଗ୍ରହ ପ୍ରକାଶ କରି ନାହାନ୍ତି। ଆଉ ଏହି ଅଭିନେତାମାନେ ରାଜନୀତିରେ ପ୍ରତିଷ୍ଠିତ ହୋଇଗଲା ପରେ ସିନେମା ଶିଳ୍ପର ଉନ୍ନତି ପାଇଁ ଉଦ୍ୟମ ବି କରୁ ନାହାନ୍ତି ବୋଲି ଅଭିଯୋଗ।

୮୦ ଦଶରେ ଓଡ଼ିଆ ସିନେମାକୁ ଶିଳ୍ପର ମାନ୍ୟତା ଦିଆଗଲା ପରେ ଏଥିରେ ଆଖିଦୃଶିଆ ବିକାଶ ଦେଖିବାକୁ ମିଳିଲା। ହଲ୍‌ ସଂଖ୍ୟା ବଢ଼ିଲା। ଗୁଣାତ୍ମକ ସିନେମା ନିର୍ମାଣ ହେଲା। ପ୍ରଯୋଜକମାନେ ସବ୍‌ସିଡି ପାଇ ଅଧିକ ସିନେମା ନିର୍ମାଣ କରିବାକୁ ଉତ୍ସାହିତ ହେଲେ। ରାଜ୍ୟର ଏକମାତ୍ର ଷ୍ଟୁଡିଓ କଳିଙ୍ଗ ଷ୍ଟୁଡିଓ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେଲା। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଚଳଚଞ୍ଚଳ ରହିଲା।

କିନ୍ତୁ ଏବେ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ୧୯୯୯ ମହାବାତ୍ୟା ପରେ ଉଜୁଡ଼ିଯାଇଥିବା ଓଡ଼ିଆ ସିନେମା ଶିଳ୍ପ ତା’ର ସ୍ଥିତି ସୁଧାରିବା ପାଇଁ ସରକାରୀ ସାହାରା ଖୋଜୁଥିଲା। କିନ୍ତୁ ସରକାରଙ୍କ ଶୁଭ ଦୃଷ୍ଟି ଆଦୌ ପଡ଼ି ନ ଥିଲା। ଅନେକ ସମୟରେ ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ ସିନେମାର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ସେଗୁଡ଼ିକ ପୂରଣ ହୋଇପାରି ନାହିଁ। ଓଡ଼ିଆ ସିନେମା ଶିଳ୍ପ ଅଛି ବୋଲି ସମ୍ଭବତଃ ସରକାର ଭୁଲିଗଲେଣି।

ଗତ ୧୫ ବର୍ଷ ମଧ୍ୟରେ ନିଶ୍ଚିତ ଭାବେ କିଛି ଅଣପେଶାଦାର ଲୋକ ଚଳଚ୍ଚିତ୍ର ଦୁନିଆକୁ ପଶି ଏହାର ପରିବେଶ ନଷ୍ଟ କରିଦେଇଛନ୍ତି। ଏହା ଉଣା ଅଧିକେ ସମସ୍ତେ ସ୍ୱୀକାର କରିବେ। କିଛି ଲୋକ ନାଁ

କମାଇବାକୁ, ଆଉ କିଛି ଲୋକ ରଙ୍ଗୀନ୍‌ ଦୁନିଆରେ ନିଜକୁ ଜଡ଼ିତ କରିବା ମୋହରେ ଏଠାକୁ ଆସିଛନ୍ତି। ସେମାନେ ଏପରି ଭାବେ ଏକ ପରିବେଶ ସୃଷ୍ଟି କରିଦେଇଛନ୍ତି ଯେ ବହୁ ନିୟମିତ ପ୍ରଯୋଜକ ଏଠାରୁ ମୁହଁ ଫେରାଇ ନେଉଛନ୍ତି। ଆହୁରି ମଧ୍ୟ ଏହି ଶିଳ୍ପରେ ପୁଞ୍ଜି ଖଟେଇଲେ ଲାଭ ସମ୍ଭାବନା ନାହିଁ ବୋଲି ପୁରୁଣା ପ୍ରଯୋଜକମାନେ ମତ ଦିଅନ୍ତି।

ସିନେମା ଶିଳ୍ପର ଏପରି ଦୟନୀୟ ସ୍ଥିତି ପାଇଁ ଦୁର୍ବଳ ଭିତ୍ତିଭୂମି ଅନେକ ପରିମାଣରେ ଦାୟୀ ବୋଲି ଅଭିଯୋଗ ଉଠୁଛି। ଓଡ଼ିଶାର ଗର୍ବ କୁହାଯାଉଥିବା କଳିଙ୍ଗ ଷ୍ଟୁଡିଓ ଛାରଖାର ହୋଇଗଲାଣି। ଭିତରକୁ ପଶିଗଲେ ଏହା ଏକ ଫିଲ୍ମ ଷ୍ଟୁଡିଓ ବୋଲି କେହି ବିଶ୍ୱାସ କରିପାରିବେନି। ଏହାର ନବୀକରଣ ପାଇଁ ଶିଳ୍ପ ବିଭାଗ ଏକ କୋଟି ଟଙ୍କା ଦେଇଛି ବୋଲି ବହୁ ଦିନରୁ ଶୁଣାଯାଉଥିଲେ ବି କାହିଁକି କାମ ହେଉ ନାହିଁ, ତାହାର ଉତ୍ତର କାହା ପାଖରେ ନାହିଁ। ଖଣ୍ଡଗିରି-ଉଦୟଗିରି ପରି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନିକଟରେ ଏହି ଷ୍ଟୁଡିଓଟି ଥିବାରୁ ସରକାର ଚାହିିଁଲେ ତାହାକୁ ନବୀକରଣ କରି ଏକ ପର୍ଯ୍ୟଟନସ୍ଥଳୀରେ ବି ପରିଣତ କରିପାରନ୍ତେ। ପ୍ରଯୋଜକମାନେ ସୁବିଧା ପାଇବା ସହ ପର୍ଯ୍ୟଟକମାନେ ବି ବୁଲି ଦେଖିପାରନ୍ତେ। କିନ୍ତୁ ସରକାରଙ୍କ ନିକଟରେ ସେପରି ଦୂରଦୃଷ୍ଟିର ଅଭାବ ରହିଛି।

୨୦୦୦ ପୂର୍ବରୁ ରାଜ୍ୟରେ ୩୫୦ରୁ ଅଧିକ ସିନେମା ହଲ୍‌ ଥିଲା। ଫଳରେ ଓଡ଼ିଆ ପ୍ରଯୋଜକ ଅର୍ଥ ଫେରିପାଇବାର ସମ୍ଭାବନା ରହୁଥିଲା। କିନ୍ତୁ ଏବେ ହଲ୍‌ ସଂଖ୍ୟା ୧୦୦ ଭିତରେ ସୀମିତ। ଯଦିଓ ସରକାରୀ ହିସାବରେ ଏବେ ରାଜ୍ୟରେ ୧୫୦ ସିନେମା ହଲ୍‌ ଅଛି, ଯାହା କି ଗତ ବିଧାନସଭା ଅଧିବେଶନ ସମୟରେ ଶିଳ୍ପ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସରକାରୀ ପ୍ରୋତ୍ସାହନ ଅଭାବରୁ ହଲ୍‌ ନିର୍ମାଣ କରିବାକୁ ବି କେହି ପୁଞ୍ଜିନିବେଶକାରୀ ଆଗ୍ରହ ପ୍ରକାଶ କରୁ ନାହାନ୍ତି।

ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଏକ ସାଇନ୍‌ବୋର୍ଡ ସଂସ୍ଥାରେ ପରିଣତ ହୋଇଗଲାଣି। ଏହି ସଂସ୍ଥାଟିର କାମ କ’ଣ, ତାହା ପ୍ରଯୋଜକମାନେ ଜାଣି ପାରୁ ନାହାନ୍ତି। ପୂର୍ବରୁ ଓଡ଼ିଆ ସିନେମାକୁ ଟିକସମୁକ୍ତ କରାଯାଇଥିଲା। କିନ୍ତୁ ଜିଏସ୍‌ଟି ଲାଗୁ କଲା ପରେ ପୁଣି ଓଡ଼ିଆ ସିନେମା ଟିକସ ପରିସରଭୁକ୍ତ ହୋଇଛି। କିଛି ରାଜ୍ୟରେ ରାଜ୍ୟ ସରକାର ଆଞ୍ଚଳିକ ସିନେମା ଉପରୁ ଜିଏସ୍‌ଟି ହ୍ରାସ ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। କିନ୍ତୁ ଏଠାରେ କେନ୍ଦ୍ର ଉପରେ ଦୋଷ ଲଦି ରାଜ୍ୟ ସରକାର ନିଜ ଦାୟିତ୍ୱ ଖସାଇ ଦେଇଛନ୍ତି।

ଏତେ ସବୁ ସମସ୍ୟା ଭିତରେ ଗତି କରୁଥିବା ସିନେମା ଶିଳ୍ପ ଉପରେ ଅଭିନେତାରୁ ରାଜନେତା ପାଲଟିଥିବା ସେଲିବ୍ରିଟିମାନଙ୍କର ନଜର ପଡ଼ୁନି। ସରକାରଙ୍କ ନିକଟରେ ସିନେମା ଶିଳ୍ପର ସମସ୍ୟା ଏମାନେ ଉପସ୍ଥାପନ କରିପାରୁ ନାହାନ୍ତି ନା ସରକାର ଏମାନଙ୍କୁ ଗୁରୁତ୍ୱ ଦେଉ ନାହାନ୍ତି, ତାହା ଆଲୋଚନାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର